ସେନା ସେବାରେ ଭାରତୀୟ କ୍ରିକେଟର୍ : ସିକେ ନାୟୁଡୁଙ୍କ ଠାରୁ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୁରୁବାରଠୁ ଟେରିଟୋରି ଆର୍ମିର ଜଣେ ଅବୈତନିକ ଲେଫ୍ଟନାଣ୍ଟ୍‌ କର୍ନେଲ ଭାବେ ସେବା ଆରମ୍ଭ କରିଛନ୍ତି। ସେନାରେ ଜଣେ ସ୍ବେଚ୍ଛାସେବୀ ଭାବେ ଜମ୍ମୁ ଓ କଶ୍ମୀରରେ ସେ ପାଟ୍ରୋଲିଂ କରିବା ସାଙ୍ଗକୁ ବିଭିନ୍ନ ସାମରିକ ଘାଟି ଜଗିବାର ଦାୟିତ୍ବ ତୁଲାଉଛନ୍ତି। ହେଲେ ସେନାର ସେବକ (ସେନାରେ ସେବା) ଭାବେ ଧୋନି ଭାରତର ପ୍ରଥମ କ୍ରିକେଟର୍‌ ନୁହନ୍ତି। ତାଙ୍କ ପୂର୍ବରୁ ମଧ୍ୟ ଭାରତର ଏକାଧିକ ଟେ‌ଷ୍ଟ ଖେଳାଳି ସେନାର ବିଭିନ୍ନ ପଦପଦବୀରେ ନିଯୁକ୍ତ ହୋଇ ସେବା ପ୍ରଦାନ କରିବାର ନଜିର ରହିଛି। ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା।

ସିକେ ନାୟୁଡୁ (୧୮୯୫-୧୯୬୭):  କର୍ନେଲ 
ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ଟେଷ୍ଟ୍‌ ଅଧିନାୟକ ହେଲେ ସିକେ ନାୟୁଡୁ। ୧୯୩୨ ମସିହାରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୭ ଟେଷ୍ଟ୍‌ ଖେଳି ସଂଗ୍ରହ କରିଥିଲେ ୩୫୦ ରନ୍‌। ଇଂଲଣ୍ଡ ବିପକ୍ଷ ୮୧ ରନ୍‌ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌। ସେତେବେଳେ ତାଙ୍କୁ ୪୦ ବର୍ଷ ହୋଇଥିଲା। ସେ ୮ ୱିକେଟ୍‌ ଦଖଲ କରିଥିଲା ବେଳେ ଇଂଲଣ୍ଡ ବିପକ୍ଷ ୩/୪୦ ଶ୍ରେଷ୍ଠ ବୋଲି ଚିତ୍ର ଥିଲା। ଭାରତର ପ୍ରାକ୍‌ ସ୍ବାଧୀନତା ସମୟରେ ହୋଲ୍‌କାରଙ୍କ ଆର୍ମିରେ ସେ ଜଣେ କର୍ନେଲ ଭାବେ ନିଯୁକ୍ତ ହୋଇ ସେବା କରିଥିଲେ।

ହେମୁ ଅଧିକାରୀ (୧୯୧୯-୨୦୦୩):  ଲେଫ୍ଟନାଣ୍ଟ୍‌ କର୍ନେଲ
ଭାରତୀୟ ଦଳର ଜଣେ ଦକ୍ଷ ଅଲ୍‌ରାଉଣ୍ଡର ଥିଲେ ହେମୁ ଅଧିକାରୀ। ସେ ମଧ୍ୟ ଭାରତୀୟ ଶ୍ରେଷ୍ଠ କ୍ଷେତ୍ରରକ୍ଷଙ୍କ ମଧ୍ୟରେ ଥିଲେ ଅନ୍ୟତମ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୧୯୪୮ ଦିଲ୍ଲୀ ଟେଷ୍ଟ୍‌ରେ ସେ ଅପରାଜିତ ୧୧୪ ରନ୍‌ କରି ଭାରତକୁ ଫଲୋଅନ୍‌ରୁ ରକ୍ଷା କରିଥିଲେ। ତାଙ୍କ ୧୨ ବର୍ଷର ଟେଷ୍ଟ୍‌ ଜୀବନ ମଧ୍ୟରେ ସେ ୨୧ ମ୍ୟାଚ୍‌ ଖେଳିଥିଲା ବେଳେ ଗୋଟିଏ ଟେଷ୍ଟରେ ଦଳର ନେତୃତ୍ବ ନେଇଥିଲେ। ଏହା ବ୍ୟତୀତ ୧୯୭୧ରେ ଦ ଓଭାଲ୍‌ରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ବିଜୟ ହାସଲ କରିଥିବା ଅଜିଜ୍‌ ୱାଦେକରଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ସେ ପ୍ରବନ୍ଧକ ଥିଲେ।

