ଇଂଲଣ୍ଡ ବିପକ୍ଷରେ ଲଗାତାର ଚତୁର୍ଥ ଶୃଙ୍ଖଳା ବିଜୟ: ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍‌ରେ ଜିତିଲା ଭାରତ

ରୋହିତଙ୍କ ନେତୃତ୍ବରେ କ୍ରମାଗତ ୧୪ ଟି-୨୦ ବିଜୟ

ବର୍ମିଂହାମ: ବର୍ମିଂହାମରେ ଆଉ ଏକ ବଡ଼ ବିଜୟ ସହ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତି ନେଇଛି ଭାରତ। ପ୍ରଥମ ମୁକାବିଲାକୁ ୫୦ ରନ୍‌ରେ ଜିତିଥିବା ଭାରତ ଶୃଙ୍ଖଳା ନିର୍ଣ୍ଣାୟକ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍‌ରେ ଜିତି ନେଇଥିଲା। ଫଳରେ ରବିବାର ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମ୍ୟାଚ୍ ମୂଲ୍ୟହନ ହୋଇଯାଇଛି। ଇଂଲଣ୍ଡ ବିପକ୍ଷରେ ଭାରତର ଏହା ଲଗାତାର ଚତୁର୍ଥ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ଥିଲା। ରୋହିତଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ କ୍ରମାଗତ ଚର୍ତୁଦଶ ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିଥିଲା।

ଶନିବାର‌ ଇଂଲଣ୍ଡ ସମ୍ମୁଖ‌ରେ ରୋହିତ ‌ସେନା ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତେବେ ପ୍ରଥମ ବଲ୍‌ରେ ଓପନର ଜାସନ ରୟଙ୍କୁ ହରାଇବାର ଝଟ୍‌କାରୁ ବାହରି ନପାରି ଶେଷରେ ମାତ୍ର ୧୨୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଭୁବନେଶ୍ବର କୁମାର (୩/୧୫)ଙ୍କ ନେତୃତ୍ବରେ ଭାରତୀୟ ବୋଲର ମାପଚୁପ ଓ ଶା‌ଣିତ ବୋଲିଂ କରି ଇଂଲଣ୍ଡ ବ୍ୟାଟର୍‌ଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। କେବଳ ରବୀନ୍ଦ୍ର ଜାଦେଜାଙ୍କୁ ଛାଡ଼ି ଅନ୍ୟ ସବୁ ଭାରତୀୟ ବୋଲର ୱିକେଟ୍ କରାୟତ୍ତ କରିଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୩୫ ରନ୍ କରିଥିଲେ। ଭୁବନେଶ୍ବର କୁମାର ତାଙ୍କ ଅଗ୍ନିବର୍ଷୀ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ।
ତଥାପି କୋହଲିଙ୍କୁ ନେଇ ଚିନ୍ତା ବଢ଼ିଲା

ଭାରତ ଆଜି ଚାରିଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଦୀପକ ହୁଡା, ଈଶାନ କିଶନ, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂହଙ୍କ ସ୍ଥାନରେ ବିରାଟ କୋହଲି, ଋଷଭ ପନ୍ତ, ରବୀନ୍ଦ୍ର ଜାଦେଜା ଓ ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳକୁ ଫେରିଥିଲେ। ତେବେ ସମସ୍ତଙ୍କ ନଜର କୋହଲିଙ୍କ ଉପରେ ଥିଲା। ହେଲେ ତାଙ୍କ ପାଳି ମାତ୍ର ୩ ବଲ୍‌ ଓ ୧ ରନ୍‌ରେ ସୀମିତ ହୋଇଯାଇଥିଲା। ଯାହା ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳକୁ ଚିନ୍ତାରେ ପକାଇଛି। କୋହଲି ଲଗାତାର ବିଫଳ ହେଉଥିଲା ବେଳେ ନିଜ ତ୍ରୁଟିରୁ ସମ୍ଭବତଃ କିଛି ଶିଖୁ ନାହାନ୍ତି। ତେବେ ସେ ଜାଣିଶୁଣି ଏଭଳି କରୁଛନ୍ତି ନା ଖରାପ ଫର୍ମ ଦେଇ ଗତି କରୁଛନ୍ତି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ପ୍ରଶଂସକମାନେ ସେ ତୃତୀୟ ସ୍ଥାନରେ ଖେଳିବାକୁ ଯୋଗ୍ୟ ନୁହନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ବିଷୋଦଗାର କରିଛନ୍ତି।

