ହରାରେ: ଅଧିନାୟକ ଶୁବମନ୍ ଗିଲ୍ (୫୮*) ଓ ଯୁବ ଓପନର ଯଶସ୍ବୀ ଜୟସ୍ବାଲ (୯୩*)ଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଜିମ୍ବାୱେ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଏକତରଫା ଭାବେ ୧୦ ୱିକେଟ୍ରେ ଜିତି ନେଇଛି ଭାରତ। ତା’ ସହିତ ଗୋଟିଏ ମ୍ୟାଚ୍ ପୂର୍ବରୁ ୫ ଟିକିଆ ଶୃଙ୍ଖଳାକୁ ଅନାୟାସରେ ୩-୧ରେ ଜିତି ନେଇଛି। ପଞ୍ଚମ ତଥା ଶେଷ ମୁକାବିଲା ରବିବାର ଖେଳାଯିବ। ହେଲେ ଏହାର କୌଣସି ପ୍ରଭାବ ଭାରତର ଶୃଙ୍ଖଳା ବିଜୟ ଉପରେ ପଡ଼ିବନି। ଧମାକାଦାର ବ୍ୟାଟିଂ କରି ମାତ୍ର ୫୩ ବଲ୍ରୁ ୯୩ ରନ୍ କରିଥିବା ଜୟସ୍ବାଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଭାରତ ଶନିବାର ଟସ୍ ଜିତି ଜିମ୍ବାୱେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଜିମ୍ବାୱେ ଶୃଙ୍ଖଳାରେ ପ୍ରଥମ ଥର ଲାଗି ଆତ୍ମବିଶ୍ବାସର ସହ ଭାରତୀୟ ବୋଲର୍ଙ୍କ ମୁକାବିଲା କରିବା ସତ୍ତ୍ବେ ୭ ୱିକେଟ୍ ହରାଇ ୧୫୨ ରନ୍ରେ ଅଟକି ଯାଇଥିଲା। ସର୍ବାଧିକ ୪୬ ରନ୍ କରିଥିବା ଅଧିନାୟକ ସିକନ୍ଦର ରାଜା କିନ୍ତୁ ନୂଆ କୀର୍ତ୍ତିମାନ କରିଥିଲେ। କୌଣସି ଜିମ୍ବାୱେ ଅଧିନାୟକ ଭାବେ ଭାରତ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିଲେ ସେ। ତେବେ ରାଜା ହୋଇଥିଲେ ପଦାର୍ପଣକାରୀ ଭାରତୀୟ ବୋଲର ତୁଷାର ଦେଶ୍ପାଣ୍ଡେଙ୍କ ପ୍ରଥମ ଅନ୍ତର୍ଜାତୀୟ ୱିକେଟ୍। ଅନ୍ୟପକ୍ଷରେ ଭାରତୀୟ ପଶ୍ଚାତ୍ଧାବନର ଆରମ୍ଭ ଗିଲ୍ ଓ ଜୟସ୍ବାଲ୍ ଧୂଆଁଧାର ଢଙ୍ଗରେ କରିଥିଲେ। ମାତ୍ର ୪ ଓଭରରୁ ୫୩ ରନ୍ ଯୋଡ଼ି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଜୟସ୍ବାଲ୍ ୨୯ ଓ ଗିଲ୍ ୩୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ଛକା, ଚୌକା ବର୍ଷା କରି ୨୮ ବଲ୍ ପୂର୍ବରୁ ଭାରତର ବିଜୟ ମୁଣ୍ଡି ମାରିଥିଲା ବେଳେ ଜିମ୍ବାୱେ ବୋଲରମାନେ ଅସହାୟ ଭାବେ କେବଳ ଦେଖଣାହାରୀ ପାଲଟିଥିଲେ। ଏହା ମଧ୍ୟ ୧୫୦ରୁ ଅଧିକ ରନ୍ର ପଶ୍ଚାତ୍ଧାବନରେ ଭାରତର ସର୍ବବୃହତ୍ ବିଜୟ (ବଲ୍ ବ୍ୟବଧାନ) ଥିଲା। ସେହିଭଳି ଗିଲ୍-ଜୟସ୍ବାଲ୍ ଟ୍ବେଣ୍ଟି-୨୦ରେ ଭାରତ ପକ୍ଷରୁ ପଞ୍ଚମ ସର୍ବୋଚ୍ଚ ଓପନିଂ ଭାଗୀଦାରି କରିଥିଲେ। ଜୟସ୍ବାଲ କିନ୍ତୁ ମାତ୍ର ୭ ରନ୍ ପାଇଁ ବିଦେଶ ମାଟିରେ ସ୍ମରଣୀୟ ଶତକ ଅର୍ଜନରୁ ବଞ୍ଚିତ ହୋଇଥିଲେ ।
ଡବ୍ଲ୍ୟୁଟିସିରେ ଭାରତ ଏକ ନମ୍ବର, ବଡ଼ ବିଜୟ ସତ୍ତ୍ବେ ଇଂଲଣ୍ଡ ସବାତଳେ
ଲଣ୍ଡନ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ପାଳି ବିଜୟ ହାସଲ କରିବା ସତ୍ତ୍ବେ ଇଂଲଣ୍ଡ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ପଏଣ୍ଟ୍ ତାଲିକାର ସବାଶେଷ ସ୍ଥାନରେ ରହିଛି। କାରଣ ଡବ୍ଲ୍ୟୁଟିସିର ଆଗାମୀ ଦୁଇ ବର୍ଷୀୟା ଚକ୍ରରେ ଇଂଲଣ୍ଡ ୧୧ ମ୍ୟାଚ୍ ଖେଳି ୪ ବିଜୟ, ୬ ପରାଜୟ ଓ ଗୋଟିଏ ମ୍ୟାଚ୍କୁ ଅମୀମାଂସିତ ରଖି ମାତ୍ର ୨୫ ପର୍ସେଣ୍ଟ ପଏଣ୍ଟ୍ ପାଇଛି। ଏହି କ୍ରମରେ ଭାରତ ୬୮.୫୧ ପର୍ସେଣ୍ଟ୍ ପଏଣ୍ଟ୍ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ଅଷ୍ଟ୍ରେଲିଆ (୬୨.୫୦) ଓ ନ୍ୟୁଜିଲାଣ୍ଡ (୫୦) ପଛକୁ ପଛ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଇଂଲଣ୍ଡ ଉପରେ ବାଂଲାଦେଶ ରହିବା ଏହି ଦେଶର ପ୍ରଶଂସକଙ୍କୁ ବିସ୍ମିତ କରିଛି। ୱେଷ୍ଟଇଣ୍ଡିଜ୍ ଗୋଟିଏ ପାଳି ଓ ୧୧୪ ରନ୍ରେ ଲର୍ଡସ ଟେଷ୍ଟ୍ ହାରିବା ସତ୍ତ୍ବେ ପାକିସ୍ତାନର ଠିକ୍ ପଛକୁ ଓ ଦକ୍ଷିଣ ଆଫ୍ରିକାର ଉପରକୁ ଷଷ୍ଠ ସ୍ଥାନରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhfsshfsfhhf.jpg)
