ପ୍ରଥମ ଟ୍ବେଣ୍ଟି-୨୦କୁ ୬ ୱିକେଟ୍‌ରେ ଜିତିଲା ଭାରତ

କୋଲକାତା : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ବୁଧବାର ଇଣ୍ଡିଜ୍ ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ଏହାକୁ ୭ ବଲ୍ ପୂର୍ବରୁ ୪ ୱିକେଟ୍ ବିନିମୟରେ ହାସଲ କରି ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ୨୦୧୮ ମସିହା ପରେ ଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ଦଶମ ଟି-୨୦ ମ୍ୟାଚ୍‌ରୁ ଭାରତ ନବମ ବିଜୟ ଅର୍ଜନ କରିଛି। ତା ସହିତ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରସ୍ତୁତି ପ୍ରଭାବୀ ବିଜୟରୁ ଆରମ୍ଭ କରିଛି। ଘରୋଇ ପରିବେଶରେ ବି ଲଗାତାର ଚତୁର୍ଥ ବିଜୟ ପାଇଛି। ଏହା ପୂର୍ବରୁ ଖେଳାଯାଇଥିବା ଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଟିମ୍ ଇଣ୍ଡିଆ ଲଗାତାର ୩ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ କରିବା ସହ ଶୃଙ୍ଖଳା ପୋଛି ନେଇଥିଲା। ଘରୋଇ ଭାରତ ପକ୍ଷରୁ ଆଜି ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୦, ଓପନର ଈଶାନ କିଶନ ୩୫ ଏବଂ ସୂର୍ଯ୍ୟକୁମାର ଯାଦବ ୩୪* ରନ୍ କରିଥିଲେ। ଛକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିବା ଭେଙ୍କଟେଶ ଆୟର ୨୪ ରନ୍‌ରେ ଅପରାଜିତ ରହିଥିଲେ। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ୍ ରକ୍ଷକ ବ୍ୟାଟର୍ ଋଷଭ ପନ୍ତଙ୍କ ବିଫଳତା ଧାରା କିନ୍ତୁ ପ୍ରଶଂସକଙ୍କୁ ପୁଣି ଥରେ ବ୍ୟଥିତ କରିଥିଲା।

ବିଷ୍ଣୋଇଙ୍କ ପ୍ରଭାବୀ ପଦାର୍ପଣ
ବୁଧବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ପ୍ରଥମ ଓଭରରେ ବ୍ରେଣ୍ଡନ୍ କିଙ୍ଗ୍‌ଙ୍କୁ ପ୍ୟାଭିଲିୟନ ଫେରାଇବା ପରେ ୟୁଝବେନ୍ଦ୍ର ଚହଲ, ରାଜସ୍ଥାନର ପଦାର୍ପଣକାରୀ ସ୍ପିନର ରବି ବିଷ୍ଣୋଇ ଏବଂ ଦ୍ରୁତ ବୋଲର ହର୍ଷଲ ପଟେଲ ମିଳିତ ଭାବେ ଏହି ଦଳକୁ ୧୫୭/୭ରେ ଅଟକାଇ ଦେଇଥିଲେ। ୨୧ ବର୍ଷୀୟ ବିଷ୍ଣୋଇ ଗୋଟିଏ ଓଭରରେ ରସ୍ତନ୍ ଚେଜ୍ ଏବଂ ରୋଭମନ ପାୱେଲଙ୍କୁ ଆଉଟ୍ କରି ନିଜ ଅସାଧାରଣ ପ୍ରତିଭାର ପରିଚୟ ‌ଦେଇଥିଲେ। ମାତ୍ର ୧୭ ରନ୍‌ରେ ୨ ୱିକେଟ୍ ନେଇ ସେ ବି ଭାରତର ସଫଳତମ ବୋଲର ‌ହୋଇଥିଲେ। ଇଣ୍ଡିଜ୍‌ର ଏକମାତ୍ର ବ୍ୟାଟର୍ ଭାବେ ନିକୋଲାସ୍ ପୂରନ ଆତ୍ମବିଶ୍ବାସର ସହ ଭାରତୀୟ ବୋଲରଙ୍କୁ ମୁକାବିଲା କରିଥିଲେ। ତାଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ହିଁ ଭ୍ରମଣକାରୀ ଦଳ ଦେଢ଼ ଶହ ରନ୍ ପାରି କରିବାର ସମ୍ମାନ ସାଉଣ୍ଟିଥିଲା। ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ମ୍ୟାଚ୍ ଖେଳି ପାରିନଥିବା ଅଧିନାୟକ କିରଣ ପୋଲାର୍ଡ ସପ୍ତମ ସ୍ଥାନରେ ଖେଳି ୧୯ ବଲ୍‌ରୁ ୨୪* ରନ୍‌ର ତୋଫାନି ପାଳି ‌ଖେଳିଥିଲେ। ହର୍ଷଲ ଶେଷ ବଲ୍‌ରେ ଓଡେନ୍ ସ୍ମିଥ୍ ଏବଂ ପୂରନଙ୍କ ବହୁମୂଲ୍ୟ ୱିକେଟ୍ ନେଇ ଭାରତୀୟ ପ୍ରଶଂସକଙ୍କ ମୁହଁରେ ଖୁସିର ଲହରି ଖେଳାଇ ଦେଇଥିଲେ। ରବି ବିଷ୍ଣୋଇ ତାଙ୍କ ଶାଣିତ ସ୍ପିନ୍‌ ବୋଲିଂ ପାଇଁ ପଦାର୍ପଣରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ହାତଗଣତି ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର