ବେଙ୍ଗାଲୁରୁ (ସୁରେଶ ସ୍ବାଇଁ): ଦୁଇ ଭାରତୀୟ ବ୍ୟାଟର ଆଜି ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚରେ ବୋଲିଂ କରି ଉଇକେଟ୍ ନେବାରେ ସକ୍ଷମ ହୋଇ ନିଜର ସଫଳତା ତାଲିକାରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଆଜି ଭାରତ ନେଦରଲ୍ୟାଣ୍ଡସ୍ ସାମ୍ନାରେ ୪୧୧ ଭଳି ବିରାଟ୍ ଟାର୍ଗେଟ ଛିଡ଼ା କରିବା ପରେ କ୍ୟାପଟେନ୍ ରୋହିତ ଶର୍ମା ଓ ସଫଳ ବ୍ୟାଟର ବିରାଟ କୋହଲିଙ୍କୁ ବୋଲିଂ ସୁଯୋଗ ଦେଇଥିଲା। ଏହି ସୁଯୋଗର ଭରପୂର ଫାଇଦା ଉଠାଇ ରୋହିତ ଓ ବିରାଟ ଗୋଟିଏ ଲେଖାଏଁ ଉଇକେଟ୍ ନେବାରେ ସକ୍ଷମ ହୋଇଥିଲେ। ଫଳରେ ଦୁହେଁ ନିଜର ପ୍ରଥମ ବିଶ୍ବକପ୍ ଉଇକେଟ୍ ଅକ୍ତିଆର କରି ବିରଳ ବ୍ୟକ୍ତିଗତ ସଫଳତା ହାସଲ କରିଥିଲେ।
ବିରାଟ କୋହଲିଙ୍କ ରେକର୍ଡ ବହିର ପୃଷ୍ଠା ଲମ୍ବି ଲମ୍ବି ଚାଲିଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ଡସ୍ ବିପକ୍ଷ ଲିଗ୍ ମ୍ୟାଚ୍ରେ ରବିବାର ସେ ୫୦ତମ ଦିନିକିଆ ଶତକ ସହ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିଯିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରି ଦେଇଥିଲେ। କୋହଲିଙ୍କୁ ତାଙ୍କ ପୂର୍ବତନ ଆର୍ସିବି ସାଥି ରୋଲଫ୍ ଭାନ୍ ଡେର୍ ମେରୱେଙ୍କୁ ବୋଲ୍ଡ କରି ଦେଇଥିଲେ। ପଛକୁ ହଟି କଟ୍ ପ୍ରୟାସ କରି କୋହଲି ଅଫଷ୍ଟମ୍ପ୍ ହରାଇଥିଲେ। ପ୍ରଥମ ଥର ପାଇଁ ଚଳିିତ ବିଶ୍ବକପ୍ରେ କୋହଲି ମଧ୍ୟ ଜଣେ ସ୍ପିନରଙ୍କ ବଲ୍ରେ ଆଉଟ୍ ହୋଇଥିଲେ।
ତେବେ ଭାରତ ପାଳି ପରେ କୋହଲି ନିଜ ଜୀବନର ଏକ ଅଧୁରା ସ୍ବପ୍ନ ପୂରଣ କରି ନେଇଥିଲେ। ନେଦରଲାଣ୍ଡ୍ସର ଅଧିନାୟକ ତଥା ୱିକେଟରକ୍ଷକ ବ୍ୟାଟର୍ ସ୍କଟ ଏଡୱାଡର୍ସ ହୋଇଥିଲେ ସ୍ପିନର୍ ବିରାଟ କୋହଲିଙ୍କ ପ୍ରଥମ ବିଶ୍ବକପ୍ ଶିକାର। ୱିକେଟ୍ ପଛରେ କ୍ୟାଚ୍ ନେଇଥିଲେ ରାହୁଲ। ଦିନିକିଆରେ କୋହଲି ବୋଲିଂ କିନ୍ତୁ ନୂଆ ନୁହେଁ। ମେରୱେ ତାଙ୍କ ପଞ୍ଚମ ଦିନିକିଆ ୱିକେଟ୍। ୨୦୧୧ ଗସ୍ତରେ ସେ ଇଂଲଣ୍ଡ ଗସ୍ତରେ ଘରୋଇ ଦଳର ପ୍ରାରମ୍ଭିକ ବ୍ୟାଟର୍ ଆଲେଷ୍ଟର୍ କୁକ୍ଙ୍କୁ ପ୍ରଥମ ଦିନିକିଆ ଶିକାର କରିଥିଲେ। ରବିବାର ବିଶ୍ବକପ୍ ୱିକେଟ୍ ସ୍ବପ୍ନା ସାକାର କରିବାରୁ କୋହଲି ୫୦ତମ ଶତକ ଅବସୋସକୁ ସାମାନ୍ୟ ଭୁଲିଯାଇଥିଲେ। କୋହଲିଙ୍କ ଆଉଟ୍ ବେଳେ ସମ୍ପୂର୍ଣ୍ଣ ଶାନ୍ତ ପଡ଼ିଯାଇଥିବା ଚିନ୍ନାସ୍ବାମୀ ପ୍ରଶଂସକଙ୍କୁ କିନ୍ତୁ ତାଙ୍କ ଘରୋଇ ନାୟକ ରାହୁଲ ଦ୍ରୁତତମ ଶତକ ହାସଲ କରି ଭରଣା କରି ଦେଇଥିଲେ।