ଟ୍ବେଣ୍ଟି -୨୦ରେ ନ୍ୟୁଜିଲାଣ୍ଡ ମୂଳପୋଛ

୩-୦ ବିଜୟରୁ ରୋହିତ-ଦ୍ରାବିଡ଼ଙ୍କ ଯୁଗ ଆରମ୍ଭ

କୋଲ୍‌କାତା: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ମୂଳପୋଛ ଭାବେ ଜିତି‌ନେଇଛି। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଭାରତ ୭୩ ରନ୍‌ରେ ବିଜୟୀ ହୋଇଥିଲା। ଭାରତର ୧୮୪ ରନ୍ ଜବାବରେ ନ୍ୟୁଜିଲାଣ୍ଡ୍‌ ୧୧୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଭାରତର ବିଜୟରେ ରୋହିତ ଶର୍ମା (୫୬) ଏବଂ ଅକ୍ଷର ପଟେଲ୍ (୩-୦-୯-୩) ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଏଥି ସହ ରାହିତ ଶର୍ମା ଏବଂ ରାହୁଲ ଦ୍ରାବିଡ଼ଙ୍କ ଯୁଗ ୩-୦ ଶୃଙ୍ଖଳା ବିଜୟରୁ ଆରମ୍ଭ ହୋଇଛି। ଅକ୍ଷର ପଟେଲ ମ୍ୟାଚ୍ ଏବଂ ରୋହିତ ଶର୍ମା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ରବିବାର କୋଲ୍‌କାତାର ଇଡେନ୍ ଗା‌‌ର୍ଡେନ୍ସରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରୋହିତ ଶର୍ମା ହ୍ୟାଟ୍ରିକ୍ ଟସ୍ ଜିତିଥିଲେ। କିନ୍ତୁ ଏଥର ନିଜର ପ୍ରଥମେ ବ୍ୟାଟିଂ ଦକ୍ଷତାକୁ ପରଖିବାକୁ ନ୍ୟୁଜିଲାଣ୍ଡ୍‌କୁ ‌କ୍ଷେତ୍ରରକ୍ଷଣ ସୁଯୋଗ ଦେଇଥି‌ଲେ। କେଏଲ୍ ରାହୁଲ ଏବଂ ଆର୍‌ ଅଶ୍ବିନଙ୍କୁ ବସାଇ ଦଳ ଈଶାନ କିଶନ ଏବଂ ୟୁଜ‌ବେନ୍ଦ୍ର ଚହଲଙ୍କୁ ଖେଳାଇଥିଲା। ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଟିମ୍ ସାଉଦି ଏକମାତ୍ର ପରିବର୍ତନ ଭାବେ ବାହାରେ ବସିବାରୁ ଲୋକି ଫର୍ଗୁସନ୍‌ ସୁଯୋଗ ପାଇଥିଲେ। ରୋହିତ ଶର୍ମା-ଈଶାନ କିଶନ ପ୍ରଥମ ୱିକେଟ୍ ପାଇଁ ୬.୨ ଓଭରରେ ୬୯ ରନ୍ ଉଠାଇବା ପରେ ମଧ୍ୟକ୍ରମରେ ଶ୍ରେୟସ ଆୟର, ଭେଙ୍କ‌ଟେଶ ଆୟର ଏବଂ ନିମ୍ନକ୍ରମରେ ହର୍ଷଲ୍ ପଟେଲ୍‌ ଓ ଦୀପକ ଚହର ବିସ୍ଫୋରକ ବ୍ୟାଟିଂ କରିବାରୁ ଭାରତ ୧୮୪ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ଶେଷ ଓଭର ବୋଲିଂ କରିଥିବା ଆଦାମ ମିଲନେଙ୍କଠାରୁ ୧୯ ରନ୍‌ ଆଦାୟ କରିଥିଲେ। ଭାରତ ପାୱାର ପ୍ଲେ’ ଭିତରେ ବିନା କ୍ଷତିରେ ୬୯ ରନ୍‌ ସଂଗ୍ରହ କରିବା ଘରୋଇ ମାଟିରେ ଦଳର ଚତୁର୍ଥ ସର୍ବୋଚ୍ଚ ଥିଲା। ହର୍ଷଲ୍ ପଟେଲ୍‌ ହିଟ୍‌ ୱିକେଟ୍ ହେବା ଅନ୍ୟତମ ଉଲ୍ଲେଖନୀୟ ବିଷୟ ଥିଲା। ଟ୍ବେଣ୍ଟି-୨୦ରେ ପୂର୍ବରୁ କେବଳ କେଏଲ୍ ରାହୁଲ୍‌ ହିଟ୍‌ ୱିକେଟ୍ (ବନାମ ଶ୍ରୀଲଙ୍କା, ୨୦୧୮) ହୋଇଥିଲେ। ରୋହିତ ଶର୍ମା ନିଜ ୩୦ତମ ଅର୍ଦ୍ଧଶତକ ହାସଲ କରି ବିରାଟ କୋହଲି (୨୯)ଙ୍କ କୀର୍ତ୍ତିମାନକୁ ପଛରେ ପକାଇଥିଲେ।

ଜବାବରେ ପାୱାର ପ୍ଲେ ଭିତରେ ଅକ୍ଷର ପଟେଲ୍‌ ୩ ୱିକେଟ୍‌ ଦଖଲ କରିବା ନ୍ୟୁଜିଲାଣ୍ଡ୍‌କୁ ଅଡୁଆରେ ପକାଇଥିଲା। ମାର୍ଟିନ ଗପ୍ଟିଲ୍‌ ୩୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ବିପଦ ସୃଷ୍ଟି କରିଥିଲେ ମଧ୍ୟ ଚହଲଙ୍କ ଶିକାର ହେବା ପରେ ଭାରତର ବିଜୟ ସ‌ୁଗମ ହୋଇଥିଲା। ଷଷ୍ଠ ବୋଲର ଭାବେ ବୋଲିଂ ସୁଯୋଗ ପାଇଥିବା ଭେଙ୍କଟେଶ ଆୟର ଆଦାମ ମିଲନେଙ୍କୁ ନିଜ ପ୍ରଥମ ଅନ୍ତର୍ଜାତୀୟ ଶିକାର କରିବାର‌ ଗୌରବ ପାଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ୍ ଶେଷକୁ ୧୭.୨ ଓଭରରେ ମାତ୍ର ୧୧୧ ରନ୍‌ରେ ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧିତ ଖବର