ମାଉଣ୍ଟ ମଙ୍ଗନୁଇ: ଅଷ୍ଟ୍ରେଲିଆ ଦଖଲ ପରେ ନ୍ୟୁଜିଲାଣ୍ଡରେ ବି ଭାରତୀୟ କ୍ରିକେଟ୍ ଦଳ ବିଜୟ ବାନା ଉଡ଼ାଇଛି। ସୋମବାର ଖେଳା ଯାଇଥିବା ତୃତୀୟ ଦିନିକିଆକୁ ୭ ୱିକେଟ୍‌ରେ ଜିତି ନେଇ ହ୍ୟାଟ୍ରିକ୍ ଅର୍ଜନ କରିବା ସହ ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ନ୍ୟୁଜିଲାଣ୍ଡରେ ପ୍ରତୀକ୍ଷିତ ଶୃଙ୍ଖଳା ବିଜୟ ହାସଲ କରିଛି। ଭାରତୀୟ ବୋଲର ଆଜି ପ୍ରଥମେ ନ୍ୟୁଜିଲାଣ୍ଡ ପାଳିକୁ ମାତ୍ର ୨୪୩ ରନ୍‌ରେ ଶେଷ କରି ଦେଇଥିଲେ। ଏହା ପରେ ରୋହିତ ଶର୍ମା (୬୨ ରନ୍, ୭୭ ବଲ୍, ୩ ଚୌକା, ୨ ଛକା) ଓ ଅଧିନାୟକ ବିରାଟ କୋହଲି (୬୦ ରନ୍, ୭୪ ବଲ୍, ୬ ଚୌକା, ୧ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ଅବିଭାଜିତ ଚତୁର୍ଥ ୱିକେଟ୍ ଭାଗୀଦାରିରେ ଅମ୍ବାତି ରାୟୁଡୁ (୪୦* ରନ୍, ୪୨ ବଲ୍, ୫ ଚୌକା, ୧ ଛକା) ଓ ଦୀନେଶ କାର୍ତିକ (୩୮* ରନ୍, ୫ ଚୌକା, ୧ ଛକା) ୭୭ ରନ୍ ଯୋଡ଼ି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଭାରତ ୭ ଓଭର ପୂର୍ବରୁ ମାତ୍ର ୩ ୱିକେଟ୍ ବିନିମୟରେ ୨୪୫ ରନ୍ କରି ମ୍ୟାଚ୍ ଏବଂ ଶୃଙ୍ଖଳା କବ୍‌ଜା କରି ନେଇଥିଲା। ଟିମ୍ ଇଣ୍ଡିଆ ଏବେ ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ତିନି ମୁକାବିଲାକୁ ଏକତରଫା ଭାବେ ଜିତି ନେଇ ୩-୦ରେ ଆଗୁଆ ହୋଇଛି। ଏଣୁ ଶେଷ ଦୁଇ ଦିନିକିଆର ଫଳାଫଳ କୋହଲି ବାହିନୀର ଶୃଙ୍ଖଳା ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଚତୁର୍ଥ ମ୍ୟାଚ୍ ହାମିଲଟନର ସେଡନ ପାର୍କଠାରେ ଆସନ୍ତା ୩୧ ତାରିଖରେ ଖେଳାଯିବ। ଅନ୍ୟପକ୍ଷରେ ଗୁରୁତ୍ବହୀନ ପଞ୍ଚମ ତଥା ‌ଶେଷ ଲଢ଼େଇ ଫେବ୍ରୁଆରି ୩‌ରେ ୱେଲିଂଟନଠାରେ ହେବ। ଭାରତ ଶେଷ ଥର ପାଇଁ ୨୦୦୯ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ ତା’ ଘରୋଇ ମାଟିରେ ୩-୧ରେ ହରାଇଥିଲା। ଏକ ଦଶନ୍ଧି ପରେ କୋହଲିଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ସେହି ସଫଳତା ଦୋହରାଇଛି। ଶାଣିତ ବୋଲିଂ କରି ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିବା ମହମ୍ମଦ ସାମି (୯-୦-୪୧-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ନିଲମ୍ବନ ଉଠିବା ପରେ ଜାତୀୟ ଦଳକୁ ଫେରିଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୧୦-୦-୪୫-୨) ମଧ୍ୟ ନିଜ ପ୍ରତ୍ୟାବର୍ତନର ପ୍ରଥମ ମ୍ୟାଚ୍‌ରେ ପୁରୁଣା ଯାଦୁ ଦେଖାଇଥିଲେ।
