ଇଂଲଣ୍ଡକୁ ୩୬ ରନରେ ପରାସ୍ତ କରି ସିରିଜ ହାତେଇଲା ଭାରତ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ୫ମ ତଥା ନିର୍ଣ୍ଣାୟକ ଟି-୨୦ରେ ଭାରତ ଇଂଲଣ୍ଡକୁ ୩୬ରନରେ ପରାସ୍ତ କରିଛି । ଏହା ସହିତ ଭାରତ ୩-୨ରେ ସିରିଜ ବିଜୟୀ ହୋଇଛି ।

ଭାରତର ୨୨୫ ରନ ଜବାବରେ ଇଂଲଣ୍ଡ ଦଳ ୮ ଓ୍ବିକେଟ ହରାଇ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଡେଓ୍ବିଡ୍ ମଲାନ ୬୮, ଜସ ବଟଲର ୫୨ ରନ କରିଥିଲେ । କିନ୍ତୁ ଦଳର ମଧ୍ୟଭାଗ ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି, ଭୁବନେଶ୍ବର କୁମାର ୨ଟି ଓ ଟି.ନଟରାଜନ ଓ ହାର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜି ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାଟ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଇନିଂସ ଓପନ କରିଥିଲେ । ରୋହିତ ଆଜି ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୪ ବଲରେ ୬୪ ରନ କରିଥିଲେ । ତେବେ ଅନ୍ୟପଟେ ଥିବା ବିରାଟ ସତର୍କତାର ସହ ବ୍ୟାଟିଂ କରି ଇନିଂସ ଶେଷ ଯାଏ  ଅପରାଜିତ ରହିବା ସହ ସର୍ବାଧିକ ୮୦ ରନ (୫୨ ବଲ) କରିଥିଲେ । ସୂର୍ୟ୍ୟକୁମାର ଯାଦବ ୧୭ ବଲରେ ୩୨ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୯ ରନ କରିଥିଲେ । ଏହାଫଳରେ ଭାରତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୪ ରନ କରିଥିଲା ।

ସମ୍ବନ୍ଧିତ ଖବର