ସଂକଟରେ ଟିମ୍‌ ଇଣ୍ଡିଆ, ୨ୟ ଟି-୨୦ରେ ଖେଳି ନପାରନ୍ତି ଏହି କ୍ରିକେଟର୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ବୁଧବାର ପ୍ରଥମ ଟି-୨୦ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଶୁକ୍ରବାର ଖେଳାଯାଉଥିବା ୨ୟ ଟି-୨୦ରେ ରଣନୀତି ପରିବର୍ତ୍ତନ କରିପାରେ। ୩ ମ୍ୟାଚ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଥିବା ବେଳେ କ୍ରମାଗତ ଭାବରେ ୭ଟି ଦ୍ୱିପାକ୍ଷିକ ଟି-୨୦ ଶୃଙ୍ଖଳା ଜିତିଛି। ଚଳିତ ଶୃଙ୍ଖଳାକୁ ମଧ୍ୟ ଭାରତ ଜିତିବାକୁ ଚାହିଁବ। ଏଥି ପାଇଁ ବ୍ୟାଟିଂ ଓ ବୋଲିଂରେ କିଛି ପରିବର୍ତ୍ତନ କରିପାରେ।

କେଏଲ୍‌ ରାହୁଲଙ୍କ ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଟସ୍‌ମ୍ୟାନ କ୍ରମରେ ପରିବର୍ତ୍ତନ ହୋଇପାରେ। ଇଂଲଣ୍ଡ ବିରୋଧରେ ମଞ୍ଚେଷ୍ଟରରେ ପ୍ରଥମ ଟି-୨୦ରେ ଅପରାଜିତ ୧୦୧ ରନ୍‌ ସଂଗ୍ରହ କରିବା ପରେ ପରବର୍ତ୍ତୀ ୬ଟି ମ୍ୟାଚରେ ୬ ରନ, ୧୯ ରନ, ୧୬ ରନ୍‌, ଅପରାଜିତ ୨୬ ରନ୍‌, ୧୭ ରନ୍‌ ଏବଂ ୧୩ ରନ୍‌ ସଂଗ୍ରହ କରିଥିଲେ।

ଟିମ୍‌ ଇଣ୍ଡିଆ ପରିଚାଳନା ବୋଲିଂକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ରିସବେନରେ କ୍ରୁଣାଲ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୫୫ ରନ ଦେଇଥିଲେ। ତାଙ୍କ ବଲରେ ୬ଟି ଛକା ସଂଗ୍ରହ ହୋଇଥିଲା। ଏମସିଜି ପିଚରେ ମଧ୍ୟ ଏଭଳି ହୋଇପାରେ। ଯୁଜବେନ୍ଦ୍ର ଚହଲଙ୍କୁ କୋହଲି ସୁଯୋଗ ଦେଇପାରନ୍ତି। ପାଞ୍ଚ ଦିନ ମଧ୍ୟରେ ଶୃଙ୍ଖଳାର ୩ଟି ମ୍ୟାଚ ଖେଳାଯାଉଥିବାରୁ ଦୁର୍ବଳତାକୁ ସଂଶୋଧନ କରିବା ପାଇଁ ହାତରେ ସମୟ କମ୍‌ ରହିଛି।

ସମ୍ବନ୍ଧିତ ଖବର