ନୂଆଦିଲ୍ଲୀ : ୭୦ ଦଶକରେ ଉତ୍ତରପ୍ରଦେଶ ପାଇଁ ପାଇଁ ୪୨ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ତଥା ଅବସରପ୍ରାପ୍ତ ପ୍ରଥମ ଶ୍ରେଣୀ ଅମ୍ପାୟାର କମଲ ଜୁନେଜା ଏବେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି। ତାଙ୍କର ପୂର୍ବତନ ନିଯୁକ୍ତିଦାତାଠୁ ଆଉ କୌଣସି ପାଉଣା ମିଳୁନଥିବା ବେଳେ ବିସିସିଆଇ ପକ୍ଷରୁ ପାଉଥିବା ୧୫ ହଜାର ଟଙ୍କାର ପେନସନ୍ ତାଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଯଥେଷ୍ଟ ହେଉନାହିଁ। କମଲଙ୍କ ଭଳି ଅନେକ ଭାରତୀୟ କ୍ରିକେଟର ଏବେ ଏଭଳି ସମୟ ଦେଇ ଗତି କରୁଥିବା ବେଳେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଭାରତୀୟ କ୍ରିକେଟର ସଂଘ (ଆଇସିଏ) ଆଗେଇ ଆସିଛି। ଗତ ତିନିଦିନ ଧରି ସଂଘ ପକ୍ଷରୁ ସଦସ୍ୟମାନଙ୍କ ସହ ଏବିଷୟରେ ଯୋଗାଯୋଗ କରାଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ଟଙ୍କା ସଂଗ୍ରହ କରାଯାଇପାରିଥିବା ଆଇସିଏ ସଭାପତି ଅଶୋକ ମାଲହୋତ୍ରା ସୂଚନା ଦେଇଛନ୍ତି।
ତାଲାବନ୍ଦ ସମୟରେ ନିହାତି ସହାୟତା ଆବଶ୍ୟକ କରୁଥିବା ୨୫ରୁ ୩୦ ଜଣ କ୍ରିକେଟରଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ଏବଂ ସେମାନଙ୍କୁ ମାସିକ ୨୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବାକୁ ଯୋଜନା ହୋଇଥିବା ସୂଚନା ଦିଆଯାଇଛି। ଯେଉଁ ଖେଳାଳିମାନେ ୧୦ରୁ କମ୍ ଘରୋଇ ମ୍ୟାଚ୍ ଖେଳିଥିବେ ସେମାନେ ବିସିସିଆଇର ମେଡିକାଲ ବୀମା ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ସେହିପରି ଯେଉଁମାନେ ୨୫ରୁ କମ୍ ଘରୋଇ ମ୍ୟାଚ୍ ଖେଳିଛନ୍ତି ସେମାନେ ମଧ୍ୟ ବିସିସିଆଇର ପେନସନ୍ ସ୍କିମ୍ ପାଇଁ ଅଯୋଗ୍ୟ ହେଉଛନ୍ତି। ତେବେ ସବୁ ରାଜ୍ୟ ସଂଘମାନେ ଏହି କ୍ରିକେଟରଙ୍କୁ ସହଯୋଗ କରିନଥାନ୍ତି। ତଥାପି ପୂର୍ବତନ ଖେଳାଳିମାନଙ୍କ ମଧ୍ୟରୁ କେତେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନେ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବେ ସେମାନଙ୍କୁ ଆଇସିଏ ସହାୟତା ଯୋଗାଇ ଦେବ। ଏଥିପାଇଁ ଆଇସିଏ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅଲଗା ଭାବେ ରଖାଯାଇଛି। ଏଥିସହ ଦାନ ଆକାରରେ ମଧ୍ୟ ଏବେ କିଛି କିଛି ଟଙ୍କା ଆସୁଥିବା ମାଲହୋତ୍ରା କହିଛନ୍ତି।
ଏବେ କିଛି କ୍ରିକେଟର ଭାରତ ବାହାରେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିଏର ୧୭୫୦ ଜଣିଆ ସଦସ୍ୟଙ୍କ ମଧ୍ୟରେ ବି ଆସିନାହାନ୍ତି। ତଥାପି ସେହି ଖେଳାଳିମାନେ ମଧ୍ୟ ସହାୟତା େଯାଗାଇ ଦେବାକୁ ଆଗକୁ ଆସିଥିବା କୁହାଯାଇଛି। ଏବେ ମେ' ୧୫ ତାରିଖ ପର୍ଯ୍ୟନ୍ତ ଦାନ ସଂଗ୍ରହ କରାଯିବାକୁ ଆହ୍ବାନ ଦିଆଯାଇଥିବା ଆଇସିଏ କହିଛି। କାରଣ ଏବେସୁଦ୍ଧା ଅନେକ ମହାନ କ୍ରିକେଟର ଏହି ମହତ୍ କାର୍ଯ୍ୟ ପାଇଁ ଆଗକୁ ଆସିପାରିନାହାନ୍ତି। ସେମାନଙ୍କ ଭିତରେ ଭାରତ ପାଇଁ ୫୦ କିମ୍ବା ୧୦୦ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳି ଅଛନ୍ତି। ତେଣୁ କ୍ରିକେଟର ସମ୍ପ୍ରଦାୟକୁ ସହଯୋଗର ହାତ ବଢାଇବା ପାଇଁ ସେମାନେ ଆଗକୁ ଆସନ୍ତୁ ବୋଲି ମାଲହୋତ୍ରା ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ica.png)