ଭାରତ-ଜିମ୍ବାୱେ ନିର୍ଣ୍ଣାୟକ ମୁକାବିଲା ଆଜି

ମେଲ୍‌ବର୍ଣ୍ଣ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରବିବାର ତିନିଟି ଦମଦାର ଲଢ଼େଇ ହେବ। ସୁପର୍‌-୧୨ ଅନ୍ତର୍ଗତ ଗ୍ରୁପ୍-୨ରୁ କୌଣସି ଦଳର ସେମିଫାଇନାଲ୍ ସ୍ଥାନ ନିଶ୍ଚିତ ହୋଇନଥିବାରୁ ସୁଯୋଗର ସଦ୍‌ବ୍ୟବହାର କରିବା ଲକ୍ଷ୍ୟରେ ରହିଛନ୍ତି ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ବାଂଲାଦେଶ। ଦୁଇଟି ସେମିଫାଇନାଲ୍ ସ୍ପଟ୍ ପାଇଁ ମୁଖ୍ୟତଃ ଏହି ୪ ଦଳ ଲଢ଼ିବେ। ଆଡିଲେଡ୍‌ର ଡବଲ୍ ଲଢ଼େଇରେ ସକାଳ ୫.୩୦ରେ ଦକ୍ଷିଣ ଆଫ୍ରିକା-ନେଦରଲାଣ୍ଡ୍ସ ଏବଂ ୯.୩୦ରେ ପାକିସ୍ତାନ-ବାଂଲାଦେଶ ମୁକାବିଲା ହେବ। ଅପରାହ୍ଣ ୧.୩୦ରେ ଭାରତ ଖେଳିବ ଜିମ୍ବାୱେ ସହିତ ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ। ଭାରତ ଓ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ଅପେକ୍ଷାକୃତ ସହଜ ପ୍ରତିଦ୍ବନ୍ଦ୍ବୀଙ୍କୁ ସମ୍ମୁଖୀନ ହେଉଥିବାରୁ ସେମିଫାଇନାଲ୍ ଯିବା ସମ୍ଭାବନା ଅଧିକ। କିନ୍ତୁ ସକାଳେ ବାଂଲାଦେଶଠୁ ପାକିସ୍ତାନ ଜିତିଲେ ଅପରାହ୍‌ଣରେ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ପଡ଼ିବ। ଅର୍ଥାତ୍ ଭାରତ ଖେଳିବା ପୂର୍ବରୁ ହିଁ ଏକପ୍ରକାର ଚିତ୍ର ମିଳିସାରିଥିବ। ଭାରତର ପରାଜୟ କିନ୍ତୁ ପାକିସ୍ତାନ ପାଇଁ ବାଟ ଫିଟାଇବାର ସମ୍ଭାବନା ରଖିବ। ଏପରିକି ନେଦରଲାଣ୍ଡ୍ସଠାରୁ ଦକ୍ଷିଣ ଆଫ୍ରିକା ହାରିଗଲେ ଭାରତ ଓ ପାକିସ୍ତାନ ଉଭୟ ବିଜୟ ସହିତ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି। ଦକ୍ଷିଣ ଆଫ୍ରିକା, ପାକିସ୍ତାନର ପରାଜୟ ମଧ୍ୟ ଭାରତ ଓ ବାଂଲାଦେଶକୁ ଆଗକୁ ନେଇଯିବାର ବିକଳ୍ପ ରହିଛି। ସେହି ଦୃଷ୍ଟିରୁ ରବିବାରର ୩ ମୁକାବିଲା ଚଳିତ ବିଶ୍ବକପ୍‌ରେ ଅନ୍ୟତମ ସୁପର୍‌ ସ‌ନ୍‌ଡେ ହେବାକୁ ଯାଉଛି।

ଭାରତ କେବଳ ସେମିଫାଇନାଲ୍ ଯୋଗ୍ୟତା ନୁହେଁ ଏହି ମ୍ୟାଚ୍‌କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଭାବେ ନେଇଛି। ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଚମତ୍କାର ଫର୍ମରେ ଥିବାବେଳେ ପ୍ରାରମ୍ଭିକ ବ୍ୟାଟର୍ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ୍ ଗୋଟିଏ ଲେଖାଏଁ ଭଲ ପାଳି ଖେଳିଛନ୍ତି। ଏକାଠି ଭଲ ଖେଳିନଥିବାରୁ ଭାରତକୁ ଭଲ ଆରମ୍ଭ ମିଳିନାହିଁ। ତେଣୁ ଏହି ଯୋଡ଼ିଙ୍କୁ ଲୟରେ ରହିବାକୁ ଏହା ବଡ଼ ସୁଯୋଗ ହେବ। ମେଲବର୍ଣ୍ଣରେ ରୋହିତ ଶର୍ମା ଏକାଧିକ ଧଳାବଲ୍ ଶତକ ଜମାଇଥିବାରୁ ଏଠାରେ ଆଉ ଏକ ଅନୁରୂପ ପାଳିର ଆବଶ୍ୟକତା ରହିଛି। ଜିମ୍ବାୱେର ବ୍ୟାଟିଂ ଏତେ ଭଲ ନ ଥିଲେ ମଧ୍ୟ ପାକିସ୍ତାନକୁ ହରାଇବା ସହ ଅନ୍ୟ ଦଳକୁ ଚାଲେଞ୍ଜ୍ ଦେଇ ନିଜ ଶକ୍ତି ଓ ସାମର୍ଥ୍ୟକୁ ଦେଖାଇଛି ଗ୍ରେଗ୍ ଏର୍ଭିନ୍‌ଙ୍କ ଦଳ। ଭାରତ ପାଇଁ କେବଳ ଆର୍ ଅଶ୍ବିନଙ୍କଠାରୁ ଉନ୍ନତ ପ୍ରଦର୍ଶନର ଆବଶ୍ୟକତା ରହିଛି। ଖରାପ ଖେଳୁନଥିଲେ ବି ନିଜ ଖ୍ୟାତି ଓ ସାମର୍ଥ୍ୟ ମୁତାବକ ପ୍ରଦର୍ଶନ ଦେଇନାହାନ୍ତି ଏହି ଅଭିଜ୍ଞ ସ୍ପିନର୍‌। ଜିମ୍ବାୱେ ଦଳରେ ବହୁ ବାମହାତୀ (ଗ୍ରେଗ୍ ଏର୍ଭିନ, ସିନ୍ ଏର୍ଭିନ୍‌, ରୢାନ୍ ବୁର୍ଲ, ସିନ୍ ୱିଲିୟମ୍ସ) ଥିବାରୁ ଭାରତୀୟ ମ୍ୟାନେଜମେଣ୍ଟ୍ ପୁଣି ଦୀପକ ହୁଦାଙ୍କୁ ‌ଖେଳାଇବା କଥା ବିଚାର କରୁଛି। ନିମ୍ନକ୍ରମରେ ଭଲ ବ୍ୟାଟିଂ କରିପାରୁଥିବା ଦ୍ରୁତ ବୋଲର ହର୍ଷଲ୍ ପଟେଲଙ୍କୁ ମଧ୍ୟ ସୁଯୋଗ ଦେବା ଆଲୋଚନା ହୋଇଛି। ମୋଟାମୋଟି ଭାବେ ଭାରତ କିନ୍ତୁ ଅପରିବର୍ତିତ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବା ଯୋଜନା କରିଛି। ଭାରତ ବିଜୟୀ ହେଲେ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ।

ଭାରତ ଓ ଜିମ୍ବାୱେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇନାହାନ୍ତି। ଏହି ଫର୍ମାଟର ବିଶ୍ବକପ୍‌ରେ ଉଭୟ ଦେଶ ରବିବାର ପ୍ରଥମ ଥର ମୁହାଁମୁହିଁ ହେବେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ କିନ୍ତୁ ଭାରତ ୫-୨ରେ ଆଗୁଆ ରହିଛି। ଶେଷ ଥର ପାଇଁ ୨୦୧୬ରେ ପରସ୍ପର ସହ ଖେଳିଥିଲେ। ନିକଟରେ ଭାରତୀୟ ଦିନିକିଆ ଦଳ ଜିମ୍ବାୱେ ଗସ୍ତ କରିଥିଲେ ମଧ୍ୟ କୌଣସି ଟ୍ବେଣ୍ଟି-୨୦ ଖେଳାଳି ସାମିଲ ନଥିଲେ। ପାକିସ୍ତାନକୁ ହରାଇବା ଭଳି ଜିମ୍ବାୱେ ମଧ୍ୟ ଭାରତକୁ ହରାଇ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ଭାରତ ପାଇଁ ପାକିସ୍ତାନ ଜନ୍ମିତ ସିକନ୍ଦର ରାଜା ବିପଦ ହୋଇପାରନ୍ତି।

ପିଚ୍‌: ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ୫ଟି ମ୍ୟାଚ୍‌ରୁ ପ୍ରଥମଟି (ଭାରତ-ପାକିସ୍ତାନ) ବର୍ଷା ଦ୍ବାରା ଅଣପ୍ରଭାବିତ ରହିଥିଲା। ଇଂଲଣ୍ଡ ଓ ଆୟର୍ଲାଣ୍ଡ ମ୍ୟାଚ୍‌ ବର୍ଷା ପାଇଁ କାଣ୍ଟଛାଣ୍ଟ ହୋଇଥିବା ବେଳେ ଇଂଲଣ୍ଡ ହାରିଥିଲା। ଏହା ପରେ ୩ଟି ମ୍ୟାଚ୍‌କୁ ବର୍ଷା ‌ଧୋଇନେଇଛି। ସୌଭାଗ୍ୟବଶତଃ ରବିବାର ମୁକାବିଲା ପାଇଁ ବର୍ଷାର ପୂର୍ବାନୁମାନ ନାହିଁ। ସତେଜ ପିଚ୍‌ କାରଣରୁ ସିମ୍ ବୋଲରଙ୍କୁ ନିଶ୍ଚିତ ସହାୟତା ମିଳିବ। ବ୍ୟାଟର୍‌ମାନେ କିନ୍ତୁ ଭଲରେ ବ୍ୟାଟ୍‌କୁ ବଲ୍ ଆସିବା ଆଶାରେ ରହିଛନ୍ତି। ଚଳିତ ବିଶ୍ବକପ୍‌ରେ ଏ ପର୍ଯ୍ୟନ୍ତ ୧୫୫ରୁ ୧୬୦ ରନ୍‌ ହାରାହାରି ସ୍କୋର୍‌ ରହିଛି। ଭାରତ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇବା ସହିତ ରାହୁଲ-ରୋହିତ ଏକାଠି କ୍ଲିକ୍ କଲେ ୨୦୦ ରନ୍‌ ସ୍କୋର୍‌ କରିବାର ଦକ୍ଷତା ରଖିଛି।

ଭାରତ ସମ୍ଭାବ୍ୟ ୧୧: କେଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ଅକ୍ଷର ପଟେଲ୍‌, ଆର୍‌ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ। ଜିମ୍ବାୱେ ସମ୍ଭାବ୍ୟ ୧୧: ୱେସଲି ମାଧଭେରେ, କ୍ରେଗ୍‌ ଏର୍ଭିନ୍‌ (ଅଧିନାୟକ), ରେଜିସ୍ ଚକାଭା (ୱିକେଟରକ୍ଷକ), ସିନ୍ ୱିଲିୟମ୍ସ, ସିକନ୍ଦର ରାଜା, ମିଲଟନ୍ ଶୁମ୍ଭା, ରୢାନ୍ ବୁର୍ଲ, ଲୁକ୍‌ ଜଙ୍ଗୱେ, ରିଚାର୍ଡ ଏନଗର୍ଭା, ତେଣ୍ଡାଇ ଚତାରା, ବ୍ଲେସିଂ ମୁଜାରବାନୀ।

ସମ୍ବନ୍ଧିତ ଖବର