ସେହି ବର୍ଷ ଏହି ତାରିଖ, ୧୮ ବର୍ଷ ତଳେ ଭାରତ ନ୍ୟାଟ୍‌ୱେଷ୍ଟ୍‌ ‌ଟ୍ରଫି ଜିତିଥିଲା

ନିଜକୁ ଅମିତାଭ ବଚ୍ଚନ ଭଳି ଅନୁଭବ କରିଥିଲି: କୈଫ୍‌

ନୂଆଦିଲ୍ଲୀ: ଜୁଲାଇ ୧୩ (୨୦୦୨ ମସିହା) ଭାରତୀୟ କ୍ରିକେଟ୍‌ ପ୍ରଶଂସକମାନଙ୍କ ଏକ ସ୍ମରଣୀୟ ଦିନ। ୧୮ ବର୍ଷ ତଳେ ଏହି ଦିନ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଐତିହାସିକ ଲର୍ଡସ ପଡ଼ିଆରେ ଇଂଲଣ୍ଡକୁ ହରାଇ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଜିତିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଧାରିତ ୫୦ ଓଭରରେ ୩୨୫/୫ କରିଥିଲା। ମାର୍କସ ଟ୍ରେସ୍କୋଥିକ (୧୦୯) ଓ ଅଧିନାୟକ ନାସିର ହୁସେନ (୧୧୫) ଶତକ ହାସଲ କରିଥିଲେ। ଏହାର ଜବାବରେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ‌ଗାଙ୍ଗୁଲି ଓ ବୀରେନ୍ଦ୍ର ସେହବାଗ ପ୍ରଥମ ୱିକେଟ୍‌ରେ ୧୦୬ ରନ୍‌ କରି ଦୃ୍‌ଢ଼ ମୂଳଦୁଆ ପକାଇଥିଲେ। ହେଲେ ଏହି ଦୁଇ ଜଣଙ୍କ ବିଦାୟ ପରେ ଭାରତର ୱିକେଟ୍‌ ତାସ ଘର ଭଳି ଭାଙ୍ଗି ପଡ଼ିଥିଲା। ଦଳ ୨୪ ଓଭର‌ ବେଳକୁ ୧୪୬/୫ରେ ସଂଘର୍ଷ କରିଥିଲା। ଗାଙ୍ଗୁଲିଙ୍କ ପରେ ସେହବାଗ, ଦୀନେଶ ମୋଙ୍ଗିଆ, ରାହୁଲ ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ପାଭିଲିୟନକୁ ଲାଇନ୍‌ ଲଗାଇଥିଲେ।

ତେବେ ଯୁବରାଜ ସିଂହଙ୍କ ସହ ମହମ୍ମଦ କୈଫ୍‌ ମିଶି ସ୍ଥିତି ସମ୍ଭା‌ଳି ନେଇଥିଲେ। ଉଭୟ ନିଜ ନିଜର ଅର୍ଧଶତକ ପୂରଣ କରିବା ସହ ମଧ୍ୟକ୍ରମରେ ୧୦୬ ବଲ୍‌ରୁ ୧୨୧ ରନ୍‌ ସଂଗ୍ରହ କରି ଦଳକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ହେଲେ ଯୁବି (୬୯ ରନ୍‌)ଙ୍କୁ ପଲ୍‌ କଲିଂଉଡ୍‌ ଆଉଟ୍‌ କରି ଇଂଲଣ୍ଡ ଶିବିରରେ ଖୁସି ଖେଳାଇ ଥିଲେ। ଏହା ପରେ ହରଭଜନ ସିଂହଙ୍କ ସହ କୈଫ୍‌ ୪୭ ରନ୍‌ର ଭାଗୀଦାରି ଗଢ଼ି ଭାରତକୁ ବିଜୟର ନିକଟତର କରିଥିଲେ। ଭଜିଙ୍କୁ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ ଆଉଟ୍‌ କରିବା ପରେ ଅନିଲ କୁମ୍ବଲେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ହେଲେ କୈଫ୍‌ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩ ବଲ୍‌ ପୂର୍ବରୁ ଭାରତକୁ ୨ ୱିକେଟ୍‌ରେ ଐତିହାସିକ ବିଜୟ ଭେଟି ଦେଇଥିଲେ। କୈଫ୍‌ (୮୭*, ୭୫ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଜୟ ପରେ ଗାଙ୍ଗୁଲି ଲର୍ଡସ ବାଲ୍‌‌କୋନିରେ ସାର୍ଟ ଖୋଲି ଉତ୍ସବ ପାଳନ କରିଥିଲେ। ଏହି ମୁହୂର୍ତ୍ତ ଏବେ ବି ସମସ୍ତ ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ମନରୁ ଲିଭି ନାହିଁ।

