ଭାରତର ଆଉ ଏକ‌ ଶୃଙ୍ଖଳା ବିଜୟ

୧୭ ବଲ୍‌ ପୂର୍ବରୁ ୭ ୱିକେଟ୍‌ରେ ହାରିଲା ଶ୍ରୀଲଙ୍କା

ଧର୍ମଶାଳା, ୨୬ା୨: ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ଠିକଣା ପଥରେ ରହିଛି। ଲଗାତାର ୩ଟି ଶୃଙ୍ଖଳାରେ ରୋହିତ ଶର୍ମାଙ୍କ ‌‌ଟ୍ବେଣ୍ଟି-୨୦ ଦଳ ବିଜୟୀ ହୋଇ ହ୍ୟାଟ୍ରିକ କରିଛି। ଶନିବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୭ ୱିକେଟରେ ସହଜ ବିଜୟ ସହ ଏହି ଗୌରବ ଅର୍ଜନ କରିଛି। ବୋଲରମାନେ ୧୮୩ ରନ୍‌ ଲିକ୍ କରିବା ପରେ ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ୍‌, ରବୀନ୍ଦ୍ର ଜାଦେଜାଙ୍କ ବିସ୍ଫୋରକ ବ୍ୟାଟିଂ ଶ୍ରୀଲଙ୍କା ପାଳିକୁ ୧୭ ବଲ୍ ପୂର୍ବରୁ ପଛରେ ପକାଇ ଦେଇଥିଲା। ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ରବିବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ‌ଖେଳାଯିବ।ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ରୋହିତ ଶର୍ମା ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କାକୁ କିନ୍ତୁ ବଢ଼ିଆ ଆରମ୍ଭ ଦେଇଥିଲେ ପ୍ରାରମ୍ଭିକ ଯୋଡ଼ି ପଥୁମ ନିଶଙ୍କ ଏବଂ ଦାସୁନ ଗୁଣିତିଳକ।

ପ୍ରଥମ ୱିକେଟ୍ ପାଇଁ ଏମାନେ ୮.୪ ଓଭରରେ ୬୭ ରନ୍‌ କରିଥିଲେ। ତ‌େବେ ପ୍ରଥମ ୪ ଓଭରରେ ମାତ୍ର ୧୫ ରନ୍‌ କରିଥିବା ଏହି ଯୋଡ଼ି ରନ୍‌ ଗତି ବଢ଼ାଉଥିବା ବେଳେ ରବୀନ୍ଦ୍ର ଜାଦେଜା ସେମାନଙ୍କ ଭାଗୀଦାରିକୁ ଅଲଗା କରିଥିଲେ। ୨୯ ବଲ୍‌ରୁ ଗୁଣତିଳକ ୩୮ ରନ୍‌ କରି ଭେଙ୍କଟେଶ ଆୟାରଙ୍କ ହାତରେ ଧରାପଡ଼ିଯାଇଥିଲେ। ଆଉଟ୍ ହେବାର ପୂର୍ବ ୩ ବଲ୍‌ରେ ଜାଦେଜାଙ୍କୁ କିନ୍ତୁ ଗୁଣତିଳକ ୬, ୪, ୬ ମାରି ପ୍ରତିଶୋଧର ଶିକାର ହୋଇଥିଲେ। ୧୯ତମ ଓଭର ଶେଷ ବଲ୍‌ରେ ଆଉଟ୍ ହୋଇଥିବା ନିଶଙ୍କ ୫୩ ବଲ୍‌ରୁ ୭୫ ରନ୍‌ କରିଥିଲେ। ଶ୍ରୀଲଙ୍କାକୁ ୧୮୩ ରନ୍‌ର ଆହ୍ବାନଭରା ସ୍କୋର୍‌ ପ୍ରଦାନ କରିଥିଲେ ଅଧିନାୟକ ଦାସୁନ ଶଣକା (୧୯ ବଲରୁ ୪୭*)। ହର୍ଷଲ ପଟେଲଙ୍କ ଶେଷ ଦ‌ୁଇ ବଲ୍‌କୁ ଛକା ମାରି ପାଳି ଶେଷ କରିଥିଲେ ଶଣକା।

ଭାରତ ପାଇଁ ଏହା କଷ୍ଟକର ହେବ ବୋଲି ଆଶଙ୍କା ରହିଥିଲା। ପ୍ରଥମ ଓଭରରେ ରୋହିତ ଶର୍ମାଙ୍କୁ ଚାମିରା ପ୍ଲେଡ୍ ଅନ୍‌ ‌କରିଦେବା ପରେ ଚିନ୍ତା ବଢ଼ିଥିଲା। ଈଶାନ କିଶନ ମଧ୍ୟ ଶସ୍ତାରେ ଫେରିଯାଇଥିଲେ। ଶ୍ରେୟସ ଆୟର୍‌ କିନ୍ତୁ ୩୦ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ପରେ ମ୍ୟାଚ୍‌ ଭାରତ ପଟକୁ ଚାଲି ଆସିଥିଲା। ସଞ୍ଜୁ ସାମସନ୍ (୩୯, ୨୫ ବଲ୍)ଙ୍କ ବିଳମ୍ବିତ ଆକ୍ରମଣ ପରେ ଆୟର (୪୪ ବଲରୁ ୭୪* ରନ୍‌) ଏବଂ ରବୀନ୍ଦ୍ର ଜାଦେଜା (୧୮ ବଲରୁ ୪୫*) ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ଭାରତ ୧୭ ବଲ୍‌ ପୂର୍ବରୁ ୩ ୱିକେଟ୍‌ ହରାଇ ୧୮୬ ରନ୍‌ କରି ନେଇଥିଲା। ୧୮ ଓଭର ଭିତରରେ ଭାରତର ଏହା ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ। ପୂର୍ବରୁ ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଅହମଦାବାଦରେ ୧୬୫ ରନ୍‌ କରି ଜିତିଥିଲା।

ରୋହିତଙ୍କ ରେକର୍ଡ

ପୂର୍ଣ୍ଣକାଳୀନ ଅଧିନାୟକତ୍ବ ଭାର ସମ୍ଭାଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଏହା ଭାରତର ଲଗାତାର ୧୧ତମ ସୀମିତ ଓଭର ବିଜୟ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ଜିତିଥିଲା। ଗତ ସପ୍ତାହରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ୩-୦ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ମୋଟ ଉପରେ କିନ୍ତୁ କେବଳ ଟ୍ବେଣ୍ଟି-୨୦ରେ ରୋହିତ ଶର୍ମାଙ୍କ ଦଳ ୨୫ରୁ ୨୩ଟି ଜିତି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। କେବଳ ଘରୋଇ ମାଟିରେ ଏହା ମଧ୍ୟ ୧୭ରୁ ୧୬ ବିଜୟ କୀର୍ତ୍ତିମାନ ରଖିଛି। ନ୍ୟୁଜିଲାଣ୍ଡ୍‌, ଦକ୍ଷିଣ ଆଫ୍ରିକା ପରେ ଏବେ ଶ୍ରୀଲଙ୍କା ବିପକ୍ଷରେ‌ ଟ୍ବେଣ୍ଟି-୨୦ ଜିତି ରୋହିତ ଶର୍ମାଙ୍କ ଦଳ ହ୍ୟାଟ୍ରିକ୍ ଶୃଙ୍ଖଳା ଜିତିଛି।

ସମ୍ବନ୍ଧିତ ଖବର