ଭୁବନେଶ୍ବର: ଜର୍ମାନୀର ରାଇନେ-ରୁହରଠାରେ ଚାଲିଥିବା ଫିସୁ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ମିଶ୍ରିତ ଯୁଗଳ ବ୍ୟାଡମିଣ୍ଟନ୍ ଦଳ ପ୍ରଥମ ପଦକ ଜିତି ଇତିହାସ ରଚିଛି। ଭାରତୀୟ ଦଳ ରବିବାର ଏହି ଇଭେଣ୍ଟ୍‌ରେ କାଂସ୍ୟ ପଦକ ଜିତି ନୂଆ ଅଧ୍ୟାୟ ଯୋଡ଼ିଛି। ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତ ଶକ୍ତିଶାଳୀ ମାଲେସିଆକୁ ୩-୨ରେ ହରାଇ ସେମିଫାଇନାଲ୍‌କୁ ଯାଇଥିଲା। ସେଠାରେ ଚାଇନିଜ୍ ତାଇପେଇଠାରୁ ହାରି ଲୁଜିଂ ସେମିଫାଇନାଲିଷ୍ଟ ଭାବେ କାଂସ୍ୟ ପଦକ ହାସଲ କରିଥିଲା। ଭାରତୀୟ ବ୍ୟାଡମିଣ୍ଟନ୍ ଦଳର ଅଧିକାଂଶ ସଦସ୍ୟ କିଟ୍ ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ କରିବା ଏହି ସଫଳତାକୁ ଆହୁରି ଉଲ୍ଲେଖନୀୟ କରିଛି।

Advertisment

ଏହି ସ୍ମରଣୀୟ ଓ ବିରଳ ସଫଳତାରେ ଖୁସି ଜାହିର କରି କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଫେସର୍ ଅଚ୍ୟୁତ ସାମନ୍ତ କହିଛନ୍ତି, ଏହା କେବଳ ଭାରତ ପାଇଁ ଐତିହାସିକ ମାଇଲ୍‌ଖୁଣ୍ଟ ନୁହେଁ, ଓଡ଼ିଶା ଓ କିଟ୍ ପାଇଁ ମଧ୍ୟ ଗୌରବର ବିଷୟ। ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପ୍ରଥମ ବ୍ୟାଡ୍‌ମିଣ୍ଟନ୍‌ ପଦକ ଜିତିବା ନେଇ ମୁଁ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ପଦକ ବର୍ଷ ବର୍ଷର ପ୍ରସ୍ତୁତି, ଏକାଗ୍ରତା ଓ ସଂସ୍ଥାଗତ ସମର୍ଥନର ଫଳ। ସୂଚନାଯୋଗ୍ୟ ଯେ ସୋମବାରଠାରୁ ଏହି ପ୍ରତିଯୋଗିତାର ଆଥଲେଟିକ୍ସ ପର୍ଯ୍ୟାୟ ଆରମ୍ଭ ହେଉଥିଲା ବେଳେ ସବୁ ନଜର ଏବେ ଦେଶର ଦ୍ରୁତତମ ଧାବକ ତଥା କିଟ୍ ଛାତ୍ର ଅନିମେଷ କୁଜୁରଙ୍କ ଉପରେ ରହିଛି। ଅନିମେଷ ୧୦୦, ୨୦୦ ଓ ୪ଗୁଣା ୧୦୦ ରିଲେ ଦୌଡ଼ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଶ୍ରୀ ସାମନ୍ତ ଏଥିଲାଗି ତାଙ୍କୁ ଶୁଭକମନା ଜ୍ଞାପନ କରିଛନ୍ତି।