ନାଗପୁର : ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ହରାଇ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଉଭୟ ପାଳିର ୧୬ ଓଭରରୁ ମୋଟ ୧୮୨ ରନ୍ ସଂଗୃହୀତ ହେବା ଦର୍ଶକଙ୍କୁ ସ୍ବଳ୍ପ ସମୟରେ ଅଧିକ ମନୋରଂଜନ ଦେଇଥିଲା। ବର୍ଷା ଓ ଓଦା ପଡ଼ିଆ କାରଣରୁ ମ୍ୟାଚ୍ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍କୁ ୮ ଓଭର ବିଶିଷ୍ଟ କରାଯାଇଥିଲା। ରୋହିତ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଦୁଇଟି ପରିବର୍ତନ କରି ଖେଳିଥିଲା ଟିମ୍ ଇଣ୍ଡିଆ। ଭୁବନେଶ୍ବର କୁମାର ଏବଂ ଉମେଶ ଯାଦବଙ୍କ ବଦଳରେ ଘରୋଇ ଦଳ ଋଷଭ ପନ୍ତ୍ ଓ ଯଶପ୍ରୀତ୍ ବୁମରାଙ୍କୁ ଖେଳାଇଥିଲା। ଅଷ୍ଟ୍ରେଲିଆ ସ୍ବାଭାବିକ ଭାବେ ବିସ୍ଫୋରକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭରରେ କାମେରନ୍ ଗ୍ରିନ୍ଙ୍କୁ ରନ୍ ଆଉଟ୍ ରୂପରେ ହରାଇଥିଲା।
ଦୁଇଟି ବଲ୍ ପରେ ମ୍ୟାକ୍ସୱେଲଙ୍କୁ ଅକ୍ଷର ପଟେଲ୍ ବୋଲ୍ଡ କରି ଦେଇଥିଲେ। ଅକ୍ଷର ପଟେଲ୍ ନିଜ ପରବର୍ତୀ ଓଭର ପ୍ରଥମ ବଲ୍ରେ ଟିମ୍ ଡେଭିଡଙ୍କୁ ମଧ୍ୟ ବୋଲ୍ଡ କରି ଦେଇଥିଲେ। ପଞ୍ଚମ ଓଭରରେ ଫିଞ୍ଚଙ୍କୁ ବୁମରା ବୋଲ୍ଡ କରି ଦେବାରୁ ଅଷ୍ଟ୍ରେଲିଆ ୪୬/୪ରେ ପହଞ୍ଚିଯାଇଥିଲା। ଫିଞ୍ଚ୍ଙ୍କ ୧୫ ବଲ୍ ୩୧ ରନ୍ ପରେ ମାଥ୍ୟୁ ୱେଡ୍ ୨୦ ବଲରୁ ୪୩* ରନ୍ କରି ଅଷ୍ଟ୍ରେଲିଆକୁ ୯୦ ରନ୍ରେ ପହଞ୍ଚାଇଥିଲେ। ଅଷ୍ଟମ ତଥା ଅନ୍ତିମ ଓଭର ବୋଲିଂ କରିଥିବା ହର୍ଷଲ୍ ପଟେଲଙ୍କୁ ୱେଦ୍ ୩ ଛକା ମାରି ମୋଟ ୧୯ ରନ୍ ଆଦାୟ କରିଥିଲେ। ଜବାବରେ ଭାରତ ମଧ୍ୟ ଧମାକାଦାର ଆରମ୍ଭ କରିଥିଲା। ରୋହିତ ଓ ରାହୁଲ ପ୍ରଥମ ଓଭରରୁ ୨୦ ରନ୍ ଆଦାୟ କରି ଲୟ ଦେଇଥିଲେ। କୋହଲି, ସୂର୍ଯ୍ୟ, ହାର୍ଦିକ ବିଫଳ ହୋଇଥିଲେ ମଧ୍ୟ ରୋହିତ ଶର୍ମା ୨୦ ବଲ୍ରୁ ୪ ଲେଖାଏଁ ଚୌକା ଓ ଛକା ସହାୟତାରେ ୪୬* ରନ୍ କରି ଦଳକୁ ବିଜୟ ପଥରେ ରଖିଥିଲେ। ଶେଷ ଓଭରରୁ ୯ ରନ୍ ଆବଶ୍ୟକ ପଡ଼ିଥିଲା। ଦୀନେଶ କାର୍ତିକ ପ୍ରଥମ ଦୁଇ ବଲ୍କୁ ଛକା ଓ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। ରୋହିତ ଶର୍ମା ମ୍ୟାଚ୍ର େଶ୍ରଷ୍ଠ ଖେଳାଳି ହୋଇଥିଲେ। ରବିବାର ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ଖେଳାଯିବ।
/sambad/media/post_attachments/wp-content/uploads/2022/09/spo-33a-300x133.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/23rohit-bats.jpg)