ଭାରତୀୟ ଦୃଷ୍ଟିହୀନ ବିଶ୍ୱକପ୍‌ ଦଳରେ ଜାଫର, ପଙ୍କଜ

ଭୁବନେଶ୍ୱର(ଇମିସ): ଆସନ୍ତା ବର୍ଷ ଜାନୁଆରି ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ଏବଂ ଦୁବାଇରେ ହେବାକୁଥିବା ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଦୁଇ ଓଡ଼ିଆ ତାରକା ମହମ୍ମଦ ଜାପର ଇକ୍‌ବାଲ୍‌ ଏବଂ ପଙ୍କଜ ଭୂଏଙ୍କୁ ସ୍ଥାନ ମିଳିଛି। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବୁଦ୍ଧ ପାର୍କଠାରେ ଏହି ଦୁଇ ତାରକାଙ୍କୁ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଛି।

ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ନକ୍ଷତ୍ର ନ୍ୟୁଜ୍‌ ଚ୍ୟାନେଲ୍‌ ମୁଖ୍ୟ ଅଶୋକ କୁମାର ନାୟକ, ଟିସିଏସ୍‌ ସିଏସ୍‌ଆର୍‌ ମୁଖ୍ୟ ପ୍ରିୟା ଏସ୍‌ ମହାପାତ୍ର, ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ, ହିମାଳୟ ଆରୋହଣକାରୀ ଅର୍ପିତା ମହାପାତ୍ର, ରୋଟାରିଆନ୍‌ ପ୍ରଶାନ୍ତ ପ୍ରଧାନ, ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ପ୍ରାଧ୍ୟାପକ ଡକ୍ଟର ସଂଜୟ କୁମାର ଶତପଥୀ ଏବଂ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘର ସମ୍ପାଦକ ସନ୍ୟାସ ବେହେରା, ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ସଦସ୍ୟ ଯୋଗେନ୍ଦ୍ର ଜାନି, ଶୁଶ୍ରୀ ବିଶ୍ୱବନ୍ଦିତା, ସ୍ପେସାଲ ବିଇଡ୍‌ କଲେଜ ଅଧ୍ୟାପିକା ନମିତା ଦେବୀ ଏବଂ ସାବିତ୍ରୀ ସାମନ୍ତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର