ମେଲ୍ବର୍ଣ୍ଣ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ସୁପର୍ ସନ୍ଡେରେ ପରିଣତ ହୋଇଥିଲା। ଆଉ ଏକ ବିପର୍ଯ୍ୟୟ ସହିତ ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ ହୋଇଯାଇଛି। ବୁଧବାର ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍-ପାକିସ୍ତାନ ଏବଂ ଗୁରୁବାର ଦ୍ବିତୀୟ ସେମିଫାଇନାଲ୍ରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ରବିବାର ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକାର ଅପ୍ରତ୍ୟାଶିତ ପରାଜୟ ସବୁ ଆକଳନକୁ ଓଲଟପାଲଟ କରି ଦେଇଥିଲା। ଭାରତକୁ ଶେଷ ଲିଗ୍ ଖେଳିବା ପୂର୍ବରୁ ସେମିଫାଇନାଲ୍ ଟିକେଟ୍ ମିଳିଯାଇଥିଲା। ଅନ୍ୟପକ୍ଷରେ କ୍ଷୀଣ ସୁଯୋଗ ରଖିଥିବା ପାକିସ୍ତାନ ଓ ବାଂଲାଦେଶକୁ ଉଜ୍ଜୀବିତ କରିଦେଇଥିଲା। ତେବେ ବାଂଲାଦେଶକୁ ହରାଇ ପାକିସ୍ତାନ ସେମିଫାଇନାଲ୍ ସ୍ଥାନ ପକ୍କା କରି ନେଇଥିଲା। ଶେଷରେ ଜିମ୍ବାୱେକୁ ହରାଇ ଭାରତ ଗ୍ରୁପ୍ ବିଜେତା ହୋଇଥିଲା। ସୁପର୍-୧୨ର ଗ୍ରୁପ୍-୨ରେ ଭାରତ କେବଳ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲେ ମଧ୍ୟ ଅବଶିଷ୍ଟ ୪ ମ୍ୟାଚ୍ ଜିତି ଉଭୟ ଗ୍ରୁପ୍ରେ ସର୍ବାଧିକ ୮ ପଏଣ୍ଟ ପାଇଥିଲା।
ମେଲ୍ବର୍ଣ୍ଣ କ୍ରିକେଟ୍ ପଡ଼ିଆରେ ଭାରତ ୭୧ ରନ୍ରେ ଜିମ୍ବାୱେକୁ ପରାସ୍ତ କରିଥିଲା। କେଏଲ୍ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୧୮୬ ରନ୍ କରିବା ପରେ ଆଫ୍ରିକୀୟ ଦଳକୁ ୧୧୫ ରନ୍ରେ ରୋକି ଦେଇଥିଲା। ଟସ୍ ଜିତି ଭାରତ ବ୍ୟାଟିଂ କରିବା ପରେ ଜଗିରଖି ଖେଳିଥିଲା। ରୋହିତ ଶର୍ମା ୧୩ ବଲ୍ରୁ ୧୫ ରନ୍ କରିବା ପରେ ନିଜ ଫେଭରିଟ୍ ସଟ୍ ମିଡ୍ୱିକେଟ୍ ଉପରେ ଛକା ମାରିବାକୁ ଯାଇ ଧରାପଡ଼ିଯାଇଥିଲେ। ବିରାଟ କୋହଲି ମଧ୍ୟ ରନ୍ ବଲ୍ ଖେଳି ୨୬ ରନ୍ କରିଥିଲେ। ରାହୁଲ କିନ୍ତୁ କିଛି ଦର୍ଶନୀୟ ସଟ୍ ଖେଳି ୩୫ ବଲ୍ରୁ ୫୧ ରନ୍ କରିଥିଲେ। ସିକନ୍ଦର ରାଜାଙ୍କୁ ଛକା