ନୂଆଦିଲ୍ଲୀ: ଠିକ୍ ୧୩ ବର୍ଷ ତଳେ ଏହି ତାରିଖ (ସେପ୍ଟେମ୍ବର ୧୪)ରେ ମହେନ୍ଦ୍ର ସିଂହ ଧୋନିଙ୍କ ମାଷ୍ଟରଷ୍ଟ୍ରୋକ୍ ଭାରତକୁ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ଭେଟି ଦେଇଥିଲା। ଏହା ଥିଲା ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣ ଏବଂ ଧୋନି ବାହିନୀ ଉଦ୍ଘାଟନୀ ସଂସ୍କରଣ ବିଜେତା ହୋଇଥିଲା। ଏହି ବିଶ୍ବକପ୍ର ସବୁଠୁ ଉଲ୍ଲେଖନୀୟ ଥିଲା ଫାଇନାଲ୍ରେ ବୋଲ୍ଆଉଟ୍। ଏହା ମଧ୍ୟ ସେହି ବିଶ୍ବକପ୍ରେ ଥିଲା ପ୍ରଥମ ବୋଲ୍ଆଉଟ୍। ଧୋନିଙ୍କ ନେତୃତ୍ବରେ ଭାରତ ଏହି ବିଶ୍ବକପ୍ର ପ୍ରଥମ ସଂସ୍କରଣ ଖେଳିଥିଲା। ଭାରତ ତା’ର ପ୍ରଥମ ମ୍ୟାଚ୍ ସ୍କଟ୍ଲାଣ୍ଡ୍ ବିପକ୍ଷରେ ଖେଳିବାର ଥିଲା। ହେଲେ ଟସ୍ ପଡ଼ିବା ପରେ ମ୍ୟାଚ୍ ପୂରା ଧୋଇ ଯାଇଥିଲା। ତେବେ ୨୦୦୭ ସେପ୍ଟେମ୍ବର ୧୪ ତାରିଖରେ ଭାରତ ଭେଟିଥିଲା ତା’ର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ। ରବିନ୍ ଉଥପ୍ପାଙ୍କ ଚମତ୍କାର ଅର୍ଧଶତକ ସହାୟତାରେ ଭାରତ ୧୪୧/୯ କରିଥିଲା। ଜବାବରେ ମିସ୍ବା ଉଲ୍ ହକ୍ଙ୍କ ଦମ୍ଦାର ଅର୍ଧଶତକ (୩୪ ବଲ୍ରୁ ୫୩) ସହାତାରେ ପାକିସ୍ତାନ ଲଢ଼ିଥିଲା। ଶେଷ ବଲ୍ ପୂର୍ବରୁ ପାକିସ୍ତାନ ସ୍କୋର୍ ସମାନ କରିଦେଇଥାଏ। ଶାନ୍ତାକୁମାର ଶ୍ରୀଶାନ୍ତ ଶେଷ ଓଭରରେ ୧୧ ରନ୍ ରନ୍ ଦେଇସାରିଥିଲେ। ଶେଷ ବଲ୍ରେ ବିଜୟ ପାଇଁ ପାକିସ୍ତାନକୁ ମାତ୍ର ୧ ରନ୍ ଦରକାର ଥିଲା। ହେଲେ ମିସ୍ବା ରନ୍ ଆଉଟ୍ ହୋଇଯିବାରୁ ମ୍ୟାଚ୍ ‘ଟାଇ’ ହୋଇଯାଇଥିଲା।
ମ୍ୟାଚ୍ ‘ଟାଇ’ ରହିଲେ ୬ ରାଉଣ୍ଡ୍ ବିଶିଷ୍ଟ ବୋଲ୍ଆଉଟ୍ରେ ବିଜେତା ନିର୍ଣ୍ଣୟ ହେବା ଆଇସିସିର ନିୟମ ରହିଥିଲା। ସେହି ଦୃଷ୍ଟିରୁ ବୀରେନ୍ଦ୍ର ସେହବାଗ୍ ପ୍ରଥମ ରାଉଣ୍ଡ୍ ବୋଲିଂ ପାଇଥିଲେ। ସେ ମଧ୍ୟ ଷ୍ଟମ୍ପ୍କୁ ବଲ୍ ହିଟ୍ କରିବାରୁ ଭାରତ ୧-୦ର ଅଗ୍ରଣୀ ପାଇଥିଲା। ଏହାପରେ ପାକିସ୍ତାନର ୟାସିର୍ ଆରାଫତ୍ଙ୍କ ବଲ୍ ଅଫ୍ ଷ୍ଟମ୍ପ୍ ବାହାରେ ଚାଲିଯାଇଥିଲା। ପରେ ପରେ ଏକାପରି ଭାରତ ପକ୍ଷରୁ ହରଭଜନ ସିଂହ ଓ ଉଥପ୍ପା ସଫଳ ହୋଇଥିଲା ବେଳେ ପାକିସ୍ତାନ ପକ୍ଷରୁ ଉମର ଗୁଲ୍ ଓ ସାହିଦ ଆଫ୍ରିଦି ଷ୍ଟମ୍ପ୍କୁ ହିଟ୍ କରିବାରେ ବିଫଳ ହୋଇଥିଲେ। ଫଳରେ ତୃତୀୟ ରାଉଣ୍ଡ୍ ବୋଲ୍ଆଉଟ୍ ସୁଦ୍ଧା ଭାରତ ୩-୦ରେ ଆଗୁଆ ହୋଇଯାଇଥିଲା। ଆଉ ସେହିଠାରୁ ହିଁ ମୁକାବିଲା ଶେଷ ହୋଇଯାଇଥିଲା। ଭାରତ ବିଜେତା ଘୋଷିତ ହୋଇଥିଲା। ତେବେ ଏଥିପାଇଁ ଧୋନିଙ୍କୁ ହିଁ ସବୁ ଶ୍ରେୟ ଯାଇଥିଲା। ସେ ବୋଲରମାନଙ୍କୁ ଠିକ୍ ମାର୍ଗରେ ପରିଚାଳିତ କରିଥିଲେ ଏବଂ ବୋଲରମାନେ ମଧ୍ୟ ଲକ୍ଷ୍ୟ ଭେଦ କରି ଷ୍ଟମ୍ପ୍କୁ ହିଟ୍ କରିଥିଲେ।
ଏଠାରେ ସୂଚନାଯୋଗ୍ୟ, ଏହି ବିଶ୍ବକପ୍ ପୂର୍ବରୁ ଭାରତ ତା’ର ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଡିସେମ୍ବର ୨୦୦୬ରେ ଖେଳିଥିଲା। ବୀରେନ୍ଦ୍ର ସେହବାଗ୍ଙ୍କ ନେତୃତ୍ବରେ ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଖେଳାଯାଇଥିଲା। ସେହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍କୁ ଭାରତ ଗୋଟିଏ ବଲ୍ ପୂର୍ବରୁ ୬ ୱିକେଟ୍ରେ ଜିତି ନେଇଥିଲା। ୨୮ ବଲ୍ରୁ ଅପରାଜିତ ୩୧ ରନ୍ କରି ମ୍ୟାଚ୍ ଶେଷ କରିଥିବା ଦୀନେଶ କାର୍ତିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।