୨୦୦୨ ମସିହା ଜୁଲାଇ ୧୩ ତାରଖରେ ଲର୍ଡସ ଖେଳାଯାଇଥିବା ନ୍ୟାଟ୍‌ୱେଷ୍ଟ୍‌ ଶୃଙ୍ଖଳାର ଫାଇନାଲ୍‌ରେ ଇଂଲଣ୍ଡକୁ ୩ ବଲ୍‌ ପୂର୍ବରୁ ୨ ଓ୍ବିକେଟ୍‌ରେ ହରାଇ ଭାରତ ଟ୍ରଫି ଜିତିଥିଲା। ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ (୬୯) ଓ ମହମ୍ମଦ କୈଫ୍‌ (୮୭*)। ଭାରତୀୟ ଦଳ ସ୍ବଦେଶ ଫେରିଲା ପରେ କୈଫ୍‌ ନିଜ ଘରୋଇ ସହର ଆଲ୍ଲାହାବାଦ ଯାଇଥିଲେ। ସେଠାରେ ଉତ୍ସବ ପାଳନ ଦେଖି କୈଫ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେହି ପୁରୁଣା ସ୍ମୃତିକୁ ମନେ ପକାଇ କୈଫ୍‌ କହିଛନ୍ତି ଯେ ଆଲ୍ଲାହାବାଦ ଏଭଳି ଉତ୍ସବ ପାଳନ କରାଯାଉଥିଲା ଯେ ମୁଁ ନିଜକୁ ନିୟନ୍ତ୍ରଣ କରି ପାରିନଥିଲି। ମୁଁ ଶାନ୍ତ ସ୍ବାଭାବର ହୋଇଥିବାରୁ ସିଧା ଘରକୁ ଫେରି ଆସିଥିଲି। କିନ୍ତୁ ‌ଲୋକେ ମୋ ପଛେ ପଛେ ଘର ନିକଟକୁ ‌ପଳାଇ ଆସିଥିଲେ। ସେହି ସମୟରେ ମା’ ସମସ୍ତଙ୍କୁ ଚା’ ଓ ସ୍ନାକ୍ସ ଦେଇଥିଲେ। ଗଣମାଧ୍ୟମ ମଧ୍ୟ ପୂରା ପିଛାରେ ପଡିଥିଲା। ଯମୁନା କୂଳରେ ମୁଁ ଗୁଡ଼ି ଉଡ଼ାଇବାକୁ ଭଲ ପାଏ। ସେଠାରେ ମଧ୍ୟ ପହଞ୍ଚି ଯାଇଥିଲେ। କହୁଥିଲେ ‘ଦେଖ କୈଫ୍‌ ଆଜି ଗୁଡ଼ି ଉଡ଼ାଉଛନ୍ତି।’ ସେମାନଙ୍କୁ କହିଥିଲି ପିଲାଦିନରୁ ଏଠାରେ ମୁଁ ଗୁଡ଼ି ଉଡ଼ାଇ ଆସୁଛି। ସେହି ସମୟରେ ସେମାନଙ୍କ ପ୍ରତିକ୍ରିୟାକୁ ବୁଝିବାକୁ ମୋତେ କିଛି ସମୟ ଲାଗିଥିଲା ବୋଲି କୈଫ୍‌ ପ୍ରକାଶ କରିଛନ୍ତି।

