ସେଞ୍ଚୁରିଅନ୍: ଚଳିତ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ୍ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ତାର ଅଭ୍ୟାସକୁ ତୀବ୍ରତର କରିଛି। ସ୍ଥାନୀୟ ସୁପରସ୍ପୋର୍ଟ ପାର୍କଠାରେ ଭାରତୀୟ କ୍ରିକେଟ୍ ଦଳ ନେଟ୍ସରେ ନିଜ ଦକ୍ଷତା ଓ ରଣନୀତିକୁ ଆହୁରି ଶାଣିତ କରିବାରେ ଲାଗିଛି। ସୁପରସ୍ପୋର୍ଟ ପାର୍କ ପିଚ୍ ବୋଲରଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ ବୋଲି ଆକଳନ କରାଯାଉଥିଲା ବେଳେ ଭାରତୀୟ ବୋଲରମାନେ ମଧ୍ୟ ନୂଆ ପରିବେଶରେ ନିଜ ଲାଇନ୍ ଲେନ୍ଥ ସଜାଡ଼ିବାରେ ଲାଗିପଡ଼ିଛନ୍ତି। ବିସିସିଆଇ ଦ୍ବାରା ପ୍ରକାଶ କରାଯାଉଥିବା ଭିଡିଓରେ ଦଳର ଯୁବ ତାରକା ଶ୍ରେୟସ୍ ଆୟର ଏହି ପିଚ୍‌କୁ ନେଇ ନିଜ ବିଶେଷଜ୍ଞ ମତ ପ୍ରଦାନ କରିଛନ୍ତି। ‘‘ମୁଁ କହିବି ଯେ ଏହା (ସୁପରସ୍ପୋର୍ଟ ପାର୍କ ପିଚ୍) ବୋଲରଙ୍କ ଭୂସ୍ବର୍ଗ ପାଲଟିବ। ୱିକେଟ୍‌ରେ ଘାସ ରହିଛି। ଢେର ଉଚ୍ଛାଳ ବି ଅଛି’’ ବୋଲି ସେ କହିଛନ୍ତି।

Advertisment

ସୋମବାର ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ ଅଭ୍ୟାସ କରିଥିଲା। ଏଥିରେ ଅନ୍ୟ ସହକାରୀ ଅଧିକାରୀମାନେ ସହଯୋଗ କରିଥିଲେ। ‘‘ପ୍ରଥମ ମ୍ୟାଚ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଆସନ୍ତା ତିନି ଦିନ ଆମ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଉଚ୍ଚ ଗୁଣମାନର ଅଭ୍ୟାସ ଓ ଏକାଗ୍ରତା ଉପରେ ହିଁ ଆମର ସବୁଧ୍ୟାନ ରହିବ’’ ବୋଲି ଦ୍ରାବିଡ଼ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍ ଦଳ ଗତ ଗୁରୁବାର ଦକ୍ଷିଣ ଆଫ୍ରିକା ପହଞ୍ଚିଥିଲା। ହେଲେ କୋଭିଡ୍ ସଙ୍ଗରୋଧ ପାଇଁ ଦୁଇ ଦିନ ପରେ ଅର୍ଥାତ୍ ଶନିବାର ହିଁ କିଛି ଶାରୀରିକ ଅଭ୍ୟାସରୁ ପ୍ରସ୍ତୁତି ଆରମ୍ଭ କରିପାରିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୯୯୨ରୁ ୨୦୧୯ର ଅବଧିରେ ୩୯ ଟେଷ୍ଟ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୪ ଏବଂ ଦକ୍ଷିଣ ଆଫ୍ରିକା ୧୫ ଟେଷ୍ଟ୍ ଜିତିଛି। ୧୦ ମ୍ୟାଚ୍ ଅମୀମାଂସିତ ରହିଛି। ଦକ୍ଷିଣ ଆଫ୍ରିକା ମାଟିରେ ଉଭୟ ଦଳ ପରସ୍ପର ବିପକ୍ଷରେ ୨୦ ଟେଷ୍ଟ୍ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ମାତ୍ର ୩ ଟେଷ୍ଟ୍ ଜିତିଥିଲା ବେଳେ ୧୦ ଟେଷ୍ଟ୍ ଜିତି ଘରୋଇ ଦଳ ଢେର ଆଗରେ ରହିଛି। ୭ ଟେଷ୍ଟ୍‌ର ଫଳାଫଳ ମିଳିନି।

ସେଞ୍ଚୁରିଅନ୍: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ସହ ଦିନିକିଆ ଶୃଙ୍ଖଳା ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଓ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ଭାରତ-ଦକ୍ଷିଣ ଆଫ୍ରିକା ବକ୍ସିଂ ଡେ’ ଟେଷ୍ଟ୍ ବିନା ଦର୍ଶକରେ ଖେଳାଯିବ ବୋଲି ଖବର ଆସିଥିଲା। ତେବେ ପରେ ଉଭୟ ଶୃଙ୍ଖଳା ଖାଲି ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଆନୁଷ୍ଠାନିକ ‌ଭା‌ବେ ଘୋଷଣା କରିଥିଲା। ଆୟୋଜକ ବୋର୍ଡ ମଧ୍ୟ ନିଜ ଦେଶରେ ବଢ଼ି ଚାଲିଥିବା ଓମିକ୍ରନ୍ ସଂକ୍ରମଣ ମାମଲା ପାଇଁ ଦୁଇଟି ଯାକ ଶୃଙ୍ଖଳା ଲାଗି ଦର୍ଶକଙ୍କୁ ଟିକେଟ୍ ବିକ୍ରି କରୁନାହିଁ। କେବଳ କିଛି ବିଶିଷ୍ଟ ବ୍ୟକ୍ତି, ପ୍ରାୟୋଜକ ଏବଂ ପ୍ରତିନିଧିଙ୍କ ଗହଣରେ ହିଁ ଶୃଙ୍ଖଳା ଖେଳାଯିବ ବୋଲି ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ସରକାର କିନ୍ତୁ ମ୍ୟାଚ୍ ଲାଗି ୨,୦୦୦ ଟିକେଟ୍‌ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଥିଲେ। କରୋନାର ନୂଆ ଓମିକ୍ରନ୍ ଭାରିଏଣ୍ଟ ପାଇଁ କିନ୍ତୁ ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟ୍ ପ୍ରତିଯୋଗିତାକୁ ବାତିଲ କରି ଦିଆଯାଇଛି।