ଭାରତୀୟ କ୍ରିକେଟର୍‌ଙ୍କ ତ୍ରୈମାସିକ ଚକ୍ଷୁ ପରୀକ୍ଷା ହୁଏ

କ୍ରିକେଟ୍ ୯୦ ପ୍ରତିଶତ ଦୃଷ୍ଟିଶକ୍ତିର ଖେଳ: ଅରୁଣ ଲାଲ୍‌

ନୂଆଦିଲ୍ଲୀ: କାରୋନା ଭୂତାଣୁ ପରବର୍ତୀ କ୍ରିକେଟ୍‌ ଆରମ୍ଭ ହେଲେ ସବୁ ଖେଳାଳିଙ୍କ ଚକ୍ଷୁ ପରୀକ୍ଷା କରାଇବା ଲାଗି‌ ସୋମବାର ସିଏବି (କ୍ରିକେଟ୍ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌) ପ୍ରସ୍ତାବ ଆଣିଛି। କିନ୍ତୁ ସୂଚନା ମିଳିଛି ଯେ ବିଗତ ୩ ବର୍ଷ ହେବ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଭଳି ବ୍ୟବସ୍ଥା ପ୍ରଚଳିତ କରି ଆସିଛି। ବିଗତ ୩ ବର୍ଷ ହେବ ପ୍ରତି ତ୍ରୈମାସିକରେ ଚୁକ୍ତିବଦ୍ଧ ଖେଳାଳିମାନଙ୍କର ଚକ୍ଷୁ ପରୀକ୍ଷା କରାଯାଏ ବୋଲି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି। କ୍ରିକେଟ୍‌ ଏକ ନମନୀୟ ଖେଳ ଓ ହସ୍ତ-ଚକ୍ଷୁ ସମନ୍ବୟର ଅଂଶବିଶେଷ। ବିରାଟ କୋହଲି ବାହିନୀ ୩ ବର୍ଷ ହେବ ଏହି ବ୍ୟବସ୍ଥାରେ ସାମିଲ ରହି ଆସିଛନ୍ତି ବୋଲି‌ ସେ କହିଥିଲେ। ‘କ୍ରିକେଟ୍‌ରେ ଦୃଷ୍ଟିଶକ୍ତି ଖେଳାଳିଙ୍କର ମୁଖ୍ୟ ସାମର୍ଥ୍ୟ, ଯଦି କାହାର ସମସ୍ୟା ଥାଏ ତେବେ ସେ‌ ଲେନ୍ସ କିମ୍ବା ଗ୍ଲାସ୍ ବ୍ୟବହାର କରି ଏହାକୁ ଦୂର କରିପାରିବ। ପଡିଆରେ ସେମାନଙ୍କୁ ଘଣ୍ଟାପ୍ରତି ୧୪୦ କିଲୋମିଟର୍‌ ବେଗରେ ଆସୁଥିବା ବଲ୍‌କୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗୋଟିଏ ସେକେଣ୍ଡ୍‌ର କିଛି ଭାଗରୁ କମ୍ ସମୟ ଭିତରେ ଯଦି ବଲ୍‌ ଉପରୁ ନଜର ହଟିଯାଉଛି ତେବେ ଖେଳାଳିଙ୍କୁ ଏଥିପାଇଁ ମୂଲ୍ୟ ଦେବା ପରିସ୍ଥିତି ଆସିଯାଏ‌‌ ବୋଲି ସେ ଅଧିକାରୀ ଜଣଙ୍କ କହିଥିଲେ। କେବଳ ଚକ୍ଷୁ ସମସ୍ୟା ନୁହେଁ କରୋନା ଭୂତାଣୁ ପରବର୍ତୀ କ୍ରିକେଟ୍ ଯୁଗରେ ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ଓ ସଚେତନତା ପ୍ରସଙ୍ଗ ଆସିବ ଯେଉଁଥି ପାଇଁ ଖେଳାଳି ଓ ପ୍ରଶଂସକଙ୍କୁ ଅବଗତ ରହିବାକୁ ପଡ଼ିବ।

କ୍ରିକେଟ୍ ୯୦ ପ୍ରତିଶତ ଦୃଷ୍ଟିଶକ୍ତିର ଖେଳ: ଅରୁଣ ଲାଲ୍‌
କୋଲକାତା: କ୍ରିକେଟ୍‌ ଖେଳ ୯୦ ପ୍ରତିଶତ ଦୃଷ୍ଟିଶକ୍ତି ଉପରେ ନିର୍ଭର କରେ, କ୍ରିକେଟ୍‌ ଋତୁ ଅରମ୍ଭ ପୂର୍ବରୁ ଖେଳାଳିମାନେ ଏ କ୍ଷେତ୍ରରେ ନିଜକୁ ପରଖିନେବା ଉଚିତ୍‌ ବୋଲି କହିଛନ୍ତି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଅରୁଣ ଲାଲ୍‌। ସମ୍ପ୍ରତି ବେଙ୍ଗଲ୍‌ର ପ୍ରଶିକ୍ଷକ ଅଛନ୍ତି ଅରୁଣ ଲାଲ। ଘରୋଇ ଋତୁ ପୂର୍ବରୁ ସିଏବି (ବେଙ୍ଗଲ କ୍ରିକେଟ୍‌ ସଂଘ) ମଧ୍ୟ ଏହାର ବରିଷ୍ଠ ଓ ୨୩ ବର୍ଷରୁ କମ୍‌ ଦଳର ଖେଳାଳିଙ୍କ ଚକ୍ଷୁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି। ଏହାକୁ ବର୍ତମାନ ପ୍ରତିଷେଧକମୂଳକ ପଦକ୍ଷେପ ଭାବେ ନିଆଯାଉଛି। ୩୦ ବର୍ଷରୁ ଅଧିକ ‌ଖେଳାଳି ଏହା ନିଶ୍ଚିତ କରିନେବା ଉଚିତ୍ ବୋଲି ଅରୁଣ ପ୍ରକାଶ କରିଥିଲେ। ‘କ୍ରିକେଟ୍‌ରେ ଦୃଷ୍ଟିଶକ୍ତି ଓ ଏହାର ପ୍ରତିଫଳନ ଗୁରୁତ୍ବପୂର୍ଣ୍ଣ। ଚକ୍ଷୁ ପରୀକ୍ଷା ବାଧ୍ୟତାମୂଳକ କରାଯିବା ଉଚିତ୍‌’ ବୋଲି ସିଏବି ସଭାପତି ଅଭିଷେକ ଡାଲମିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର