ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ୮ ରନରେ ହରାଇଲା ଭାରତ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛି । ଭାରତ ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଇଂଲଣ୍ଡ ୨୦ ଓଭରରେ ୧୭୭ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜେସନ ରଏ ୪୦ ଓ ବେନ ଷ୍ଟୋକ୍ସ ୪୬ ରନ କରିଥିଲେ । ସେହିପରି ଜନି ବେୟାରଷ୍ଟୋ ୨୫ ରନ ଓ ଜୋଫ୍ରା ଆର୍ଚର ମାତ୍ର ୮ଟି ବଲରେ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ଚହର ୨ଟି ଲେଖାଏଁ ଓ ଭୁବନେଶ୍ବର କୁମାର ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଜି ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା (୧୨) ଓ କେଏଲ ରାହୁଲ(୧୪) ଶସ୍ତାରେ ଆଉଟ୍ ହେବା ପରେ ବ୍ୟାଟିଂ ଲାଗି ଆସିଥିବା ସୂର୍ୟ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୧ ବଲରେ ୫୭ ରନ କରିଥିଲେ । ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ ଋଷଭ ପନ୍ତ ୩୦ ରନ୍ ଓ ଶ୍ରେୟସ ଆୟର ୩୭ ରନ ଯୋଗ କରିଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୫ ରନ କରିଥିଲା ।

ଏହା ଫଳରେ ଚଳିତ ଟି-୨୦ସିରିଜରେ ଭାରତ ଓ ଇଂଲଣ୍ଡ ବରାବର ସ୍ଥିତିକୁ ଆସିଛନ୍ତି । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଜିତିଛନ୍ତି।

ସମ୍ବନ୍ଧିତ ଖବର