ଭାରତୀୟ କ୍ରିକେଟର୍‌ଙ୍କ ଦରମା ଦୁଇଗୁଣା ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ଙ୍କୁ ଦରମା ଆସନ୍ତା ଋତୁରୁ ପ୍ରାୟ ଦୁଇ ଗୁଣା ହୋଇଯିବ। ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ବିିସିସିଆଇର ବର୍ତମାନ କର୍ପସ ରାଶି ୧୮୦ କୋଟି ଥିବାବେଳେ ଏଥିରେ ଅଧିକ ୨୦୦ କୋଟି ସଂଯୋଗ କରିବାକୁ ଯୋଜନା କରିଛି। ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କ ପାଇଁ ବଣ୍ଟୁଆରାକୁ ନେଇ ସିଓଏ କାର୍ଯ୍ୟ କରୁଛି। ସଂଶୋଧିତ ସୂତ୍ରକୁ ଆସନ୍ତା ବିସିସିଆଇ ସାଧାରଣ ପରିଷଦ ବୈଠକରେ ଅନୁମୋଦନ କରାଯିବ। ଦୀର୍ଘ ଦିନ ଧରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦରମା ବୃଦ୍ଧି ନେଇ ଦାବି ଉପସ୍ଥାପନ କରି ଆସୁଥିଲେ। ବର୍ତମାନର ବ୍ୟବସ୍ଥା ଅନୁସାରେ ବିସିସିଆଇ ରାଜସ୍ୱର ୨୬ ପ୍ରତିଶତରୁ ଅନ୍ତର୍ଜାତୀୟ ଖେଳାଳିଙ୍କୁ ୧୩ ପ୍ରତିଶତ, ଘରୋଇ କ୍ରିକେଟରଙ୍କୁ ୧୦.୬ ପ୍ରତିଶତ ଏବଂ ଅବଶିଷ୍ଟକୁ ମହିଳା ଓ କନିଷ୍ଠ ଖେଳାଳିଙ୍କୁ ପ୍ରଦାନ କରାଯାଉଛି। ଏହି ବ୍ୟବସ୍ଥାରେ ପରିବର୍ତନ କରାଯିବ। ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୭ ମସିହାରେ ୪୬ ମ୍ୟାଚ୍‌ରୁ ୫.୫୧ କୋଟି ଟଙ୍କା ଆୟ କରିଥିବାବେଳେ ବର୍ଦ୍ଧିତ ରାଶି ଅନୁସାରେ ସେ ବର୍ଷକୁ ପ୍ରାୟ ୧୦ କୋଟି ପାଇବେ। ଏହା ଛଡ଼ା କୋହଲି ଆଇପିଏଲ୍‌ ଓ ବ୍ୟକ୍ତିଗତ ପ୍ରାୟୋଜନରୁ ଅଧିକ ପାଉଣା ପାଇବେ। ସେହିଭଳି ରଣଜୀ ଟ୍ରଫି ଖେଳାଳି ବର୍ତମାନ ବାର୍ଷିକ ୧୨ରୁ ୧୫ ଲକ୍ଷ ପାଉଥିବାବେଳେ ନୂଆ ସୂତ୍ର ୍ରଅନୁମୋଦିତ ହେଲେ ଏହା ୩୦ ଲକ୍ଷକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଘରୋଇ କ୍ରିକେଟର୍‌ଙ୍କ ପାଉଣା ବୃଦ୍ଧି ପାଇଁ ସୌରଭ ଗାଙ୍ଗୁଲି ସୋମବାର ବିସିସିଆଇ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଦାବି ଉଠାଇଥିଲେ। ସେହିଭଳି ସୀମିତ ଓଭର ଖେଳୁନଥିବା ଟେଷ୍ଟ ତାରକା ଚେତେଶ୍ୱର ପୂଜାରାଙ୍କ ପାଉଣା ବୃଦ୍ଧି ପାଇଁ ମଧ୍ୟ ବିସିସିଆଇ ରାଜି ହୋଇଛି।

ସମ୍ବନ୍ଧିତ ଖବର