ରାଞ୍ଚିରେ ବିଜୟ ସହ ୩-୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ମୂଳପୋଛ କଲା ଟିମ୍ ଇଣ୍ଡିଆ

ରାଞ୍ଚି: ରାଞ୍ଚିରେ ବିଜୟ ସହ ୩-୦ରେ ଶୃଙ୍ଖଳା ମୂଳପୋଛ କରିଛି ଭାରତ। ଗତକାଲି ବିଜୟଠାରୁ ମାତ୍ର ୨ ୱିକେଟ୍ ଦୂରରେ ଥିବା ଭାରତୀୟ ଦଳ ସକାଳେ ପଡ଼ିଆକୁ ଓହ୍ଲାଇ ଥିଲା, ଏହାପରେ ମାତ୍ର ୧୦ ମିନିଟରେ ଖେଳ ଶେ‌ଷ ହୋଇଯାଇଥିଲା। ମାତ୍ର ୧୨ଟି ବଲରେ ଦକ୍ଷିଣ ଆଫ୍ରିକାର ଦୁଇ ବ୍ୟଟସମ୍ୟାନ୍ ୱିକେଟ ହରାଇ ପାଭଲିଅନକୁ ଫେରି ଯାଇଥିଲେ। ନାଇଟ୍ ୱାଚମ୍ୟାନ୍  ଥିଉରନ୍ ଡି’ ବ୍ରୁଇନ ପ୍ରଥମେ ଆଉଟ୍ ହେବା ପରେ ନିଗିଡି ମଧ୍ୟ ପ୍ରଥମ ବଲରେ ଶହାବାଜ ନଦିମଙ୍କ ଦ୍ବାରା କଟ୍ ଆଣ୍ଡ ବୋଲ୍ଡ ହୋଇଯାଇଥିଲେ। ଫଳରେ ୧୩୩ ରନରେ ଦକ୍ଷିଣ ଆଫ୍ରିକାର ପାରି ସମାପ୍ତ ହୋଇ ଯାଇଥିଲା। ପୁନେ ଟେଷ୍ଟ୍‌କୁ ଚାରି ଦିନ ଭିତରେ ଜିତିଥିବା କୋହଲି ବାହିନୀ ରାଞ୍ଚିରେ ମଧ୍ୟ ସେହି ସଫଳତା ଦୋହରାଇଛି।

ଭାରତର ୪୯୭/୯ (ଘୋଷଣା) ଜବାବରେ ୧୬୨ ରନ୍ କରି ଫଲୋଅନ୍ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ମଧ୍ୟ ଅନୁରୂପ ଭାବେ ଘୋର ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିଲା। ସୋମବାର ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳିରେ ୮ ୱିକେଟ୍ ହରାଇ ମାତ୍ର ୧୩୨ ରନ୍ କରିବା ସହ ଆଉ ଏକ ଲଜ୍ଜାଜନକ ପରାଜୟ ଦ୍ବାର ଦେଶରେ ରହିଥିଲା ଦକ୍ଷିଣ ଆଫ୍ରିକା। ବଦଳ ଖେଳାଳି ଥିଉରନ୍ ଡି’ ବ୍ରୁଇନଙ୍କ ସଂଘର୍ଷପୂର୍ଣ୍ଣ ୩୦* ରନ୍ ପାଳି ପାଇଁ ଏହି ଦଳ ଆଜି କଷ୍ଟେମଷ୍ଟେ ଲଗାତାର ତୃତୀୟ ଟେଷ୍ଟ୍‌ ପରାଜୟକୁ ଅଟକାଇବାରେ ସକ୍ଷମ ହୋଇଥିଲା। ତେବେ ଆଉ ସଂପୂର୍ଣ୍ଣ ଦୁଇ ଦିନର ଖେଳ ବାକି ଥିବାରୁ ଭାରତ ବିଜୟ ପୂରା ପକ୍କା ହୋଇ ଯାଇଥିଲା। କେବଳ ଯାହା ଦକ୍ଷିଣ ଆଫ୍ରିକାକୁ ଦ୍ବିତୀୟ ଥର ଅଲଆଉଟ୍ କରିବାର ଔପଚାରିକତା ବାକି ରହିଥିଲା।

