ହକିରେ ଫେରିଲା ହୃତ ଗୌରବ, ଜର୍ମାନିକୁ ହରାଇ ଭାରତ ଜିତିଲା ଅଲିମ୍ପିକ୍ସ କାଂସ୍ୟ

୪ ଦଶନ୍ଧି ଅପେକ୍ଷାର ସୁଖଦ ଅବସାନ

ଟୋକିଓରେ ଟେକ ରଖିଲେ ମନପ୍ରୀତ ସେନା
ପଦକ ପାଇଁ ଆଜି ଗ୍ରେଟ୍ ବ୍ରିଟେନ୍ ସହ ଲଢ଼ିବ ମହିଳା ଦଳ

ଟୋକିଓ : ଗୁରୁବାର ସକାଳକୁ ସମସ୍ତେ ଚାତକ ଭଳି ଚାହିଁ ରହିଥିଲେ। ଭାରତ ପଦକ ଜିତିବ ବୋଲି ୧୪୦ କୋଟି ଭାରତୀୟ ଶୁଭମନାସି ଥିଲେ। ସକାଳ ୭ଟାରୁ ଜର୍ମାନି ବିପକ୍ଷ ମହାମୁକାବିଲା ଆରମ୍ଭ ହୋଇଯାଇଥିଲା। ଗାଁରୁ ଗଳି ଓ ସହରରୁ ମହାନଗର ପର୍ଯ୍ୟନ୍ତ ସବୁଠି ଚାଲିଥିଲା ହକି ଚର୍ଚ୍ଚା। ଟେଲିଭିଜନ୍ ପରଦା ଆଗରେ କୋଟି କୋଟି ଭାରତୀୟ ହକି ପ୍ରେମୀ ରୁଦ୍ଧଶ୍ବାସରେ ଜମି ରହିଥିଲେ। କାହା ଆଖିର ପଲକ ବି ପଡ଼ୁ ନଥିଲା। ମ୍ୟାଚ୍ ବାରମ୍ବାର ନାଟକୀୟ ମୋଡ଼ ନେଉଥିଲା। କେତେବେଳେ ଜର୍ମାନି ତ ଆଉ କେତେବେଳେ ଭାରତ ଆଗୁଆ ହୋଇଯାଉଥିଲା। ଯେତେବେଳେ ଗୋଟିଏ ଗୋଲ୍‌ରେ ପଛୁଆ ଥିବା ଜର୍ମାନି ଶେଷ ୬ ସେକେଣ୍ଡରେ ପେନାଲ୍ଟି କର୍ଣ୍ଣର ହାସଲ କରିନେଲା, ପ୍ରତିଟି ଭାରତୀୟଙ୍କ ହୃତ୍‌ସ୍ପନ୍ଦନ ବଢ଼ି ଯାଇଥିଲା। ହେଲେ ଭାରତୀୟ ଗୋଲପୋଷ୍ଟର ଅଭେଦ୍ୟ ପ୍ରାଚୀର ପରି ଶ୍ରୀଜେଶ ଜର୍ମାନିର ଶେଷ ପ୍ରୟାସକୁ ନିଷ୍ଫଳ କରି ଦେଇଥିଲେ। ଘଣ୍ଟାକର ଘମାଘୋଟ ଲଢ଼େଇ ପରେ ଭାରତ ୫-୪ ଗୋଲ୍‌ରେ ମ୍ୟାଚ୍ ଜିତି ଟୋକିଓ ଟର୍ଫରେ ଲେଖିଥିଲା ଅନନ୍ୟ ଇତିହାସ। ଦୀର୍ଘ ୪୧ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ଜିତି ହକିର ହୃତ ଗୌରବକୁ ଫେରି ପାଇଥିଲା ଭାରତ। ଭାରତୀୟ ହକିର ହୋଇଯାଇଥିଲା ପୁନର୍ଜନ୍ମ। ୮ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିବା ଭାରତ ଆଗାମୀ ଅଲିମ୍ପିକ୍ସରେ ନବମ ସ୍ବର୍ଣ୍ଣ ଜିତିବାର ସ୍ବପ୍ନକୁ ସାକାର କରିବା ଲାଗି ଦୃଢ଼ ମୂଳଦୁଆ ବି ପକାଇ ଦେଇଥିଲା। ‌

