ମୁମ୍ବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଦିନିକିଆ ଦଳର ଅଧିକାଂଶ ତାରକା ଖେଳାଳି ଶନିବାର ଦୁବାଇ ଯାତ୍ରା କରିଛନ୍ତି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶନିବାର ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା, ୱାସିଂଟନ୍ ସୁନ୍ଦର, ଋଷଭ ପନ୍ତ୍‌, କେଏଲ୍ ରାହୁଲ ପ୍ରଥମେ ନଜରକୁ ଆସିଥିଲେ। କୁଲଦୀପ ୟାଦବ, ବରୁଣ ଚକ୍ରବର୍ତ୍ତୀ, ଶ୍ରେୟସ ଆୟର, ଅକ୍ଷର ପଟେଲ୍‌, ହର୍ଷିତ ରାଣା, ଅର୍ଶଦୀପ ସିଂହ ଦ୍ବିତୀୟ ଦଫାରେ ଯୋଗଦେବା ପରେ ଶେଷରେ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ସାମିଲ ହୋଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଫିଲ୍ଡିଂ ସ୍ପେସାଲିଷ୍ଟ୍‌ ଟି ଦିଲୀପ,  ବୋଲିଂ ପ୍ରଶିକ୍ଷକ ମର୍ନି ମର୍କେଲ୍, ସହକାରୀ ରୢାନ୍ ଟେନ୍ ଡସଚେଟ୍‌ ବି ଦଳ ସହ ଗସ୍ତ କରିଛନ୍ତି।

Advertisment

ବୁଧବାରଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାରେ ଭାରତ ଗୁରୁବାର ବାଂଲାଦେଶ ସହ ଖେଳି ଅଭିଯାନ ଆରମ୍ଭ କରିବ। ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ଜିତିବା ଭାରତର ଏକମାତ୍ର ଲକ୍ଷ୍ୟ ରହିଛି। ପୂର୍ବରୁ ଘୋଷିତ ଭାରତୀୟ ଦଳରେ ଶେଷକୁ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ ଯଶପ୍ରୀତ୍ ବୁମରାଙ୍କ ବଦଳରେ ହର୍ଷିତ ରାଣାଙ୍କୁ ଏବଂ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କ ବଦଳରେ ରହସ୍ୟମୟ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରାଯାଇଛି। ଜୟସ୍ବାଲଙ୍କ ସ୍ଥାନରେ ବରୁଣଙ୍କୁ ନିଆଯିବାକୁ ନେଇ ପ୍ରଶଂସକ ଓ କ୍ରିକେଟ୍‌ ଭେଟେରାନ୍ସ ଭିନ୍ନ ମତ ରଖିଛନ୍ତି। କିନ୍ତୁ ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ଶୃଙ୍ଖଳାରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ବରୁଣ ଏହାର ପୁରସ୍କାର ପାଇଛନ୍ତି।