ଇନ୍ଦୋର: ଭାରତୀୟ ଯୁବ ବ୍ୟାଟର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆକୁ ଭାରତ ରବିବାର ପରାସ୍ତ କରିଛି। ଯୁବ ବ୍ୟାଟର ଶ୍ରେୟସ ଆୟର, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲଙ୍କ ଦମଦାର ବ୍ୟାଟିଂ ପରେ ବୋଲର ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସାମି ଚମତ୍କାର ବୋଲିଂ କରିଛନ୍ତି। ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ୩-୩ଟି ୱିକେଟ୍ ନେଇଥିଲା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଓ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷାବାଧିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭାରତ ୯୯ ରନ୍ରେ ପରାସ୍ତ କରିଛି। ଏଥି ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଅକ୍ତିଆର କରିଛି। ଚଳିତ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭାରତ ମୋହାଲିରେ ୫ ୱିକେଟରେ ପରାସ୍ତ କରିଥିଲା। ଶୃଙ୍ଖଳାର ଅନ୍ତିମ ମ୍ୟାଚ ଗୁଜରାଟର ରାଜକୋଟରେ ଆସନ୍ତା ୨୭ ତାରିଖରେ ଖେଳାଯିବ।
ଆଜି ପ୍ରଥମ ପାଳିରେ ଭାରତୀୟ ବ୍ୟାଟରମାନେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଥିଲେ। ଉଦୟମାନ ବ୍ୟାଟର ଶୁବମନ୍ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ କଙ୍ଗାରୁ ଦଳର ବୋଲରଙ୍କୁ ନିରାଶ କରିଥିଲେ। ଶ୍ରେୟସ ଓ ଶୁବମନ ଗିଲ ଶତକ ହାସଲ କରିବା ସହିତ ୨୦୦ ରନ୍ର ଭାଗିଦାରୀ ହୋଇ ପାରିଥିଲେ। ସୂର୍ଯ୍ୟକୁମାର ଯାଦବ ଓ କେଏଲ୍ ରାହୁଲ ବ୍ୟକ୍ତିଗତ ଭାବେ ଅର୍ଦ୍ଧଶତକ ରନ ସଂଗ୍ରହ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୯୯ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ଦାଉ ସାଜିଥିଲା। ଫଳରେ ଡିଏଲଏସ୍ ମାଧ୍ୟମରେ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ କଙ୍ଗାରୁ ଦଳ ୨୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିପାରିଥିଲା।
କଙ୍ଗାରୁ ଦଳ ପାଇଁ ସିନ୍ ଆବଟ ଓ ଡେଭିଡ ୱାର୍ଣ୍ଣର ଲଢୁଆ ଇନିଂସ ଖେଳିଥିଲେ। ସିନ୍ ୩୬ଟି ବଲ୍ ଖେଳି ୫୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ସେହିପରି ୱାର୍ଣ୍ଣର ୩୯ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ବଳରେ ୫୩ ରନ୍ ଯୋଡ଼ିଥିଲେ। ଅତିଥି ଦଳର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା।
ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ରେ ୧୯ ରନ୍ ସଂଗ୍ରହ କରିଥିଲେ। ଋତୁରାଜ ୧୨ଟି ବଲ୍ ସାମ୍ନା କରି ୨ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ମାତ୍ର ୮ ରନ୍ ସଂଗ୍ରହ କରି ପାଭଲିଅନ୍ ଫେରି ଆସିଥିଲେ। ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ମୋଟ୍ ୯୦ଟି ବଲ୍ ଖେଳି ୧୦୫ ରନ୍ କରି ପାଭଲିଅନ ଫେରି ଆସିଥିଲେ। ଶୁବମନ ଗିଲ୍ ୯୭ଟି ବଲ୍ ଖେଳି ୧୦୪ ରନ୍ କରି ଆଉଟ୍ ହୋଇଥିଲେ।
ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୨ ରନ୍ ସଂଗ୍ରହ କରିଥିଲେ। ସେ ୩୭ଟି ବଲ୍ ଖେଳି ୬ଟି ଚୌକା ଓ ୬ଟି ଛକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଅପରାଜିତ ରହି ୯ଟି ବଲ୍ ଖେଳିଥିଲେ। ସେ ଗୋଟିଏ ଚୌକା ସହାୟତାରେ ୧୩ ରନ୍ ସଂଗ୍ରହ କରିଥିଲେ। କେଏଲ୍ ରାହୁଲ ୩୮ଟି ବଲ୍ ସାମ୍ନା କରିଥିଲେ। ସେ ୩ଟି ଚୌକା ଓ ୩ଟି ଛକା ବଳରେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଈଶାନ କିଶନ ୧୮ଟି ବଲ୍ରୁ ୩୧ ରନ୍ କରିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।