ମାରି ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ବଲ୍ରେ ଏହାକୁ ଦୋହରାଇବାକୁ ଚେଷ୍ଟା କରି ଆଉଟ୍ ହୋଇଯାଇଥିଲେ। ସୂର୍ଯ୍ୟକୁମାର ଯାଦବ କିନ୍ତୁ ପୁଣି ତାଙ୍କ ତେଜରେ ଜିମ୍ବାୱେକୁ ଜାଳି ଦେଇଥିଲେ। ୨୫ ବଲ୍ରୁ ୬୧ ରନ୍ର ପାଳି ଖେଳି ଅପରାଜିତ ରହିଥିଲେ। ମେଲ୍ବର୍ଣ୍ଣ ରାତିରେ ସୂର୍ଯ୍ୟଙ୍କ ଜଲୱାରେ ୪ ଛକା ଓ ୬ ଚୌକା ସାମିଲ ଥିଲା।
ସୂର୍ଯ୍ୟଙ୍କ ପାଇଁ ଭାରତ ଶେଷ ୫ ଓଭରରୁ ୭୯ ରନ୍ ଆଦାୟ (୧୮, ୧୨, ୧୫, ୧୩, ୨୧) କରିଥିଲା। ଏହି ୫ ଓଭର ଭିତରେ ସୂର୍ଯ୍ୟ ଏକା ୧୯ ବଲ୍ରୁ ୫୬ ରନ୍ ଆଦାୟ କରିଥିଲେ। ହାର୍ଦିକ ପାଣ୍ଡ୍ୟା (୧୮ ବଲ୍ରୁ ୧୮ ରନ୍)ଙ୍କ ସହିତ ୬୫ ରନ୍ (୫.୫ ଓଭର) ଭାଗୀଦାରି ମଧ୍ୟ କରିଥିଲେ। ଜବାବରେ ଭାରତ ପ୍ରଥମ ବଲରୁ ହିଁ ୱିକେଟ୍ ଦଖଲ ଅଭିଯାନ ଆରମ୍ଭ କରି ଜିମ୍ବାୱେ ପାଳିକୁ ୧୭.୨ ଓଭରରେ ୧୧୫ ରନ୍ରେ ଶେଷ କରିଦେଇଥିଲା। ରବିଚନ୍ଦ୍ରନ ଅଶ୍ବିନ (୩/୨୨) ସଫଳ ବୋଲର ଥିବାବେଳେ ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟା ୨ ଲେଖାଏଁ ୱିକେଟ୍ ନେଇଥିଲେ। ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅକ୍ଷର ପଟେଲ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତେବେ ଚଳିତ ସଂସ୍କରଣରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଧିନାୟକ ଭାବେ ରୋହିତ ଶର୍ମା ରବିବାର ୫୦ତମ ମ୍ୟାଚ୍ରେ ନେତୃତ୍ବ ନେଇଥିବା ବେଳେ ୩୯ତମ ବିଜୟ ପାଇ ୭୮ ପ୍ରତିଶତ ସଫଳତା ପାଇଛନ୍ତି। ପ୍ରଥମ ଥର ବିଶ୍ବକପ୍ରେ ନେତୃତ୍ବ ନେଇ ସେ ୪-୧ରେ ଆଗୁଆ ଅଛନ୍ତି।
ଦକ୍ଷିଣ ଆଫ୍ରିକାକୁ ବିଦା କଲା ନେଦରଲାଣ୍ଡ୍ସ
ରବିବାର ସକାଳର ପ୍ରଥମ ମ୍ୟାଚ୍ ଥିଲା ଗ୍ରୁପ୍-୨ ଓଲଟପାଲଟର ସୂତ୍ରଧର। ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିବା ନେଦରଲାଣ୍ଡ୍ସ ଆଡିଲେଡ୍ରେ ୧୩ ରନ୍ରେ ହରାଇ ଦେଇଥିଲା ଶକ୍ତିଶାଳି ତଥା ଅନ୍ୟତମ ଦାବିଦାର ଦକ୍ଷିଣ ଆଫ୍ରିକାକୁ। ପ୍ରଥମ ୪ ବ୍ୟାଟର୍ଙ୍କ ଜରିଆରେ ନେଦରଲାଣ୍ଡ୍ସ ୧୫୮ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। କଲିନ୍ ଆକରମ୍ୟାନ୍ (୨୬ ବଲ୍ରୁ ୪୧* ରନ୍), ଷ୍ଟିଫାନ୍ ମାଏବୁର୍ (୩୦ ବଲ୍ରୁ ୩୭ ରନ୍) ଏବଂ ଟିମ୍ କୁପର୍ (୧୯ ବଲ୍ରୁ ୩୫ ରନ୍) ନିର୍ଣ୍ଣାୟକ ପାଳି ଖେଳିଥିଲେ। ଜବାବରେ ପ୍ରତି ଦକ୍ଷିଣ ଆଫ୍ରିକୀୟ ବ୍ୟାଟର୍ ଭଲ ଆରମ୍ଭ କରିଥିଲେ ମଧ୍ୟ ୱିକେଟ୍ ହରାଇ ଚାଲିଥିଲେ। ସର୍ବାଧିକ ୨୫ ରନ୍ କରିଥିଲେ ରିଲି ରୁସୋ। ବ୍ରେଣ୍ଡନ୍ ଗ୍ଲୋଭର (୨-୦-୯-୩), ଫ୍ରେଡ୍ କ୍ଲାସେଁ (୪-୦-୨୦-୨), ବାସ୍ ଡି’ ଲିଡ୍ (୩-୦-୨୫-୨) ଦକ୍ଷିଣ ଆଫ୍ରିକା ପାଳିକୁ ଅସ୍ତବ୍ୟସ୍ତ କରି ଦେଇଥିଲେ। ତେମ୍ବା ବାଭୂମାଙ୍କ ଦଳ ୧୪୫/୮ରେ ସୀମିତ ରହିଯାଇଥିଲା। କଲିନ୍ ଆକରମ୍ୟାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ଗତବର୍ଷ ଭଳି ମଧ୍ୟ ସେମିଫାଇନାଲ୍ ପୂର୍ବରୁ ବିଦାୟ ନେଇଗଲା। ନେଦରଲାଣ୍ଡ୍ସ ୫ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ସହ ଆସନ୍ତା ସଂସ୍କରଣ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ଅର୍ଜନ କରିନେଇଛି।
ସଂକ୍ଷିପ୍ତ ସ୍କୋର: ନେଦରଲାଣ୍ଡ୍ସ ୨୦ ଓଭରରେ ୧୫୮/୪ (କଲିନ୍ ଆକରମ୍ୟାନ୍-୪୧*, ଷ୍ଟିଫନ୍ ମାଏବୁର୍-୩୭, ଟମ୍ କୁପର-୩୫, ମ୍ୟାକ୍ସ ୱଦାୱଦ-୨୯, କେଶବ ମହାରାଜ-୨/୨୭, ଅନରିକ୍ ନର୍ଖିୟା-୧/୧୦, ଏଦୈନ ମାରକ୍ରମ-୧/୧୬)। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୪୫/୮ (ରିଲି ରୁସୋ-୨୫, ହେନରିକ୍ କ୍ଲାସେଁ-୨୧, ତେମ୍ବା ବଭୂମା-୨୦, ବ୍ରେଣ୍ଡନ୍ ଗ୍ଲୋଭର୍-୩/୯, ଫ୍ରେଡ୍ କ୍ଲାସେଁ-୨/୨୦, ବାସ୍ ଡି’ଲିଡ୍-୨/୨୬, ପଲ୍ ଭାନ୍ ମିକେରନ୍-୧/୩୩)।
ପାକିସ୍ତାନକୁ ଜିତାଇଲେ ଆଫ୍ରିଦି
