ଆଜିଠୁ ଭାରତୀୟଙ୍କ ଆଥଲେଟିକ୍ସ ଅଭିଯାନ

ଟୋକିଓ :  ଆଜିଠାରୁ ଟୋକିଓ ଅଲିମ୍ପିକ୍ସର ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଆରମ୍ଭ ହେବ। ସବୁ ଅଲିମ୍ପିକ୍ସ ଖେଳର ମଉଡ଼ମଣି ବୋଲାଉଥିବା ଏବଂ ତୀବ୍ର ପ୍ରତିଦ୍ବନ୍ଦ୍ବିତାଭରା ଆଥଲେଟିକ୍ସ ବା ଦୌଡ଼କୁଦରେ ଏଥର ୨୬ ଜଣ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଗତ ରିଓ ଅଲିମ୍ପିକ୍ସର ଆଥ୍‌ଲେଟିକ୍ସରେ ଭାରତୀୟ ପ୍ରତିଯୋଗୀମା‌ନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବେଳେ ଏଥର କିଛିଟା କମାଲ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ବିଶେଷ କରି ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେ ହିଁ ଆଥଲେଟିକ୍ସରେ ଭାରତର ପଦକ ଖାତା ଖୋଲିବାର ଏକମାତ୍ର ସମ୍ଭାବନା। ବିଦେଶରେ ପ୍ରଶିକ୍ଷଣ ନେଇ ନୀରଜ ମଧ୍ୟ ଏଥିଲାଗି ପୂରା ପ୍ରସ୍ତୁତ ଅଛନ୍ତି। ପଦକ ଜିତିବା ଲାଗି କିନ୍ତୁ ବିଶ୍ବବିଜେତା ଜର୍ମାନିର ଜୋହାନେସ୍ ଭେଟର ଓ ତାଙ୍କ ମଧ୍ୟରେ ଥିବା ପାଖାପାଖି ୮ ଫୁଟ ଦୂରତାକୁ କମାଇବାକୁ ହେବ। ୯୭.୭୬ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ଭେଟର ଏଥର ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୮.୦୭ ମିଟର। ତାଙ୍କ ଛଡ଼ା ଏଥର ବି କୌଣସି ଭାରତୀୟ ପ୍ରତିଯୋଗୀ ଟ୍ରାକ୍ ଆଣ୍ଡ ଫିଲ୍ଡରୁ ପଦକ ଜିତିବାର ସମ୍ଭାବନା ପ୍ରାୟ ନାହିଁ। ଡିସକସ୍ ତାରକା ‌କମଲପ୍ରୀତ କୌର, ସଟପୁଟର ତେଜିନ୍ଦର ସିଂହ ତୁର, ଜାଭେଲିନ୍ ତାରକା ଶିବପାଲ ସିଂହ, ୩୦୦୦ ଷ୍ଟିପଲଚେଜ୍‌ରେ ଅଂଶଗ୍ରହଣ କରିବାକୁ ଯାଉଥିବା ଅଭିନାଶ ସାବଲେ, ଲମ୍ବଡିଆଁରେ ମୁରଲୀ ଶ୍ରୀଶଙ୍କରନ୍, ୨୦ କି‌‌ଲୋମିଟର ଚାଲିରେ କେଟି ଇର୍ଫାନ୍ ପ୍ରମୁଖ ପ୍ରଥମେ ନିଜ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଆଗକୁ ବଢ଼ି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିବେ। ଆଥଲେଟିକ୍ସ ଅଭିଯାନର ପ୍ରଥମ ଦିନରେ ଶୁକ୍ରବାର ଭାରତ ପାଇଁ ଦୌଡ଼ରାଣୀ ଦୂତି ଚାନ୍ଦ, ଷ୍ଟିପଲଚେଜର ଅଭିନାଶ ସାବ୍‌ଲେ, ୪୦୦ ମିଟର ବାଧାଦୌଡ଼ରେ ଏମପି ଜବିର ସକାଳେ ହିଟ୍‌ ଖେଳିବେ। ସଂଧ୍ୟାରେ ୪ ଗୁଣା ୪୦୦ ମିଟର ରିଲେ ଦଳ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇବ।

ରୋଇଂ: ଏକାଦଶରେ ରହିଲେ ଅର୍ଜୁନ-ଅରବିନ୍ଦ
ଭାରତୀୟ ନୌଚାଳକ ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ପୁରୁଷ ଲାଇଟ୍‌ୱେଟ୍‌ ଡବଲ୍‌ ସ୍କଲ୍‌ରେ ୧୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଏହି ଭାରତୀୟ ଯୋଡ଼ି ୭ରୁ ୧୨ତମ ସ୍ଥାନ ଲାଗି ହୋଇଥିବା ରେସ୍‌କୁ ୬:୨୯.୬୬ ସେକେଣ୍ଡ ସମୟ‌ରେ ଶେଷ କରି ପଞ୍ଚମ ଏବଂ ମୋଟ ଉପରେ ଏକାଦଶ ସ୍ଥାନରେ ରହିଥିଲେ। ଏହା ଅଲିମ୍ପିକ୍ସ ସେଲିଂରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଏହି ସମାନ ଇଭେଣ୍ଟ୍‌ରେ ୨୦୦୮ ବେଜିଂ କ୍ରୀଡ଼ାରେ ମନଜିତ ସିଂହ ଓ ଦେବେନ୍ଦର ଖଣ୍ଡୱାଲ ୧୮ତମ ଏବଂ ଏକକ ସ୍କଲ୍‌ରେ ବଜରଙ୍ଗଲାଲ ଟଖର ୨୧ତମ ସ୍ଥାନରେ ରହିଥିଲେ। ୨୦୧୬ ରିଓରେ ଦତୁ ଭୋକାନାଲ ଏକକ ସ୍କଲ୍‌ରେ ୧୩ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

