ଜୋହାନ୍ସବର୍ଗ: ବିଶ୍ବକପ୍‌-୨୦୨୩ ପରେ ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଥର ପାଇଁ ଖେଳିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ସହଜରେ ବିଜୟ ହାସଲ କରିଛି। ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରସ୍‌ ଷ୍ଟାଡିୟମରେ ଘରୋଇ ଦଳ ବିପକ୍ଷରେ ଭାରତୀୟ ବୋଲର ଓ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ୧୧୭ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୬.୪ ଓଭରରେ ୨ଟି ୱିକେଟ ହରାଇ ପୂରା କରିଛି। ଅର୍ଶଦୀପ ସିଂହଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି। ଏଥି ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି। ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଡିସେମ୍ବର ୧୯ରେ ଖେଳାଯିବ।

Advertisment

ଭାରତର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ ସାଇ ସୁଦର୍ଶନ। ‌ତେବେ ଭାରତୀୟ ଟିମ୍‌ ନିଜର ସ୍କୋର ୨୩ ଥିବା ବେଳେ ଗାଏକ୍ବାଡଙ୍କୁ ହରାଇଥିଲା। ଗାଏକ୍ବାର୍ଡ ବ୍ୟକ୍ତିଗତ ଭାବେ ୫ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିଥିଲେ ଶ୍ରେୟସ ଆୟର। ସାଇ ଓ ଶ୍ରେୟସ ୨ୟ ୱିକେଟ ପାଇଁ ୮୮ ରନ୍‌ର ଭାଗିଦାରୀ କରିଥିଲେ। ଏଥିରୁ ଆୟରଙ୍କ ବ୍ୟକ୍ତିଗତ ରନ୍‌ ୫୨ ଥିଲା। ସେ ୪୫ଟି ବଲ୍‌ ଖେଳି ୬ଟି  ଚୌକା ଓ ଗୋଟିଏ ଛକା ମାରିଥିଲେ। ସାଇ ସୁଦର୍ଶନ ୪୩ଟି ବଲ୍‌ ଖେଳି ୯ଟି ଚୌକା ବଳରେ ୫୨ ରନ୍‌ ସଂଗ୍ରହ କରି ଅପରାଜିତ ଫେରିଥିଲେ। ଫଳରେ ପ୍ରଶଂସକ ତାଙ୍କ ପ୍ରଦର୍ଶନରେ ଉତ୍ସାହିତ ଦେଖାଯାଇଥିଲେ। ତିଲକ ବର୍ମା ୩ଟି ବଲ୍‌ ଖେଳି ଅପରାଜିତ ଗୋଟିଏ ରନ୍‌ କରିଥିଲେ।

publive-image

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଫଳରେ ଭାରତ ବୋଲିଂ କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂରା ଟିମ୍‌ ୨୭.୩ ଓଭରରେ ଅଲ୍‌ଆଉଟ୍‌ ହୋଇ ୧୧୬ ରନ୍‌ କରିପାରିଥିଲେ।  ଅର୍ଶଦୀପ ସିଂହଙ୍କୁ ୫, ଆୱେସ ଖାନ୍‌ଙ୍କୁ ୪ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ଏହି ଶୃଙ୍ଖଳା ପାଇଁ ଭାରତୀୟ ଦଳ ଯୁବ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦେଇଛି। ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ ଭାରତୀୟ ଦଳର ‌ନେତୃତ୍ବ ନେଇଛନ୍ତି। ତେବେ ଭାରତୀୟ ଯୁବଖେଳାଳିମାନେ ବୋଲିଂ ପାଳିରେ ଅଭିଜ୍ଞମାନଙ୍କ ଭଳି ପ୍ରଦର୍ଶନ କରିଛନ୍ତି। ଅର୍ଶଦୀପ ସିଂହ ଆଗଧାଡ଼ିର ୪ରୁ ୩ ଜଣ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ସେହିପରି ମଧ୍ୟକ୍ରମର ବ୍ୟାଟରଙ୍କୁ ଖେଳିବାକୁ ସୁଯୋଗ ଦେଇ ନଥିଲେ ଆୱେସ୍‌ ଖାନ।

ଦକ୍ଷିଣ ଆଫ୍ରିକାକୁ ଆରମ୍ଭରୁ ଝଟକା ଲାଗିଥିଲା। ୩ ରନ୍‌ରେ ରିଜା ହେଣ୍ଡ୍ରିକ୍ସ ଓ ରାସି ଭାନ୍‌ ଡର ଡୁସେନଙ୍କୁ ହରାଇଥିଲା। ସ୍କୋର ୪୨ ରନ୍‌ ଥିବା ବେଳେ ଟନି ‌ଜର୍ଜି ଆଉଟ୍‌ ହୋଇଥିଲେ। ସେ ୨୨ଟି ବଲ୍‌ ଖେଳି ୨ଟି ଚୌକା ଓ ୨ଟି ଛକା ବଳରେ ୨୮ ରନ୍‌ ସଂଗ୍ରହ କରିଥିଲେ। ସ୍କୋର ୫୨ ରନ୍‌ରେ ଭାରତ ୪ର୍ଥ ଓ ୫ମ ୱିକେଟ ଭାବେ ଯଥାକ୍ରମେ କ୍ଲାସେଁ ଓ ଐଦେନ ମାରକ୍ରମଙ୍କୁ ଆଉଟ୍‌ କରିଥିଲା। ୫୬ ରନ୍‌ ବେଳକୁ ୱିଆନ୍‌ ମୁଲ୍ଡର ଓ ୫୮ ରନ୍‌ରେ ଡେଭିଡ ମିଲର ଆଉଟ୍‌ ହୋଇଥିବା ବେଳେ ୭୩ରନ୍‌ରେ କେଶବ ମହାରାଜ ପାଭିଲିଅନକୁ ଫେରିଥିଲେ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ହେଣ୍ଡ୍ରିକ୍ସ, ଡୁସେନ, ୱିଆନ୍‌ ମୁଲ୍ଡର ଖାତା ଖୋଲିପାରି ନଥିଲେ। ଡେଭିଡ୍‌ ମିଲର ୨ରନ୍‌, କେଶବ ମହାରାଜ ୪ ରନ୍‌ ଓ ହେନରିକ କ୍ଲାସେଁ ୬ ରନ୍‌ ସଂଗ୍ରହ କରି ପାଭିଲିଅନକୁ ଫେରି ଆସିଥିଲେ।

ଦକ୍ଷିଣ ଆଫ୍ରିକା ପାଇଁ ଆଣ୍ଡିଲେ ଫେଲୁକ୍ବାୟୋ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହ କରିଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୪୯ଟି ବଲ୍‌ ଖେଳିଥିଲେ। ୩ଟି ଚୌକା ଓ ୨ଟି ଛକା ବଳରେ ୩୩ ରନ୍‌ ଯୋଡ଼ିଥିଲେ। ନନ୍ଦ୍ରେ ବର୍ଗର ୩୨ଟି ବଲ୍‌ ଖେଳି ୭ ରନ୍‌ କରିଥିବା ବେଳେ ତାବ୍ରେଜ ସାମ୍‌ସି ୮ଟି ବଲ୍‌ ଖେଳି ୨ଟି ଚୌକା ବଳରେ ୧୧ ରନ୍‌ ସଂଗ୍ରହ କରି ଅପରାଜିତ ଥିଲେ।