ବିପର୍ଯ୍ୟୟ ଘଟାଇଥିଲେ ବୟୋଜ୍ୟେଷ୍ଠ ଗ୍ଲିସନ୍‌
ଇଂଲଣ୍ଡ ଦ୍ରୁତ ‌ବୋଲର ରିଚାର୍ଡ ଗ୍ଲିସନ୍ (୩୪ ବର୍ଷ ୨୧୯ ଦିନ) ଶନିବାର ଇଂଲଣ୍ଡର ବୟୋଜ୍ୟେଷ୍ଠ ଟ୍ବେଣ୍ଟି-୨୦ ପଦାର୍ପଣକାରୀ ହୋଇଥିଲେ। ଆଉ ସେ ହିଁ ଭରତୀୟ ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ। ରୋହିତ ଶର୍ମା, ବିରାଟ କୋହଲି ଓ ଋଷଭ ପନ୍ତ ତାଙ୍କ ଶିକାର ‌ହୋଇଥିଲେ। ୪ ଓଭରରେ ଗୋଟିଏ ‌ମେଡେନ୍ ନେଇ ୩ ୱିକେଟ୍ କରାୟତ୍ତ କରି ନିଜ ପଦାର୍ପଣକୁ ସ୍ମରଣୀୟ କରି ଦେଇଥିଲେ ଗ୍ଲିସନ୍। ତାଙ୍କ ଛଡ଼ା କ୍ରିସ୍ ଜୋର୍ଡାନ୍ ଭାରତର ୪ ଜଣ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥି‌ଲେ। ସୂର୍ଯ୍ୟକୁମାର, ହାର୍ଦିକ, ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାର ତାଙ୍କ ଶିକାର ହୋଇଥି‌ଲେ।

ଜାଦେଜାଙ୍କ ପାଇଁ ୧୭୦
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନୂଆ ଯୋଡ଼ି ଅଧିନାୟକ ରୋହିତ ଶର୍ମା (୩୧) ଓ ଋଷଭ ପନ୍ତ (୨୬)ଙ୍କୁ ନେଇ ପାଳି ଆରମ୍ଭ କରିଥିଲା। ଉଭୟ ପ୍ରଥମ ୱିକେଟ୍‌ରେ ଦ୍ରୁତ ୪୬ ରନ୍ ଯୋଡ଼ିଥିଲେ। ତେବେ ତୃତୀୟ ସ୍ଥାନରେ କୋହଲି ଆସି ବିଫଳ ହେବା ପରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋଟିଏ ଓଭରରେ କୋହଲି ଓ ପନ୍ତ ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ (୧୫), ହାର୍ଦିକ ପାଣ୍ଡ୍ୟା (୧୨) ଓ ଦୀନେଶ କାର୍ତ୍ତିକ(୧୨)ଙ୍କ ବ୍ୟାଟ୍ ଚାଲିନଥିଲା। କେବଳ ଅଲରାଉଣ୍ଡର ଜାଦେଜା (୪୬*) ଦାୟିତ୍ବପୂର୍ଣ୍ଣ ଓ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତାଙ୍କ ଧମାକାଦାର ପାଳି ପାଇଁ ହିଁ ଭାରତ ୮ ୱିକେଟ୍ ରେ ୧୭୦ ରନ୍ କରିଥିଲା।

ସମ୍ବନ୍ଧିତ ଖବର