ମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବନି। ବରଂ ଏସିଆ କପ୍ ଭଳି ହାଇବ୍ରିଡ୍ ମଡେଲରେ ଭାରତର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କା କିମ୍ବା ଦୁବାଇରେ ଆୟୋଜନ କରିବାକୁ ପ୍ରସ୍ତାବ ଦେବ। ଖୁବଶୀଘ୍ର ଏଥିନେଇ ଆଇସିସି ସହ ଯୋଗାଯୋଗ କରିବ। ଗୁରୁବାର ଏଭଳି ସୂଚନା ଦେଇଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ। ଫଳରେ ଏସିଆ କପ୍ ଭଳି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଓ ବିସିସିଆଇ ପୁଣି ଥରେ ମୁହାଁମୁହିଁ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତାବର୍ଷ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଲାଗି ପିସିବି ଖେଳସୂଚୀ ଘୋଷଣା କରି ସାରିଥିଲା ବେଳେ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବ ବୋଲି କହିଛି। ଏପରିକି ଭାରତ-ପାକିସ୍ତାନ ମହାମୁକାବିଲା ମାର୍ଚ୍ଚ ପହିଲାରେ ହେବ ବୋଲି ସୂଚୀରେ ରହିଛି। ହେଲେ ବିସିସିଆଇ ଏପର୍ଯ୍ୟନ୍ତ ଏଥିନେଇ ସହମତି ଦେଇନି କିମ୍ବା ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନି।
ସେପଟେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା କମ୍ ଥିବା ଆକଳନ କରି ପିସିବି ଏହି ମାମଲା ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ବୋର୍ଡ ବୈଠକରେ ଉଠାଇବାକୁ ପ୍ରସ୍ତୁତ ହେଉଛି। ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ନଆସିଲେ ୨୦୨୬ ଏକଦିବସୀୟ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଭାରତ ଯିବନି ବୋଲି ଧମକ ବି ଦେଇ ସାରିଛି। ସେହିଭଳି ଭାରତୀୟ କ୍ରିକେଟ୍ ଦଳର ବିଦେଶ ଗସ୍ତ ଲାଗି ଭାରତ ସରକାରଙ୍କ ଅନୁମତି ଲୋଡ଼ା ଥିବାରୁ ବିସିସିଆଇ କିନ୍ତୁ ପୁଣି ଥରେ ଏହାକୁ ଆଳ କରି ପାକିସ୍ତାନ ଗସ୍ତକୁ ଏଡ଼ାଇଯିବ ବୋଲି ପାକିସ୍ତାନରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଭଳି ପରିସ୍ଥିତିରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏଥିଲାଗି ଚାଲିଥିବା ଶୀତଳ ଯୁଦ୍ଧ ଆଇସିସିକୁ ପୁଣି ଥରେ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ଭାରତୀୟ କ୍ରିକେଟ୍ ଦଳ ଶେଷ ଥର ପାଇଁ ୨୦୦୮ ମସିହାରେ ପାକିସ୍ତାନ ଗସ୍ତ କରିଥିଲା। ସେବେଠାରୁ ଟିମ୍ ଇଣ୍ଡିଆ ସୁରକ୍ଷା କାରଣରୁ ସେଠାକୁ ଆଉ ଗସ୍ତ କରିନି। ହେଲେ ଆଇସିସି ପ୍ରତିଯୋଗିତାରେ ଉଭୟ ଦଳ ପରସ୍ପର ବିପକ୍ଷରେ ବହୁ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍ଗୁଡ଼ିକ ବିସିସିଆଇର ଅନୁରୋଧକ୍ରମେ ଆଇସିସି ନିରପେକ୍ଷ ସ୍ଥାନରେ ଆୟୋଜନ କରିଛି। ଏଭଳି ଏକ ସ୍ଥିତି ଗତ ଏସିଆ କପ୍ରେ ସୃଷ୍ଟି ହୋଇଥିଲା। ସମାଧାନର ବାଟ ଭାବେ ଶେଷ ମୁହୂର୍ତ୍ତରେ ବିଜେତା ଭାରତର ମ୍ୟାଚ୍ଗୁଡ଼ିକ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫିର ଶେଷ ସଂସ୍କରଣ ୨୦୧୭ ମସିହାରେ ଇଂଲଣ୍ଡରେ ଖେଳାଯାଇଥିଲା। ହାଇଭୋଲ୍ଟେଜ୍ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ବ୍ୟସ୍ତ ବହୁଳ ସୂଚୀ ଲାଗି ଗତ ୬ବର୍ଷ ହେବ ଏହି ୫୦ ଓଭରିଆ ସମ୍ମାନଜନକ ପ୍ରତିଯୋଗିତା ଆୟୋଜିତ ହୋଇନି। ତେବେ ୨୦୨୫ରେ ପାକିସ୍ତାନରେ ଖେଳାଯିବ ବୋଲି ଆଇସିସି ସ୍ଥିର କରିଛି। ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫି ଲାଗି ପାକିସ୍ତାନ ଗସ୍ତ କରିବନି ବୋଲି ଖବର ପଦାକୁ ଆସିବା ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଦଳର ଗସ୍ତ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କିନ୍ତୁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍ ସଂପର୍କ ପୁନଃସ୍ଥାପନ କରିବା ଉପରେ ଜୋର ଦେଇଛନ୍ତି। ସେହିଭଳି କିଛି କ୍ରିକେଟ୍ ବିଶେଷଜ୍ଞ ପାକିସ୍ତାନ ଗସ୍ତ କରିବାକୁ ଭାରତୀୟ କ୍ରିକେଟ୍ ଦଳକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରିଛନ୍ତି।