ଭେଙ୍କଟରମଣ ନାରାୟଣ ସ୍ବାମୀ (୧୯୨୪-୧୯୮୩): ମେଜର
ସେ ଥିଲେ ଜଣେ ମଧ୍ୟମଗତି ବୋଲର। ଭାରତ ପାଇଁ ଏକମାତ୍ର ଟେଷ୍ଟ୍‌ ୧୯୫୫ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳିଥିଲେ।

ଚନ୍ଦ୍ରଶେଖର ଗଡ଼କାରୀ (୧୯୨୮-୧୯୯୮): ଲେଫ୍ଟନାଣ୍ଟ କର୍ନେଲ
ଏହି ଅଲ୍‌ରାଉଣ୍ଡର ଭାରତ ପାଇଁ ୬ ଟେଷ୍ଟ୍‌ ଖେଳିଥିଲେ। ୧୯୫୩ ମସିହାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅପରାଜିତ ୫୦ ରନ୍‌ କରିଥିଲେ। ସେ ଥିଲେ ଜଣେ ଶ୍ରେଷ୍ଠସ୍ତରର କ୍ଷେତ୍ରରକ୍ଷକ।

ଭିଏମ୍‌ ମୁଦିଆ (୧୯୨୯-୨୦୦୯): କମାଣ୍ଡର
ମୁଦିଆ ଥିଲେ ଭାରତୀୟ ଦଳର ଜଣେ ଅଫ୍‌ ବ୍ରେକ୍‌ ବୋଲର। ଖେଳିଥିଲେ ୨ ଟେଷ୍ଟ୍‌। ୧୯୬୦ରେ ପାକିସ୍ତାନ ବିପକ୍ଷରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ହନିଫ୍ ମହମ୍ମଦ ତାଙ୍କ ଶିକାର ମଧ୍ୟରୁ ଜଣେ ଥିଲେ।

ରମଣ ସୁରେନ୍ଦ୍ରନାଥ (୧୯୩୭-୨୦୧୨):  କର୍ନେଲ
ମିରଟ୍‌ ଜନ୍ମିତ ସୁରେନ୍ଦ୍ରନାଥ ଜଣେ ଦକ୍ଷ ସୁଇଂ ବୋଲର ଥିଲେ। ୧୧ ଟେଷ୍ଟ୍‌ ଖେଳି ପାଇଥିଲେ ୨୬ ୱିକେଟ୍‌। ସେମଧ୍ୟରେ ସାମିଲ ଥିଲା ଦୁଇ ଥର ୫ ୱିକେଟ୍‌ ସଫଳତା। ୧୯୫୯ରେ ଇଂଲଣ୍ଡ ବିପକ୍ଷ ଦ ଓଭାଲ୍‌ ଟେଷ୍ଟ୍‌ରେ ୫/୭୫ ଥିଲା ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।

ଅପୂର୍ବ ସେନଗୁପ୍ତା (୧୯୩୮-୨୦୧୩):  ଲେଫ୍ଟନାଣ୍ଟ କର୍ନେଲ
ଲକ୍ଷ୍ନୌ ଜନ୍ମିତ ଅପୂର୍ବ ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ଖେଳିଥିଲେ। ୧୯୫୯ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏହି ଟେ‌ଷ୍ଟର ଉଭୟ ପାଳିରେ ତାଙ୍କ ସ୍କୋର୍‌ ଥିଲା ୧ ଓ ୮ ରନ୍‌।

ସଚିନ ତେନ୍ଦୁଲକର: ଗ୍ରୁପ୍‌ କ୍ୟାପ୍‌ଟେନ୍‌
ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର କ୍ରିକେଟ୍‌ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ। ଏହି ମହାନ୍‌ କ୍ରିକେଟର୍‌ ୨୦୧୦ରେ ଇଣ୍ଡିଆନ୍‌ ଏୟାର ଫୋର୍ସରେ ଅବୈତନିକ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଭାବେ ନିଯୁକ୍ତ ହୋଇଥିଲେ। ସେନା ପାଇଁ ଦକ୍ଷତାର ସହ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ସଚିନ୍‌ ଏକମାତ୍ର ଖେଳାଳି ଯିଏକି ୧୦୦ ଆନ୍ତର୍ଜାତିକ ଶତକ ଜମାଇବାର କୀର୍ତିମାନ ନିଜ ନାମରେ ରଖିଛନ୍ତି। ପୁଣି ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ହାସଲର ଗୌରବ ପାଇଛନ୍ତି। ଉଭୟ ଟେଷ୍ଟ୍‌ ଓ ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିବାର କୀର୍ତି ଅତୁଟ ମଧ୍ୟ ରଖିଛନ୍ତି। ଶେଷରେ ସେ ଏକମାତ୍ର ଖେଳାଳି ଯିଏକି ଆନ୍ତର୍ଜାତିକ କ୍ରିକେଟ୍‌ରେ ୩୦,୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର