ଢାକା: ପୁଣି ଥରେ ପାକିସ୍ତାନ ହକି ଦଳକୁ ଦଳି ଦେଇଛି ଭାରତ। ଚଳିତ ଦଶମ ଏସିଆ କପ୍ ହକିରେ ଶନିବାର ଖେଳାଯାଇଥିବା ସୁପର୍-୪ର ଏହି ସୁପର୍ ମୁକାବିଲାରେ ଭାରତ ୪-୦ ବିଜୟ ସହିତ ଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ପାକିସ୍ତାନ ଫାଇନାଲ୍ ପ୍ରବେଶରୁ ବଞ୍ଚିତ ହୋଇଛି। ଶନିବାରର ବିଜୟ ସହିତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ମଧ୍ୟ ଦୋହରା ସଫଳତା ପାଇଛି। ଗତ ସପ୍ତାହରେ ଲିଗ୍ ପର୍ଯ୍ୟାୟରେ ଭାରତ ୩-୧ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ଫାଇନାଲ୍ରେ ରବିବାର ମାଲେସିଆକୁ ଭେଟିବ। ଶନିବାର ଅନ୍ୟ ମ୍ୟାଚ୍ରେ ଦକ୍ଷିଣ କୋରିଆ ସହ ୧-୧ ଗୋଲ୍ରେ ଅମୀମାଂସିତ ରଖି ମାଲେସିଆ ଫାଇନାଲ୍ ଖେଳିବା ସୁଯୋଗ ପାଇଛି। ୨୪ ମିନିଟ୍ରେ ୟାଙ୍ଗ୍ ଜିହୁନ୍ଙ୍କ ପେନାଲ୍ଟି କର୍ନର ଗୋଲ୍ ବଳରେ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ୧-୦ରେ ଆଗୁଆ ରହି ବିଜୟ ସମ୍ଭାବନା ସୃଷ୍ଟି କରିଥିବା ଦକ୍ଷିଣ କୋରିଆ ଶେଷ କ୍ୱାର୍ଟରରେ ଗୋଲ୍ ବରଣ କରିଥିଲା। ୫୯ ମିନିଟ୍ରେ ସାରି ଫୈଜଲ୍ ପେନାଲ୍ଟି କର୍ନରରୁ ମାଲେସିଆ ପାଇଁ ଗୋଲ୍ ଶୁଝି ଦେବାରୁ ଦକ୍ଷିଣ କୋରିଆର ବିଜୟ ସହ ଫାଇନାଲ୍ ଖେଳିବା ଆଶା ମଉଳି ଯାଇଥିଲା।
ଶନିବାର ନିଜର ଶେଷ ସୁପର୍-୪ ମୁକାବିଲାରେ ଭାରତ ପ୍ରଥମାର୍ଧ ଖେଳରେ ରକ୍ଷଣାତ୍ମକ ଖେଳିଥିଲା। ଉଭୟ ଦଳ ପାଇଥିବା ପେନାଲଟି କର୍ନରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ପ୍ରଥମ ଦୁଇ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ସତବୀର ସିଂହଙ୍କ ଚମତ୍କାର ଫିଲ୍ଡ ଗୋଲ୍ ଭାରତକୁ ୩୯ତମ ମିନିଟରେ ପ୍ରଥମେ ଆଗୁଆ କରିଥିଲା। କିନ୍ତୁ ଗୁର୍ଜାଣ୍ଟ ସିଂହଙ୍କ ସଟ୍କୁ ସତବୀର ଶେଷ ସ୍ପର୍ଷ ଦେଇଥିବାରୁ ଗୋଲସ୍କୋରର୍ ହକଦାର ହୋଇଥିଲେ। ତୃତୀୟ କ୍ୱାର୍ଟରସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା। ଏହା ପରେ ଭାରତ ପ୍ରଧାନ୍ୟ ବିସ୍ତାର କରି ପାକିସ୍ତାନ ଗୋଲ୍ ଉପରେ ଘନ ଘନ ଆକ୍ରମଣ କରିଥିଲା। ଫଳରେ ଦଳକୁ ୭ ମିନିଟ୍ ଭିତରେ ୩ ଗୋଲ୍ ମିଳିଥିଲା। ଏକାଧିକ ଥର ପେନାଲ୍ଟି କର୍ନରରେ ନିଷ୍ଫଳ ରହିବା ପରେ ୫୧ତମ ମିନିଟ୍ରେ ହରମନପ୍ରୀତ୍ ସିଂହ ଏହାକୁ ଗୋଲ୍ରେ ପରିଣତ କରିଥିଲେ। ପରବର୍ତୀ ମିନିଟ୍ରେ ୧୦ ଜଣିଆ ପାକିସ୍ତାନର ଫାଇଦା ନେଇ ଲଳିତ ଉପାଧ୍ୟାୟ (୫୨) ଫିଲଡ୍ ଗୋଲ୍ ଜରିଆରେ ଭାରତକୁ ୩-୦ରେ ଆଗୁଆ କରି ଦେଇଥିଲେ। ଭାରତ ଏତିକିରେ ସନ୍ତୁଷ୍ଟ ହୋଇନଥିଲା। ୫୭ତମ ମିନିଟ୍ରେ ଆକାଶଦୀପ ସିଂହଙ୍କଠାରୁ ପାଇଥିବା ପାସ୍ରୁ ଗୁରଜାଣ୍ଟ୍ ସିଂହଙ୍କ ଫିଲ୍ଡ ଗୋଲ୍ ଦଳକୁ ୪-୦ରେ ବିଜୟ ମଣ୍ଡିତ କରିଥିଲା। ଏକାଧିକ ଗୋଲ୍କୁ ରକ୍ଷା କରିଥିବା ପାକିସ୍ତାନ ଗୋଲରକ୍ଷକ ମଜହର ଆବାସ ଶେଷ କ୍ୱାର୍ଟରରେ କିନ୍ତୁ ଭାରତୀୟଙ୍କ ଆଗରେ ସମ୍ପୂର୍ଣ୍ଣ ହାର ମାନିଥିଲେ।
ଏହି ବିଜୟ ସହ ଭାରତ ‘ସୁପର-୪’ ପର୍ଯ୍ୟାୟରେ ପଏଣ୍ଟ୍ ତାଲିକାର ଶୀର୍ଷକୁ ଲମ୍ଫ ଦେଇଛି। ଭାରତ ୩ ମ୍ୟାଚ୍ରୁ ୨ ବିଜୟ ଓ ଗୋଟିଏ ଅମୀମାଂସିତ ସହ ୭ ପଏଣ୍ଟ୍ ପାଇଥିଲା ବେଳେ ମାଲେସିଆ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତରୁ ୪ ପଏଣ୍ଟ୍ ପାଇ ଦ୍ୱିତୀୟ ସ୍ଥାନ ପାଇଛି।
ଜାପାନ, ବାଂଲାଦେଶ, ଚୀନ୍ ଓ ଓମାନ୍ ଚଳିତ ଏସିଆ କପ୍ରେ ଯଥାକ୍ରମେ ଶେଷ ୪ ସ୍ଥାନରେ ନିଜ ନିଜର ଅଭିଯାନ ଶେଷ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ଜାପାନ ୪-୦ ଗୋଲ୍ରେ ବାଂଲାଦେଶକୁ ପରାସ୍ତ କରି ପଞ୍ଚମ ସ୍ଥାନ ପାଇଥିଲା ବେଳେ ଚୀନ୍ ୩-୨ ଗୋଲ୍ରେ ଓମାନ୍କୁ ପରାସ୍ତ କରି ସପ୍ତମ ସ୍ଥାନ ପାଇଥିଲା।