ମାଇଲଖୁଣ୍ଟ ବିଜୟ: ୧୦୦୦ତମ ଦିନିକିଆକୁ ୬ ୱିକେଟ୍‌ରେ ଜିତିଲା ଭାରତ

ଚହଲ ଚମକରେ ଇଣ୍ଡିଜ୍ ଚିତ୍, ଟିମ୍‌ ଇଣ୍ଡିଆକୁ ବିଜୟ ଧାରାକୁ ଫେରାଇଲେ ‌େରାହିତ

ଅହମଦାବାଦ: ପ୍ରଥମ ଦଳ ଭାବେ ୧,୦୦୦ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳିଥିବା ଭାରତ ଏହି ମାଇଲଖୁଣ୍ଟ ମ୍ୟାଚ୍‌କୁ ସ୍ମରଣୀୟ କରିଛି। ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌କୁ ୬ ୱିକେଟ୍‌ରେ ପରାସ୍ତ କରି ୧-୦ରେ ଆଗୁଆ ହୋଇଯାଇଛି। ଭାରତ ବିଜୟରେ ଦୁଇସ୍ପିନର ୟୁଝବେନ୍ଦ୍ର ଚହଲ (୯.୫-୦-୪୯-୪) ଏବଂ ୱାସିଂଟନ୍ ସୁନ୍ଦର (୯-୧-୩୦-୩)ଙ୍କ ସହ ରବିବାର ପୂର୍ଣ୍ଣକାଳୀନ ସୀମିତ ଓଭର ଅଧିନାୟକ ଜୀବନ ଆରମ୍ଭ କରିଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା (୬୦ ରନ୍, ୫୧ ବଲ୍, ୧୦ ଚୌକା, ୧ ଛକା) ପ୍ରମୁଖ ଭୂମିକା ତୁଲାଇଥିଲେ। ଚହଲ ଓ ସୁନ୍ଦର ନିଜ ନିଜ ଭିତରେ ୭ ୱିକେଟ୍ ବାଣ୍ଟିନେଇ ୱେଷ୍ଟଇଣ୍ଡିଜ୍‌କୁ ମାତ୍ର ୧୭୬ ରନ୍ (୪୩.୫ ଓଭର)ରେ ଅଲଆଉଟ୍ କରି ଦେଇଥିଲେ। ଏହା ପରେ ରୋହିତ ଦ୍ରୁତ ଅର୍ଦ୍ଧଶତକ ଅର୍ଜନ କରି ଭାରତ ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ।

ପରେ ଅବଶ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲି (୮) ଏବଂ ଯୁବ ତାରକା ଋଷଭ ପନ୍ତ (୧୧)ଙ୍କ ସମେତ ମାତ୍ର ୩୨ ରନ୍‌ରେ ଭାରତ ୪ ୱିକେଟ୍ ହରାଇଥିଲା। ଫଳରେ ୱେଷ୍ଟଇଣ୍ଡିଜ୍ ପାଇଁ ମ୍ୟାଚ୍‌କୁ ଫେରିବାର ଆଶା ସଂଚାର ହୋଇଥିଲା। ତେବେ ମଧ୍ୟକ୍ରମ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ (୩୪*) ଏବଂ ପଦାର୍ପଣକାରୀ ଦୀପକ ହୁଦା (୨୬*) ଅବିଭାଜିତ ପଞ୍ଚମ ୱିକେଟ୍‌ରେ ୬୨ ରନ୍ ଯୋଡ଼ି ଭାରତକୁ ୧୩୨ ବଲ୍ ପୂର୍ବରୁ ସହଜ ବିଜୟ ଉପହାର ଦେଇଥିଲେ। ପୂରା ମ୍ୟାଚ୍ ମାତ୍ର ୭୧.୫ ଓଭରରେ ଶେଷ ହୋଇ ଯାଇଥିଲା। ଚହଲ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ମଧ୍ୟ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର ଏବଂ ପଞ୍ଚମ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ୍ ପୂରଣ କରିଥିଲେ। ପ୍ରଥମ ମ୍ୟାଚ୍ ଜିତିବା ପରେ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ପାଖରେ ଶୃଙ୍ଖଳା ବିଜୟର ସୁଯୋଗ ରହିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ୦-୩ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ରବିବାର ରୋହିତଙ୍କ ନେତୃତ୍ବରେ ବିଜୟ ଧାରାକୁ ଫେରିଥିଲା।

ସମ୍ବନ୍ଧିତ ଖବର