ନୂଆଦିଲ୍ଲୀ : ଚଳିତ ବର୍ଷର ଏସୀୟ କ୍ରୀଡ଼ା ପାଇଁ ହୋଇଥିବା ଟ୍ରାଏଲ୍ସରେ କିଦାମ୍ବୀ ଶ୍ରୀକାନ୍ତ ଓ ଅସ୍ମିତା ଚାଲିହା ଶୀର୍ଷରେ ରହି ଭାରତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି। ଚାରି ଦିନ ଧରି ହୋଇଥିବା ଟ୍ରାଏଲ୍ସରେ ଉଭୟ ନିଜନିଜର ସମସ୍ତ ୬ ମ୍ୟାଚ୍ ଜିତିଥିଲେ। ସେହିପରି ଲକ୍ଷ୍ୟ ସେନ୍ ୫ ମ୍ୟାଚ୍ ଜିତି ଦ୍ବିତୀୟ ସ୍ଥାନରେ ଓ ଜାତୀୟ ବିଜେତା ମିଥୁନ୍ ମଂଜୁନାଥ ତୃତୀୟ ସ୍ଥାନରେ ରହିଥିଲେ। ଚୀନ୍ର ହାଙ୍ଗଝୁରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଏମାନେ ଭାରତୀୟ ଦଳର ପ୍ରତିନିଧିତ୍ବ କରିବେ। ଭାରତୀୟ ବ୍ୟାଡମିଣ୍ଟନ ସଂଘର ଚୟନ ସମିତି ଏସୀୟ କ୍ରୀଡ଼ା ପାଇଁ ୨୦ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ମହିଳା ଏକକରେ ଚାଲିହାଙ୍କ ସହିତ ଅଲମ୍ପିଆନ୍ ପିଭି ସିନ୍ଧୁ. ଅନୁପମା ଉପାଧ୍ୟାୟ ଓ ମାଳବିକା ବନସୁଦ ମଧ୍ୟ ସ୍ଥାନ ପାଇଛନ୍ତି। ଶେଷ ଥର ପାଇଁ ୨୦୧୮ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ଦଳ କ୍ବାର୍ଟରଫାଇନାଲ୍ରୁ ବିଦାୟ ନେଇଥିଲେ।
ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ା ପୂର୍ବରୁ ଆସନ୍ତା ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚୀନ୍ର ସୁଝୋଉରେ ହେବାକୁ ଥିବା ସୁଦିରମନ୍ କପ୍ ପାଇଁ ଭାରତୀୟ ଦଳ ସୋମବାର ଯାତ୍ରା ଆରମ୍ଭ କରିଛି। ଏହି ପ୍ରତିଯୋଗିତାର ପୁରୁଷ ଏକକରେ ଏଚ୍ଏସ୍ ପ୍ରଣୟ, କିଦାମ୍ବୀ ଶ୍ରୀକାନ୍ତ, ମହିଳା ଏକକରେ ପିଭି ସିନ୍ଧୁ, ଅନୁପମା ଉପାଧ୍ୟାୟ, ପୁରୁଷ ଯୁଗଳରେ ଚିରାଗ-ସାତ୍ତ୍ବିକ ଓ ଧ୍ରୁବ୍-ଅର୍ଜୁନ୍ ଯୋଡ଼ି, ମହିଳା ଯୁଗଳରେ ଗାୟତ୍ରୀ-ତ୍ରିଷା, ଅଶ୍ବିନୀ-ତନୀଷା ଯୋଡ଼ି ଏବଂ ମିଶ୍ରିତ ଯୁଗଳରେ ପ୍ରତୀକ-ତନୀଷାଙ୍କ ଯୋଡ଼ି ପ୍ରତିଦ୍ବନ୍ଦ୍ବିତା କରିବେ। ଭାରତୀୟ ବ୍ୟାଡମିଣ୍ଟନ ଦଳ: ପୁରୁଷ ଏକକ: ଏଚ୍ଏସ୍ ପ୍ରଣୟ, କିଦାମ୍ବୀ ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍, ମିଥୁନ୍ ମଞ୍ଜୁନାଥ। ମହିଳା ଏକକ: ପିଭି ସିନ୍ଧୁ, ଅଶ୍ମିତା ଚାଲିହା, ଅନୁପମା ଉପାଧ୍ୟାୟ, ମାଳବିକା ବନସୋଦ, ପୁରୁଷ ଯୁଗଳ: ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ, ଧ୍ରୁବ କାପିଲା-ଏମ୍ଆର୍ ଅର୍ଜୁନ, ମହିଳା ଯୁଗଳ: ଗାୟତ୍ରୀ ଗୋପୀଚାନ୍ଦ-ତ୍ରୀଷା ଜଲି, ଅଶ୍ବିନୀ ପୋନାପ୍ପା-ତନୀଷା କ୍ରାଷ୍ଟ୍ରୋ, ମିଶ୍ରିତ ଯୁଗଳଷ ରୋହନ କାପୁର-ଏନ୍ ସିକ୍କି ରେଡ୍ଡୀ, ସାଇ ପ୍ରତୀକ-ତନୀଷା କ୍ରାଷ୍ଟୋ।