୨୫ ମିଟର ପିସ୍ତଲ ଯୋଗ୍ୟତା: ମନୁ ପଞ୍ଚମ
ସୁଟିଂ ରେଞ୍ଜ୍‌ରେ ୨୫ ମିଟର ପିସ୍ତଲ ଯୋଗ୍ୟତା (ପ୍ରିସିସିଅନ୍‌)ରେ ଭାରତର ମନୁ ଭାକର ଓ ରାହୀ ସୋର୍ଣ୍ଣବତ ଯଥାକ୍ରମେ ପଞ୍ଚମ ଓ ୨୫ତମ ସ୍ଥାନରେ ରହିଛନ୍ତି। ୪୪ ବନ୍ଧୁକଚାଳକଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଭାକର ୩୦ ସଟ୍‌ ଟାର୍ଗେଟ୍‌ରେ ୨୯୨ ସ୍କୋର୍‌ କରିଥିଲେ। ସେହିଭଳି ସୋ‌ର୍ଣ୍ଣବତ ୨୮୭ ସ୍କୋର କରିଥିଲେ। ଶୁକ୍ରବାର ରାପିଡ ରାଉଣ୍ଡ ଖେଳାଯିବ। ଏହାପରେ ଶ୍ରେଷ୍ଠ ୮ ଜଣ ପଦକ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ। ସଂପ୍ରତି ସର୍ବିଆର ଜୋରାନା ଅରୁ‌ନୋଭିକ ୨୯୬ ସ୍କୋର୍‌ ସହ ଶୀର୍ଷରେ ରହିଥିଲା ବେଳେ ଗ୍ରିସ୍‌ର ଆନ୍ନା କୋରାକାକି (୨୯୪) ଦ୍ବିତୀୟରେ ରହିଛନ୍ତି। ଭାକର ପଞ୍ଚମ ସ୍ଥାନରେ ଥିବାରୁ ‌ଫାଇନାଲ୍‌ ପହଞ୍ଚିବାର ଅଶା ଅଧିକ ରହିଛି। ହେଲେ ସୋର୍ଣ୍ଣବତଙ୍କ ପହଞ୍ଚିବାର ଅଶା କମ୍‌ ରହିଛି।

ସେଲିଂରେ ଭାରତ ନିରାଶ
ସେଲିଂରେ ଭାରତୀୟ ପ୍ରତିଯୋଗୀ ପଦକ ରାଉଣ୍ଡରେ ପହଞ୍ଚିବାର ଅଶା ପ୍ରାୟତଃ ଶେଷ ହୋଇଛି। ପୁରୁଷ ସ୍କିଫ୍‌ ୪୯ଇଆର୍‌‌ କ୍ଲାସ୍‌ରେ କେସି ଗଣପତି ଓ ବରୁଣ ଠକ୍କର ଯୋଡ଼ି (୭୬ ପଏଣ୍ଟ୍‌) ୧୯ ପ୍ରତିଯୋଗୀଙ୍କ ମଧ୍ୟରେ ୧୭ତମ ସ୍ଥାନରେ ରହିଛନ୍ତି। ଲେଜର ଇଭେଣ୍ଟ୍‌ରେ ଭାଗନେଇଥିବା ନେତ୍ରା କୁମାନନ ଓ ବିଷ୍ଣୁ ସର୍ବାନନ୍‌ ନିରାଶଜନକ ପ୍ରଦର୍ଶନ ଦେଇଛନ୍ତି। ‌ମହିଳା ବ୍ୟକ୍ତିଗତ ବର୍ଗରେ ନେତ୍ରା ୧୭୭ ପଏଣ୍ଟ୍‌ ସହ ସହ ୪୪ ଜଣଙ୍କ ମଧ୍ୟରେ ୩୧ ଏବଂ ପୁରୁଷରେ ବିଷ୍ଣୁ ୧୩୮ ପଏଣ୍ଟ୍‌ ସହ ୩୫ ଜଣଙ୍କ ମଧ୍ୟରେ ୨୩ତମ ସ୍ଥାନରେ ରହିଛନ୍ତି।

ସନ୍ତରଣ: ସାଜନ ବିଫଳ
ପୁରୁଷ ୧୦୦ ମିଟର ବଟର ଫ୍ଲାଏ ସନ୍ତରଣ ସେମିଫାଇନାଲ୍‌ରେ ପହଞ୍ଚିବାରେ ସାଜନ ପ୍ରକାଶ ବିଫଳ ହୋଇଛନ୍ତି। ହିଟ୍‌‌-୨ରେ ‌ସାଜନ ୫୩.୪୫ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରି ଦ୍ବିତୀୟ‌ ସ୍ଥାନରେ ରହିଥିଲେ। ହେଲେ ମୋଟ ଉପରେ ‌୪୬ତମ ସ୍ଥାନରେ ରହି ସେମିଫାଇନାଲ୍‌ ପୂର୍ବରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର