ଇନ୍ଦୋର: ଦ୍ବିତୀୟ ଟ୍ବେଣ୍ଟି-୨୦ ସହ ଭାରତ ନୂଆ ବର୍ଷର ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିଛି। ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବାକୁ ଥିବା ବେଳେ ଭାରତ ପାଇଁ ଏହି ଶୃଙ୍ଖଳା ବିଜୟ ମହତ୍ବ ରଖିଛି। ଭ୍ରମଣକାରୀ ଦଳକୁ ୧୭୨ ରନ୍ରେ ରୋକିଥିବା ରୋହିତଙ୍କ ଯୁବ ବାହିନୀ ଜୟସ୍ବାଲ ଓ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୬ ପୂର୍ବରୁ ୬ ୱିକେଟ୍ରେ ବିଜୟୀ ହୋଇଛି। ଏଥି ସହିତ ଭାରତ ୨୦୧୯ ପରଠାରୁ ଘରୋଇ ମାଟିରେ ୧୫ ଟ୍ବେଣ୍ଟି-୨୦ ଖେଳି ୧୩ ଜିତିଥିବା ବେଳେ ଗୋଟିଏ ବି ହାରିନାହିଁ। ଟସ୍ ଜିତି ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦୁଇ ଓଭରରୁ ୨୦ ରନ୍ ଆଦାୟ କରିବା ପରେ ଆଫଗାନିସ୍ତାନକୁ ଭାରତୀୟ ସ୍ପିନର୍ ରୋକିବା ଆରମ୍ଭ କରିଥିଲେ। ରବି ବିଷ୍ଣୋଇ ଓ ଅକ୍ଷର ପଟେଲ୍ ଭ୍ରମଣକାରୀ ଦଳକୁ ପ୍ରଥମ ଦୁଇ ଝଟକା ଦେଇଥିଲେ। ରହମନୁଲ୍ଲା ଗୁରବାଜ, ଇବ୍ରାହିମ୍ ଜଦ୍ରାନ, ଆଜମାତୁଲ୍ଲା ଓମାରଜାଇ ପ୍ରମୁଖ ଶସ୍ତାରେ ବିଦାୟ ନେଇଯାଇଥିଲେ। ଶୀର୍ଷକ୍ରମରେ କେବଳ ଗୁଲବଦିନ ନାଏବ ୩୫ ବଲ୍ରୁ ୫୭ ରନ୍ କରି ଦଳର ରନ୍ ହାରକୁ ପ୍ରଭାବିତ ହେବାକୁ ଦେଇ ନଥିଲେ। ମଧ୍ୟକ୍ରମରେ ନଜିବୁଲ୍ଲା ଜଦ୍ରାନ, କରିମ୍ ଜନତ, ମୁଜୀବ ଉର୍ ରହମାନ ଭଲ ବ୍ୟାଟିଂ କରିବାରୁ ଆଫଗାନିସ୍ତାନ କିନ୍ତୁ ୧୭୨ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ରୋହିତ ଶର୍ମା ପୁଣି ଶୂନରେ ଆଉଟ୍ ହୋଇଥିଲେ ମଧ୍ୟ ବିରାଟ କୋହଲି ୧୬ ବଲ୍ରୁ ୨୯ ରନ୍ କରିବା ଅବସରରେ ୫ଟି ଆକର୍ଷଣୀୟ ଚୌକା ମାରିଥିଲେ। କିନ୍ତୁ ନବୀନ ଉଲ୍ ହକ୍ ବ୍ୟକ୍ତିଗତ ମୁକାବିଲାରେ ବିଜୟୀ ହୋଇ ତାଙ୍କୁ ଇବ୍ରାହିମଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଦୁଇ ଯୁବ ତାରକା ବାମହାତୀ ଯଶସ୍ବୀ ଜୟସ୍ବାଲ ଏବଂ ଶିବମ ଦୁବେ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ଛକା ଭରା ପାଳି ଖେଳି ଜୟସ୍ବାଲ ୨୭ ବଲ୍ରୁ ଓ ଦୁବେ ୨୨ ବଲ୍ରୁ ଅର୍ଦ୍ଧଶତକ ହାସଲ କରି ଭାରତକୁ ସହଜ ବିଜୟ ଦେଇଥିଲେ। ଉଭୟ ମାତ୍ର ୭ ଓଭରରେ ୯୨ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା।
ରୋହିତଙ୍କ ବିଶ୍ବ ରେକର୍ଡ ୧୫୦
ବିଶ୍ବର ପ୍ରଥମ ଖେଳାଳି ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୁରୁଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୫୦ ମ୍ୟାଚ୍ ଖେଳିଛନ୍ତି। ଆୟର୍ଲାଣ୍ଡ୍ର ପଲ୍ ଷ୍ଟର୍ଲିଂ (୧୩୪), ଜର୍ଜ ଡକ୍ରେଲ୍ (୧୨୮) ଓ ପାକିସ୍ତାନର ସୋଏବ ମଲ୍ଲିକ (୧୨୪) ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି। ୧୪ ମାସ ପରେ ଏହି ଫର୍ମାଟକୁ ଫେରିଥିବା ରୋହିତ କିନ୍ତୁ ପ୍ରଥମ ଦୁଇ ମ୍ୟାଚ୍ରେ ଶୂନରେ ଆଉଟ୍ ହୋଇ ବ୍ୟକ୍ତିଗତ ବିଫଳତା ରଖିଛନ୍ତି। ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ବିପକ୍ଷରେ ସର୍ବାଧିକ ୧୨ ଶୂନର ଶିକାର ହୋଇ ରୋହିତ ମଧ୍ୟ ଏକ ଅଲୋଡ଼ା ରେକର୍ଡ କରିଛନ୍ତି।