ଟୋକିଓରୁ ଗୁରୁବାର ସକାଳ ୮ଟାରେ ଭାରତ ବିଜୟର ଶୁଭ ଖବର ଆସିବା ପରେ କ୍ଷଣକ ଭିତରେ ସମଗ୍ର ଦେଶରେ ଖେଳି ଯାଇଥିଲା ଖୁସିର ଲହର। ୨୮୦ କୋଟି ଆଖିରେ ଭରି ଯାଇଥିଲା ଆନନ୍ଦାଶ୍ରୁ। ଭାରତବାସୀ ଏକସଙ୍ଗ‌ରେ ପାଳିଥିଲେ ହୋଲି ଓ ଦୀପାବଳୀ। ୧୭, ୨୭, ୨୯, ୩୧ ଓ ୩୪ ମିନିଟ୍‌ରେ ପାଞ୍ଚଟି ଗୋଲ୍ ଦେଇ ଏହି ହାଇ‌ସ୍କୋରିଂ ମୁକାବିଲାକୁ ରୋମାଞ୍ଚ ଓ ଉତ୍କଣ୍ଠା ଭରା ମ୍ୟାଚ୍‌କୁ ଜିତ ନେଇ ଭାରତ ଆଜି ପାଇଥିଲା ପୋଡୟମ୍ ଫିନିସ୍। ଅନ୍ୟପକ୍ଷରେ ଚାରିଟି ଗୋଲ୍ (୨, ୨୪, ୨୫ ଓ ୪୮ ମିନିଟ୍‌)ରେ ଦେଇ ଜର୍ମାନି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏବେ ସବୁ ନଜର ମହିଳା ଦଳ ଉପରେ। ନିଜ ଅଲିମ୍ପିକ୍ସ ଇତିହାସର ପ୍ରଥମ ପଦକ ଜିତିବା ଲାଗି ଶୁକ୍ରବାର ମଇଦାନକୁ ଓହ୍ଲାଇବ ଭାରତୀୟ ମହିଳା ଦଳ। କାଂସ୍ୟ ପଦକ ମୁକାବିଲାରେ ଗ୍ରେଟ୍ ବ୍ରିଟେନ୍‌କୁ ଭେଟିବ।