ସେଦିନର ଆଉ ଗୋଟେ କଥା ମୋର ମନେ ପଡ଼ୁଛି। ‌‌ଯେତେବେଳେ ମୁଁ ଘରଠୁ ଆଲ୍ଲାହାବାଦ ଫେରିଥିଲି। ‌ମୋତେ ଖୋଲା ଜିପ୍‌ ଶୋଭାଯାତ୍ରାରେ ନିଆଯାଇଥିଲା। ଆମ ଘରଠୁ ୫-୬ କିମି ରାସ୍ତାରେ ୪ ଘଣ୍ଟା ଧରି ଏହା ଚାଲିଥିଲା।‌ ଲୋକମାନେ ଗାଲରେ ବିଭିନ୍ନ ଚିତ୍ର ବିଚିତ୍ର କରିବା ସହ ଲାଇନ୍‌ କରି ରାସ୍ତାକଡ଼ରେ ଠିଆ ହୋଇ ମୋତେ ସ୍ବାଗତ କରୁଥିଲେ। ସେହିଦିନ ମୋତେ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ ହୋଇଥିଲା। ମୁଁ ଯେତେ ବେଳେ ଛୁଆଟିଏ ଥିଲି ଅମିତାଭ ବଚ୍ଚନ ନିର୍ବାଚନ ଜିତିଲା ପରେ ଏକ ଖୋଲା ଜିପ୍‌ରେ ଆମ ସହର ବୁଲିବାକୁ ଆସିଥିଲେ। ଏହାକୁ ମୁଁ ଦେଖିଥିଲି। ଏହି କଥା ମନେ ପକାଇ ଏଭଳି ଅନୁଭବ କରିଥିଲି ବୋଲି ୩୫ ବର୍ଷୀୟ କୈଫ୍‌ କହିଛନ୍ତି। ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ବିଜୟ ଭାରତୀୟ କ୍ରିକେଟ୍‌କୁ କିଛି ପରିମାଣରେ ବଦଳାଇଥିଲା। ଏହା ଆମକୁ ଶିଖାଇଥିଲା ଯେ ବଡ଼ ସ୍କୋର୍‌କୁ ପିଛା କରିହେବ ଏବଂ ବଡ଼ ଫାଇନାଲ୍‌ ଜିତିହେବ। ଏହି ମ୍ୟାଚ୍‌କୁ ଭାରତୀୟ ପ୍ରଶଂସକ ମନେ ରଖିବାର ଆଉ ଏକ କାରଣ ହେଉଛି ୧୯୮୩ ବିଶ୍ବକପ୍‌ ଏହି ଲର୍ଡସ ପଡ଼ିଆରେ ଭାରତ କପିଳ ଦେବଙ୍କ ନେତୃତ୍ବରେ ଜିତିଥିଲା। ପାକିସ୍ତାନ ବିପକ୍ଷ ଅନ୍ୟ ଏକ ଶୃଙ୍ଖଳା କଥା ମଧ୍ୟ ମୋର ମନେ ପଡ଼ୁଛି। ଯେଉଁଥିରେ ଲଗାତାର ଭାବେ ୩୦୦ରୁ ଅଧିକ ରନ୍‌ ହେଉଥିଲା। କିନ୍ତୁ ଆମେ ଡ୍ରେସିଂରୁମ୍‌ରେ ଏହାକୁ ନେଇ ବିଚଳିତ ହେଉନଥିଲୁ। ଆମେ ଜିତିବୁ ବୋଲି ବିଶ୍ବାସ ରଖୁଥିଲୁ। ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଫାଇନାଲ୍‌ ଜିତିଥିବାରୁ ଏଭଳି ଭାବନା ଆସୁଥିଲା ବୋଲି କୈଫ୍‌ ପ୍ରକାଶ କରିଛନ୍ତି।

ନ୍ୟାଟ୍‌ୱେଷ୍ଟ୍‌ ୨୦୦୨ ଫାଇନାଲ୍‌ ସ୍ମୃତି। ସମସ୍ତେ ନିଜ ଜୀବନ ଲଗାଇ ଦେଇଥିଲେ! ଆମେମାନେ ଯୁବକ ଥିଲୁ ଏବଂ ବିଜୟ ଚାହିଁଥିଲୁ। ଏହା ଚମତ୍କାର ଦଳୀୟ କାର୍ଯ୍ୟ ଥିଲା ଯାହା ସଂଘର୍ଷ କରି ଇଂଲଣ୍ଡକୁ ହରାଇ ଟ୍ରଫି ଜିତିବାରେ ସହାୟକ ହୋଇଥିଲା: ଯୁବରାଜ ସିଂହ

ଜୁଲାଇ ୧୩, ୨୦୦୨: ଏହି ଦିନ ଆମେ ଲର୍ଡସରେ ମାଉଣ୍ଟ୍‌ ଏଭେରେଷ୍ଟ୍‌ ଚଢ଼ିଥିଲୁ… ଦାଦା ସାର୍ଟ ବିହୀନ, ଯୁବି ବଳବାନ, ଜାକ୍‌ଙ୍କ ସହଯୋଗ ମୂଲ୍ୟବାନ‌, ମୁଁ ନିର୍ଭୟ…ସ୍ମୃତି ଅସୀମ: ମହମ୍ମଦ କୈଫ୍‌

ସମ୍ବନ୍ଧିତ ଖବର