ଆଡିଲେଡ୍ରେ ରବିବାର ପାକିସ୍ତାନ-ବାଂଲାଦେଶ ମୁକାବିଲା ବେଳକୁ ଉଭୟ ଦଳ ପାଇଁ ଏହା କ୍ବାର୍ଟରଫାଇନାଲ୍ ସଦୃଶ ହୋଇସାରିଥିଲା। ବିଜୟୀ ଦଳ ସେମିଫାଇନାଲ୍ ଖେଳିବାକୁ ପଥ ପରିସ୍କାର ଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମଧ୍ୟ ୧୦ ଓଭର ସୁଦ୍ଧା ୧ ୱିକେଟ୍ ହରାଇ ୭୦ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲା। ୨୦୦୯ ବିଜେତା ପାକିସ୍ତାନ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ଏକାଦଶ ଓଭରରେ ସଦାବ ଖାନ୍ ଲଗାତାର ବଲ୍ରେ ସୌମ୍ୟ ସରକାର ଓ ସାକିବ୍ ଅଲ୍ ହାସନଙ୍କୁ ପ୍ୟାଭିଲିଅନ୍ ପଠାଇ ବାଂଲାକୁ ରୋକିଥିଲେ। ଏହା ପରେ ସାହିନ୍ ସାହା ଆଫ୍ରିଦି (୪-୦-୨୨-୪)ଙ୍କ ଘାତକ ବୋଲିଂ ସାଙ୍ଗକୁ ସ୍ପିନରଙ୍କ ମିତବ୍ୟୟୀ ବୋଲିଂ ବାଂଲାଦେଶକୁ ବାଟ ଛାଡିନଥିଲା। କଷ୍ଟେମଷ୍ଟେ ବାଂଲାଦେଶ ୧୨୭/୮ରେ ଅଟକି ଯାଇଥିଲା। ବାଂଲା ପାଇଁ କିନ୍ତୁ ପ୍ରାରମ୍ଭିକ ବ୍ୟାଟର୍ ନଜମୁଲ୍ ହୋସେନ୍ ସାଣ୍ଟୋ (୪୮ ବଲ୍ରୁ ୫୪ ରନ୍) ଭଲ ପାଳି ଖେଳିଥିଲେ। ହେଲେ ଏହା ଯଥେଷ୍ଟ ହୋଇନଥିଲା। ପାକିସ୍ତାନ ୧୨୮ ରନ୍ ଲକ୍ଷ୍ୟକୁ ହାସଲ ପାଇଁ ୧୮.୧ ଓଭର ଖେଳିଥିଲା। ସତର୍କତାର ସହ ବ୍ୟାଟିଂ କରି ପ୍ରାରମ୍ଭିକ ଯୋଡ଼ି ମହମ୍ମଦ ରିଜୱାନ (୩୨ ବଲ୍ରୁ ୩୨ ରନ୍) ଏବଂ ବାବର ଆଜମ (୩୩ ବଲ୍ରୁ ୨୫ ରନ୍) ୧୦.୩ ଓଭରରେ ୫୭ ରନ୍ ଉଠାଇଥିଲେ। ମହମ୍ମଦ ହାରିସ୍ (୧୮ ବଲ୍ରୁ ୩୧ ରନ୍) ଏବଂ ଶାନ୍ ମାସୁଦ୍ (୧୪ ବଲ୍ରୁ ୨୪* ରନ୍) ମ୍ୟାଚ୍କୁ ହାତଛଡ଼ା ହେବାକୁ ଦେଇନଥିଲେ। ପାକିସ୍ତାନ ଶେଷରେ ୫ ୱିକେଟ୍ର ବିଜୟ ସହ ସେମିଫାଇନାଲ୍ ପ୍ରବେଶ କରିଥିଲା। ଆଫ୍ରିଦି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୨୭/୮ (ନଜମୁଲ ହୋସେନ ସାଣ୍ଟୋ-୫୪, ଅଫିଫ ହୋସେନ୍-୨୪, ସାହିନ ସାହା ଆଫ୍ରିଦି-୪/୨୨, ସଦାବ ଖାନ୍-୨/୩୦, ଇଫତିକାର ଅହମ୍ମଦ-୧/୧୫, ହାରିସ୍ ରୌଫ-୧/୨୧)। ପାକିସ୍ତାନ ୧୮.୧ ଓଭରରେ ୧୨୮/୫ (ମହମ୍ମଦ ରିଜୱାନ-୩୨, ମହମ୍ମଦ ହାରିସ୍-୩୧, ବାବର ଆଜମ-୨୫, ଶାନ୍ ମାସୁଦ୍-୨୪*, ନସୁମ ଅହମ୍ମଦ-୧/୧୪, ମୁସ୍ତାଫିଜୁର ରେହମାନ-୧/୨୧, ଏବାଦତ ହୋସେନ୍-୧/୨୫, ସାକିବ୍ ଅଲ୍ ହାସନ୍-୧/୩୫)।