କରୋନା ସଙ୍କଟର ମାନସିକ ଚାପ, ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବ ହେବାର ବାଧାକୁ ପଛରେ ପକାଇ ଦୃଢ଼ ଆତ୍ମବିଶ୍ବାସର ସହ ଟୋକିଓ ଯାଇଥିବା ଭାରତୀୟ ହକି ଦଳର ଚଳିତ ଅଲିମ୍ପିକ୍ସ ଅଭିଯାନ ଥିଲା ଅସାଧାରଣ, ଅବର୍ଣ୍ଣନୀୟ ଓ ଅବିଶ୍ବସନୀୟ। ମନରେ ଥିଲା ବିଶ୍ବ ହକିର ନୂଆ ମହାଶକ୍ତି ଭାବେ ଉଭା ହେବାର ସଙ୍କଳ୍ପ। ଲିଗ୍, କ୍ବାର୍ଟର ଏପରିକି ସେମିରେ ବି ଲଢ଼ୁଆ ‌ଖେଳର ପରିଚୟ ଦେଇଥିଲା ମନପ୍ରୀତ ସିଂହଙ୍କ ଯୁବ ସେନା। ଜର୍ମାନି ବିପକ୍ଷ କାଂସ୍ୟ ପଦକ ମ୍ୟାଚ୍ କିନ୍ତୁ ଥିଲା ଅନେକ ଦୃଷ୍ଟିରୁ ଐତିହାସିକ। ୧୯୮୦ ମସିହା ପରେ ଭାରତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିବା ଲକ୍ଷ୍ୟ ନେଇ ଏହି ମ୍ୟାଚ୍‌କୁ ଯାଇଥିଲା। ଏହି ମାଇଖୁଣ୍ଟ ମୁକାବିଲାକୁ ଜିତିବା ଲାଗି ୨୦୦୮ ଓ ୨୦୧୨ର ବିଜେତା ତଥା ୨୦୧୬ ରିଓ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ଜର୍ମାନି ଥିଲା ପ୍ରବଳ ଦାବିଦାର। ପ୍ରଥମ କ୍ବାର୍ଟର ବି ଭାରତ ସପକ୍ଷରେ ଯାଇ ନଥିଲା। ଦ୍ବିତୀୟ ମିନିଟ୍‌ରେ ହିଁ ତୈମୁର ଓରୁଜଙ୍କ ଗୋଲ୍ ବଳରେ ଜର୍ମାନି ଆଗୁଆ ହୋଇଯାଇଥିଲା। ଦ୍ବିତୀୟ କ୍ବାର୍ଟରର ସ୍ଥିତି ଟିକିଏ ବଦଳିଥିଲା। ଦ୍ବିତୀୟ ମିନିଟ୍‌ରେ ସିମରନଜିତ ସିଂହଙ୍କ ଗୋଲ୍ ବଳରେ ଭାରତ ସ୍ଥିତି ୧-୧ କରି ନେଇଥିଲା। ଜର୍ମାନି କିନ୍ତୁ ‌ଗୋଟିଏ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ୨୪ ମିନିଟ୍‌ରେ ନିକଲାସ୍ ୱେ‌ଲେନ୍ ଓ ୨୫ ମିନିଟ୍‌ରେ ବେନେଡିକ୍ ଫର୍କ ଏହି ଦୁଇଟି ଗୋଲ୍ ଦେଇଥିଲେ। ଭାରତ କିନ୍ତୁ ସାହସ ଛାଡ଼ି ନଥିଲା। ହାର୍ଦିକ ସିଂହ (୨୭ ମିନିଟ୍) ଓ ହରମନପ୍ରୀତ ସିଂହ (୨୯ ମିନିଟ୍)ଙ୍କ ଆକର୍ଷଣୀୟ ଗୋଲ୍ ବଳରେ ୩-୩ ଗୋଲ୍‌ରେ ରହି ମଧ୍ୟାନ୍ତରକୁ ଯାଇଥିଲା। ପ୍ରଥମ ୩୦ ମିନିଟ୍‌ର ଖେଳ ପରେ ଭରତ ରଣନୀତି ବଦଳାଇ ଜର୍ମାନି ଗୋଲ୍‌ପୋଷ୍ଟରୁ ଆକ୍ରମଣର ମାତ୍ରା ବଢ଼ାଇଥିଲା। ଯାହାର ପୂରା ଫାଇଦା ରୂପିନ୍ଦର ପାଲ ସିଂହ ଗୋଟିଏ ମିନିଟ୍ ଭିତରେ ଉଠାଇଥିଲେ। ୩୧ ମିନିଟ୍‌ରେ ସେ ଦେଇଥିବା ଗ‌ୋଲ୍ ବଳରେ ଭାରତ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ଏହାର ୩ ମିନିଟ୍ ପରେ ସିମରନଜିତ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍ ଦେଇ ଭାରତ ସପକ୍ଷରେ ସ୍ଥିତି ୫-୩ କରି ନେଇଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଦୁଇଟି ଗୋଲ୍‌ରେ ପଛୁଆ ଥିବା ଜର୍ମାନି ବି ସହଜରେ ବିଜୟ ଆଶା ଛାଡ଼ି ନଥିଲା। ଭାରତର ସର୍କଲକୁ ବାରମ୍ବାର ପ୍ରତିଆକ୍ରମଣ କରି ଅଧିକରୁ ଅଧିକ ପେନାଲ୍ଟି କର୍ଣ୍ଣର ହାସଲ କରିବାକୁ ଚେଷ୍ଟା କରିଥିଲା। ୪୮ ମିନିଟ୍‌ରେ ଲୁକାସ ୱିଣ୍ଡଫେଡେରଙ୍କ ଗୋଲ୍ ବଳରେ ଦୁଇ ଦଳ ମଧ୍ୟରେ ଥିବା ଗୋଲ୍ ବ୍ୟବଧାନକୁ କମାଇ ଦେଇଥିଲା। ଭାରତ ଅବଶ୍ୟ ପରବର୍ତ୍ତୀ ୧୧ ମିନିଟ୍‌ରେ ଆଉ ଗୋଲ୍ ବରଣ କରି ନଥିଲା। ତେବେ ଖେଳ ଶେଷ ହେବାକୁ ୬.୮ ସେକେଣ୍ଡ ବାକି ଥିଲା ବେଳେ ଜର୍ମାନି ପେନାଲ୍ଟି କର୍ଣ୍ଣର ପାଇ ଯାଇଥିଲା। ଯାହା ଭାରତୀୟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା। ହେଲେ ଭାରତର ମଜବୁତ ରକ୍ଷଣଭାଗ ଏଥିରୁ ଗୋଲ୍ କରିବାକୁ ଜର୍ମାନି ଅଗ୍ରଭାଗକୁ ଆଉ ସୁଯୋଗ ଦେଇ ନଥିଲା।

ସମ୍ବନ୍ଧିତ ଖବର