୨୪୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ରୋହିତ ଏବଂ ଶିଖର ଧାୱନ (୨୮)ଙ୍କ ଯୋଡ଼ି ପ୍ରଥମ ୱିକେଟ୍‌ରେ ୩୯ ରନ୍ ଯୋଡ଼ିଥିଲେ। ତେବେ ଦ୍ବିତୀୟ ୱିକେଟ୍‌ରେ କୋହଲି ଓ ରୋହିତ ସଂଗ୍ରହ କରିଥିବା ୧୧୩ ରନ୍ ଭାରତ ବିଜୟକୁ ସହଜ କରି ଦେଇଥିଲା। ରୋହିତ ୩୯ତମ ଏବଂ କୋହଲି ୪୯ତମ ଅର୍ଧଶତକ ଅର୍ଜନ କରିଥିଲେ। ଦୁଇ ଜଣ ଯାକ ଅବଶ୍ୟ ଶତକର ବହୁ ପୂର୍ବରୁ ନିଜ ନିଜ ୱିକେଟ୍ ହରାଇ ବସିଥିଲେ। ଏହା ପରେ ରାୟୁଡୁ-କାର୍ତିକ କମାଲରେ ଭାରତ ଲଗାତାର ତୃତୀୟ ମ୍ୟାଚ୍‌ରେ ବିଜୟର ସ୍ବାଦ ଚାଖିଥିଲା। ଅଧିନାୟକ ଭାବେ କୋହଲିଙ୍କର ଏହା ୪୭ତମ ବିଜୟ ଥିଲା। ୬୩ ମ୍ୟାଚ୍‌ରେ ନେତୃତ୍ବ ନେଇ ସର୍ବାଧିକ ବିଜୟ ହାସଲ କରିବାରେ ସେ ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର କ୍ଲାଇଭ୍ ଲୟଡ୍ ଓ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୫୦ ମ୍ୟାଚ୍ ଲେଖାଏଁ)ଙ୍କ ପଛକୁ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ରୋହିତ-କୋହଲି ସୋମବାର ମିଳିତ ଭାବେ ଷୋଡ଼ଶ ଶତକୀୟ ଭାଗୀଦାରି କରିଥିଲେ।
ପ୍ରଥମ ଦୁଇ ଦିନିକିଆରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଭାରତ ସୋମବାରର ତୃତୀୟ ମ୍ୟାଚ୍‌ରେ ମଧ୍ୟ ଏହି ଧାରା ଜାରି ରଖିଥିଲା। ନୂଆ ବଲ୍‌ରେ ଭାରତୀୟ ବୋଲର ସୋମବାର କିୱି ଦଳର ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍‌ଙ୍କୁ ମାତ୍ର ୫୯ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ହେଲେ ଅଭିଜ୍ଞ ରସ୍ ଟେଲର (୯୩) ଓ ଟମ୍ ଲାଥମ (୫୧) ଚତୁର୍ଥ ୱିକେଟ୍‌ରେ ୧୧୯ ରନ୍ ଯୋଡ଼ି ସ୍ଥିତି କିଛିଟା ସୁଧାରି ନେଇଥିଲେ। ଏହା ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଶୃଙ୍ଖଳାର ପ୍ରଥମ ଶତକୀୟ ଭାଗୀଦାରି ଥିଲା। ଏହା ପରେ ଭାରତୀୟ ବୋଲର ଯେମିତି ଘରୋଇ ଦଳ ଉପରେ ପୂରା ଭାରି ପଡ଼ିଥିଲେ। ମହମ୍ମଦ ସାମି ଓ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂରେ ଘାଇଲା ହୋଇ ନ୍ୟୁଜିଲାଣ୍ଡ ତା’ର ଶେଷ ୭ ୱିକେଟ୍ ମାତ୍ର ୬୫ ରନ୍‌ରେ ହରାଇ ଥିଲା। ଫଳରେ ଯେତିକି ରନ୍ କରିବା ଆଶାରେ ଥିଲା ତା’ଠାରୁ ବହୁ ପଛରେ ରହି ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ବର କୁମାର ଦୁଇଟି ଲେଖାଏଁ ୱିକେଟ୍ କରାୟତ କରିଥିଲେ। ସେପଟେ ନ୍ୟୁଜିଲାଣ୍ଡର ୪ ଜଣ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କ ଏବଂ ୩ ଜଣ ୧୫ ରନ୍ ଆଗକୁ ବଢ଼ି ପାରି ନଥିଲେ। ସେହିଭଳି କାର୍ତିକଙ୍କ ହାତରେ କ୍ୟାଚ୍ କରାଇ ଟେଲରଙ୍କୁ ସାମି ଶତକ ପୂରଣ କରିବାକୁ ଦେଇ ନଥିଲେ। ଟେଲର ନର୍ଭସ ନାଇଣ୍ଟିର ଶିକାର ହୋଇଥିଲେ।

Advertisment

ତୃତୀୟ ଦିନିକିଆ ସ୍କୋର‌୍‌ କାର୍ଡ

ନ୍ୟୁଜିଲାଣ୍ଡ୍‌ ପାଳି: ୨୪୩/୧୦
ଏମ୍‌. ଗପ୍ଟିଲ-କ-କାର୍ତିକ-ବୋ-ଭୁବନେଶ୍ବର-୧୩
କଲିନ୍‌ ମୁନ୍‌ରୋ-କ-ରୋହିତ-ବୋ-ସାମି-୦୭
କେ. ୱିଲିୟମ୍‌ସନ୍‌-କ-ପାଣ୍ଡ୍ୟା-ବୋ-ଚହଲ-୨୮
ରସ୍ ଟେଲର-କ-କାର୍ତିକ-ବୋ-ସାମି-୯୩
ଟମ୍ ଲାଥାମ୍‌-କ-ରାୟୁଡୁ-ବୋ‌-ଚହଲ-୫୧
ଏଚ୍‌ ନିକଲ୍ସ-କା-କାର୍ତିକ-ବୋ-ପାଣ୍ଡ୍ୟା-୦୬
ଏମ୍ ସାଣ୍ଟନର୍‌-କ-କାର୍ତିକ-ବୋ-ପାଣ୍ଡ୍ୟା- ୦୩
ଡଗ୍‌ ବ୍ରେସ୍‌ୱେଲ୍‌-ରନ୍‌ ଆଉଟ୍‌ (କୋହଲି)- ୧୫
ଈଶ ସୋଢ଼ି-କ-କୋହଲି-ବୋ-ସାମି-୧୨
ଟ୍ରେଣ୍ଟ୍‌ ବୋଲ୍‌ଟ-କ-ସାମି-ବୋ-ଭୁବନେଶ୍ବର-୦୨
ଲୋକି ଫର୍ଗୁସନ୍‌-ଅପରାଜିତ- ୦୨
ଅତିରିକ୍ତ- (ଏଲବି-୪, ୱାଇଡ୍‌-୭)-୧୧
ମୋଟ-(୪୯ ଓଭର, ଅଲ୍‌ଆଉଟ୍‌)-୨୪୩
ୱିକେଟ୍‌ ପତନ: ୧/୧୦, ୨/୨୬, ୩/୫୯, ୪/୧୭୮, ୫/୧୯୧, ୬/୧୯୮, ୭/୨୨୨, ୮/୨୩୯, ୯/୨୩୯, ୧୦/୨୪୩।
ବୋଲି˚: ଭୁବନେଶ୍ବର କୁମାର ୧୦-୧-୪୬-୨, ମହମ୍ମଦ ସାମି ୯-୦-୪୧-୩, ୟୁଜ୍‌ବେନ୍ଦ୍ର ଚହଲ୍‌ ୯-୦-୫୧-୨, ହାର୍ଦିକ ପାଣ୍ଡ୍ୟା ୧୦-୦-୪୫-୨, କୁଲଦୀପ ଯାଦବ ୮-୦-୩୯-୦, ‌କେଦାର ଯାଦବ ୩-୦-୧୭-୦।
ଭାରତ ପାଳି: ୨୪୫/୩
ରୋହିତ ଶର୍ମା-ଷ୍ଟ-ଲଥାମ-ବୋ-ସାଣ୍ଟନର-୬୨
ଶିଖର ଧାୱନ୍‌-କ-ଟେଲର-ବୋ-ବୋଲ୍‌ଟ-୨୮
ବିରାଟ କୋହଲି-କ-ନିକଲ୍ସ-ବୋ-ବୋଲ୍‌ଟ-୬୦
ଅମ୍ବାତି ରାୟୁଡୁ-ଅପରାଜିତ-୪୦
ଦୀନେଶ କାର୍ତିକ-ଅପରାଜିତ-୩୮
ଅତିରିକ୍ତ- (‌ବା-୧, ୱା-୧୬)-୧୭
ମୋଟ-(୪୩ ଓଭର, ୩ ୱିକେଟ୍‌)-୨୪୫
ୱିକେଟ୍‌ ପତନ: ୧/୩୯, ୨/୧୫୨, ୩/୧୬୮।
ବୋଲି˚: ଟ୍ରେଣ୍ଟ୍‌ ବୋଲ୍‌ଟ ୧୦-୧-୪୦-୨, ଡଗ୍‌ ବ୍ରେସ୍‌ୱେଲ୍‌ ୬-୦-୪୯-୦, ଲୋକି ଫର୍ଗୁସନ୍‌ ୧୦-୧-୫୭-୦, ମିଚେଲ୍ ସାଣ୍ଟନର୍‌ ୧୦-୦-୪୫-୧, ଈଶ୍‌ ସୋଢ଼ି ୭-୦-୫୩-୦।