ନାପିଅର୍: ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ବର୍ଷା ବାଧକ ସାଜିଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍ ୪୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିରେ ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପ୍ନର ଡେଭନ୍ କନ୍ୱେ (୫୯ ରନ୍, ୪୯ ବଲ୍, ୫ ଚୌକା, ୨ ଛକା) ଏବଂ ଗ୍ଲେନ୍ ଫିଲିପ୍ସ (୫୪ ରନ୍, ୩୩ ବଲ୍, ୫ ଚୌକା, ୩ ଛକା)ଙ୍କ ଦ୍ରୁତ ଅର୍ଦ୍ଧଶତକ ସତ୍ତ୍ବେ ନ୍ୟୁଜିଲାଣ୍ଡ୍ ୧୯.୪ ଓଭରରେ ୧୬୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଏପରିକି ଦଳ ମାତ୍ର ୩୦ ରନ୍ରେ ଶେଷ ୮ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ (୪-୦-୩୭-୪), ମହମ୍ମଦ ସିରାଜ (୪-୦-୧୭-୪) ଏବଂ ହର୍ଷଲ ପଟେଲ (୩.୪-୦-୨୮-୧) ସଫଳ ବୋଲର ରହିଥିଲେ।
ଜବାବରେ ଭାରତ ୯ ଓଭରରେ ୪ ୱିକେଟ୍ ହରାଇ ୭୫ ରନ୍ କରିଥିଲା ବେଳେ ବର୍ଷା ପୁଣି ବାଧା ସୃଷ୍ଟି କରିଥିଲା। ଏପରିକି ବିଳମ୍ବରେ ବର୍ଷା ଛାଡ଼ିଥିଲେ ମଧ୍ୟ ଓଦା ପଡ଼ିଆ ଯୋଗୁଁ ଅମ୍ପାୟାର ମ୍ୟାଚ୍ ଆଗକୁ ନବଢ଼ାଇବା ନିଷ୍ପତ୍ତି ନେଇଥିଲେ। ତେବେ ସେତେବେଳକୁ ବର୍ଷା ନିୟମ (ଡି/ଏଲ୍ ପଦ୍ଧତି) ଅନୁଯାୟୀ ଉଭୟ ଦଳର ସ୍କୋର୍ (୭୫ ରନ୍) ସମାନ ରହିଥିଲା। ଭାରତ ଆରମ୍ଭରୁ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ୱିକେଟ୍ ମଧ୍ୟ ହରାଇ ଚାଲିଥିଲା। ପାୱାର ପ୍ଳେ ମଧ୍ୟରେ ତିନି ୱିକେଟ୍ ହରାଇ ଭାରତ ମଧ୍ୟ ୫୮ ରନ୍ କରିଥିଲା। ଅଧିନାୟକ ହାର୍ଦିକ୍ ପାଣ୍ଡ୍ୟାଙ୍କ ୧୮ ବଲ୍ରୁ ଅପରାଜିତ ୩୦ ରନ୍ ଯୋଗୁଁ ଏହାର ପରବର୍ତୀ ୩ ଓଭରରେ ଦଳ ୧୭ ରନ୍ ଯୋଡ଼ି ପାରିଥିଲା।
ସେ ମଧ୍ୟରେ ପୂର୍ବମ୍ୟାଚ୍ର ଶତକ ହାସଲକାରୀ ସୂର୍ଯ୍ୟକୁମାର ଯାଦବ ୧୦ ବଲ୍ରୁ ୧୩ ରନ୍ କରି ବିଦାୟ ନେଇଯାଇଥିଲେ। ତେବେ ନବମ ଓଭରର ଶେଷ ବଲ୍ରେ ଦୀପକ ହୁଦା ନେଇଥିବା ୧ ରନ୍ ହିଁ ଭାରତକୁ ପରାଜୟରୁ ବଞ୍ଚାଇ ଦେଇଥିଲା। ହୁଦାଙ୍କ ୧ ରନ୍ ଯୋଗୁଁ ସ୍କୋର୍ ୭୫ରେ ପହଞ୍ଚିଥିଲା ଏବଂ ମ୍ୟାଚ୍ ଟାଇ ହୋଇଯାଇଥିଲା। ଏହି ଟାଇ ମ୍ୟାଚ୍ ସହିତ ଭାରତ ମଧ୍ୟ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତିନେଲା। ଏହା ପୂର୍ବରୁ ଦ୍ବିତୀୟ ମ୍ୟାଚ୍କୁ ଭାରତ ୬୫ ରନ୍ରେ ଜିତିଥିଲା ବେଳେ ପ୍ରଥମ ମ୍ୟାଚ୍ ବର୍ଷା ଧୋଇନେଇଥିଲା। ମଙ୍ଗଳବାର ମ୍ୟାଚ୍ରେ ମିତ୍ତବ୍ୟୟୀ ବୋଲିଂ କରିଥିବା ସିରାଜ ମ୍ୟାଚ୍ର ଏବଂ ସୂର୍ଯ୍ୟକୁମାର ଯାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଡିଏଲ୍ଏସ୍ ପାର୍ ସ୍କୋର୍ରେ ତୃତୀୟ ଟାଇ
ଡିଏଲ୍ଏସ୍ ପଦ୍ଧତି ଅନୁଯାୟୀ ସମାନ ସ୍କୋର୍ ସହ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଟାଇ ହେବା ତୃତୀୟ ଘଟଣା ଥିଲା। ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ୨୦୨୧ରେ ଦୁଇଟି ମ୍ୟାଚ୍ ଏଭଳି ସ୍ଥିତିରେ ଶେଷ ହୋଇଥିଲା। କୀର୍ତ୍ତିପୁରରେ ନେଦରଲାଣ୍ଡ୍ସ-ମାଲେସିଆ ଏବଂ ମାର୍ସାରେ ମାଲ୍ଟା-ଜିବ୍ରାଲଟର୍ ମ୍ୟାଚ୍ ମଧ୍ୟ ବର୍ଷା ବାଧା ପରେ ସମାନ ସ୍କୋର୍ରେ ଟାଇ ରହିଥିଲା।
ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ୍ ପାଳି ୧୯.୪ ଓଭରରେ ୧୬୦ (ଡେଭନ୍ କନ୍ୱେ-୫୯, ଗ୍ଲେନ୍ ଫିଲିପ୍ସ-୫୪, ଅର୍ଶଦୀପ ସିଂହ-୪/୩୭, ମହମ୍ମଦ ସିରାଜ-୪/୧୭)। ଭାରତ ୯ ଓଭରରେ ୭୫/୪ (ଈଶାନ କିଶନ-୧୦, ଋଷଭ ପନ୍ତ୍-୧୧, ସୂର୍ଯ୍ୟକୁମାର ଯାଦବ-୧୩, ଶ୍ରେୟସ ଆୟର-୦, ହାର୍ଦିକ୍ ପାଣ୍ଡ୍ୟା-୩୦*, ଦୀପକ ହୁଦା-୯*, ଟିମ୍ ସାଉଦି-୨/୨୭, ଈଶ୍ ସୋଢ଼ି-୧/୧୨)।