Zee News

ଏହା ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦଳର ବିଶ୍ବ କୀର୍ତ୍ତିମାନ ଭରା ଲଗାତାର ଏକାଦଶ ଶୃଙ୍ଖଳା ବିଜୟ। ଆରମ୍ଭରୁ ଭାରତ ନିୟନ୍ତ୍ରଣରେ ରହିଥିବା ରାଞ୍ଚି ଟେଷ୍ଟ୍‌ରେ ସୋମବାର ତୃତୀୟ ଦିନରେ ପାଖାପା‌ଖି ୧୦୦ ଓଭରର ଖେଳ ହୋଇଥିଲା। ସେଥିରେ ଭାରତୀୟ ବୋଲର ୨୮୫ ରନ୍ ବ୍ୟୟ କରି ଦକ୍ଷିଣ ଆଫ୍ରିକାର ୧୬ ୱିକେଟ୍ କରାୟତ କରିଥିଲେ। ଉଭୟ ପାଳିରେ ପାଞ୍ଚଟି ଲେଖାଏଁ ୱି‌କେଟ୍ ନେଇ ଦ୍ରୁତ ବୋଲର ଉମେଶ ଯାଦବ ଏବଂ ମହମ୍ମଦ ସାମି ହିଁ ଦକ୍ଷିଣ ଆଫ୍ରିକାକୁ ପୂରା ‌ଦୋହଲାଇ ‌ଦେଇଥିଲେ। ଫାଫ୍ ଡୁ’ ପ୍ଲେସିସ୍‌ଙ୍କ ଦଳକୁ ଘାଇଲା କରିବା ପାଇଁ ଉମେଶ-ସାମି ସଟ୍ ବଲ୍ ଓ ବିବଧ ଗତିକୁ ବାଣ କରିଥିଲେ।

ଦକ୍ଷିଣ ଆଫ୍ରିକା ଫଲୋଅନ୍
ପୂରା ଶୃଙ୍ଖଳାରେ ଭାରତୀୟ ବୋଲରଙ୍କୁ ବୁଝିବାରେ ଅସମର୍ଥ ହୋଇଥିବା ଦକ୍ଷିଣ ଆଫ୍ରିକା ନିଜ ପାଳି ଆରମ୍ଭରୁ ହିଁ ବାଟ ହୁଡ଼ିଥିଲା। ରବିବାର ପ୍ରଥମ ଦିନରେ ୫ ଓଭର ଖେଳି ଡିନ୍ ଏଲଗାର ଏବଂ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ହରାଇଥିଲା। ସୋମବାର ବି ଏହି ଧାରା ଜାରି ରହିଥିଲା। ଦିନର ପଞ୍ଚମ ବଲ୍‌ରେ ହିଁ ଉମେଶ ଏହି ଦଳର ଅଧିନାୟକ ଡୁପ୍ଲେସିସଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଯୁବ ତାରକା ଜୁବେର ହାମଜା (୬୨) ନିଜ ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ତେବେ ଅନ୍ୟପଟୁ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହେବା ସହ ଦକ୍ଷିଣ ଆଫ୍ରିକା ୫୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୨ ରନ୍ କରିଥିଲା। ଭାରତର ପଦାର୍ପଣକାରୀ ତଥା ସ୍ଥାନୀୟ ସ୍ପିନର ଶାହାବାଜ ନଦୀମ ପ୍ରତିପକ୍ଷ ଅଲରାଉଣ୍ଡର ତେମ୍ବା ବଭୁମାଙ୍କୁ ନିଜ ପ୍ରଥମ ଅନ୍ତର୍ଜାତୀୟ ଶିକାର କରିଥିଲେ। ସେ ମଧ୍ୟ ଆନରିକ ନୁର୍ତେଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକା ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ପ୍ରଥମ ପାଳି ଭିତ୍ତିରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ ପଛରେ ରହିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଫଲୋଅନ୍ ଡାକିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ତୁରନ୍ତ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ମଧ୍ୟ ସ୍ଥିତି ଯଥା ପୂର୍ବ ତଥା ପରଂ ରହିଥିଲା। ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ୨ ୱିକେଟ୍ ହରାଇ ପୁଣି ଥରେ ସଙ୍କଟରେ ପଡ଼ିଥିଲା। ଏଲଗାର ବ୍ୟକ୍ତିଗତ ୧୬ ରନ୍‌ରେ ଅବସର ଆହତ ହେବା ପରେ ଦକ୍ଷିଣ ଆଫ୍ରିକା ୱିକେଟ୍ କୋଳି ଭଳି ଝଡ଼ି ଚାଲିଥିଲା। ଶେଷ ୩ ବ୍ୟାଟ୍ସମ୍ୟାନ୍ କିଛି ସମୟ ଲଢ଼ିବାରୁ ଭାରତର ପାଳି ବିଜୟ ବିଳମ୍ବିତ ହୋଇଥିଲା। ଷ୍ଟମ୍ପ୍‌ ଅପସାରଣ ବେଳକୁ ଡି’ ବ୍ରୁଇନଙ୍କ ସହ ନୁର୍ତେ ୫ ରନ୍ କରି ଅପରାଜିତ ଥିଲେ।

ସମ୍ବନ୍ଧିତ ଖବର