ନୂଆଦିଲ୍ଲୀ: ଭାରତ ଏଥର ଅଲିମ୍ପିକ୍ସକୁ ୧୧୭ ଜଣିଆ ଦଳ ପଠାଇଛି। ପୂର୍ବ ସଂସ୍କରଣଗୁଡ଼ିକ ଅପେକ୍ଷା ଏଥର ଭାରତ ପଦକରେ ନିଜ ରେକର୍ଡ କାଟିବ ବୋଲି ଆଶା ରଖିଛି। ତେବେ ପ୍ୟାରିସ୍ରେ କେବଳ ଭାରତୀୟ ନୁହନ୍ତି, ଅନ୍ୟ ଦେଶକୁ ପ୍ରତିନିଧିତ୍ବ କରିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବମାନେ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିବେ। ରାଜୀବ ରାମ୍ (ଆମେରିକା, ଟେନିସ୍): ବେଙ୍ଗାଲୁରୁର ମୂଳ ବାସିନ୍ଦା ରାଜୀବ ରାମ୍ଙ୍କ ପରିବାର ଆମେରିକାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ଡେନଭରରେ ରାଜୀବଙ୍କ ଜନ୍ମ ହୋଇଥିଲା ବେଳେ ଆମେରିକା ଟେନିସ୍ ଖେଳାଳିଙ୍କ ଭିତରେ ଜଣେ ଚର୍ଚ୍ଚିତ ନାଁ ହୋଇଯାଇଛି ସେ। ୪୦ ବର୍ଷୀୟ ରାଜୀବଙ୍କ ପିତା ରାଘବଙ୍କର ୨୦୧୯ ଏପ୍ରିଲ୍ରେ ପାନ୍କ୍ରିଆଟିକ୍ କର୍କଟରେ ପରଲୋକ ଘଟିଛି। ତାଙ୍କ ମା’ ସୁଷମା ଜଣେ ବୈଷୟିକ ଅଧିକାରୀ। କିନ୍ତୁ ରାଜୀବ ଟେନିସ୍ରେ କ୍ୟାରିୟର ଗଢ଼ିବାକୁ ଆଗ୍ରହ ଦେଖାଇଥିଲେ। ଆମେରିକାକୁ ପ୍ରତିନିଧିତ୍ବ କରି ସେ ୫ ଗ୍ରାଣ୍ଡସ୍ଲାମ୍ ବିଜେତା ହୋଇଛନ୍ତି। ଯାହାମଧ୍ୟରେ ୪ଟି ପୁରୁଷ ଯୁଗଳ ଓ ଗୋଟିଏ ମିଶ୍ରିତ ଯୁଗଳ ଟ୍ରଫି ରହିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଭେନସ ୱିଲିୟମ୍ସଙ୍କୁ ସାଥୀ କରି ରୌପ୍ୟ ପଦକ ପାଇଥିଲେ। ପ୍ୟାରିସ୍ରେ ସେ ପୁରୁଷ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା କରିବେ।
ପ୍ରିତିକା ପଭାଡ଼େ (ଫ୍ରାନ୍ସ, ଟେବୁଲ୍ ଟେନିସ୍): ପ୍ରତିକାଙ୍କ ବାପା ପୁଡୁଚେରୀର ବାସିନ୍ଦା। ୨୦୦୩ରେ ବିବାହ କରିବା ପରେ ସେ ପ୍ୟାରିସ୍ ଚାଲିଯାଇଥିଲେ। ବର୍ଷକ ପରେ ପ୍ରିତିକା ଜନ୍ମ ହୋଇଥିଲେ। ପ୍ରିତିକାଙ୍କ ବାପା ଜଣେ ଟେବୁଲ୍ ଟେନିସ୍ ଖେଳାଳି ହୋଇଥିବାରୁ ସେ ମଧ୍ୟ ଝିଅକୁ ଏହି ଖେଳରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ। ୧୬ ବର୍ଷ ବୟରେ ପ୍ରିତିକା ଟୋକିଓ ଅଲିମ୍ପିକ୍ସରେ ପଦାର୍ପଣ କରିଥିଲେ। ରସାୟନ ବିଜ୍ଞାନ ଓ ପରିବେଶ ବିଜ୍ଞାନ ପଢ଼ୁଥିବା ପ୍ରିତିକା ମହିଳା ଏକକରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏଥିରେ ସେ ଦ୍ବାଦଶ ସିଡ୍ ପାଇଛନ୍ତି। ଏଥିସହିତ ମହିଳା ଯୁଗଳ ଓ ମିଶ୍ରିତ ଯୁଗଳରେ ମଧ୍ୟ ସେ ଖେଳିବାକୁ ଯାଉଛନ୍ତି। କନକ ଝା (ଆମେରିକା, ଟେବୁଲ୍ ଟେନିସ୍): ଆମେରିକାକୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବାକୁ ଯାଉଥିବା ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଟେବୁଲ୍ ଟେନିସ୍ ଖେଳାଳି କନକ ଝା। କନକଙ୍କ ମା’ କରୁଣା ମୁମ୍ବାଇର ବାସିନ୍ଦା ହୋଇଥିଲା ବେଳେ ବାପା ଅରୁଣ କୋଲ୍କାତା ଓ ପ୍ରୟାଗରାଜରେ ବଢ଼ିଛନ୍ତି। ଉଭୟ ଆଇଟି କମ୍ପାନିରେ କାମ କରୁଥିଲେ। ମିଲ୍ପିଟାସ୍ରେ ଥିବା ଭାରତୀୟ କମ୍ୟୁନିଟି ସେଣ୍ଟରରୁ କନକ ଟେବୁଲ୍ ଟେନିସ୍ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ବଡ଼ ଭଉଣୀ ପ୍ରାଚୀ ମଧ୍ୟ ଜଣେ ଟେବୁଲ୍ ଟେନିସ୍ ଖେଳାଳି। ଖେଳ ଶିଖିବା ଆରମ୍ଭ କରିବା ମାତ୍ରେ ତାଙ୍କଠୁ ଦୁଇଗୁଣା ବୟସର ଖେଳାଳିଙ୍କୁ କନକ ହରାଇଥିଲେ। ୨୪ ବର୍ଷୀୟ କନକ ୪ଥର ଜାତୀୟ ପ୍ରତିଯୋଗିତାରେ ବିଜେତା ହୋଇଥିଲା ବେଳେ ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ଖେଳିସାରିଛନ୍ତି। ରିଓ ଅଲିମ୍ପିକ୍ସରେ ସେ ଆମେରିକାର ସର୍ବକନିଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲା ବେଳେ ପ୍ରଥମ ଆମେରିକୀୟ ଭାବେ ୨୦୧୮ରେ ଯୁବ ଅଲିମ୍ପିକ୍ସରେ ପଦକ ଜିତିଥିଲେ। ପ୍ୟାରିସ୍ରେ ସେ ପୁରୁଷ ଏକକରେ ପ୍ରତିଦ୍ବନ୍ଦ୍ବିତା କରିବେ।
/sambad/media/post_attachments/wp-content/uploads/2024/07/fshfhssfht.jpg)
ଶାନ୍ତି ପେରେରା (ସିଙ୍ଗାପୁର, ଦୌଡ଼କୁଦ): ସିଙ୍ଗାପୁରର ସ୍ପ୍ରିଣ୍ଟ କୁଇନ୍ ଭାବେ ଶାନ୍ତି ବେଶ୍ ପରିଚିତ। କେରଳର ମୂଳବାସିନ୍ଦା ଶାନ୍ତିଙ୍କ ଜେଜେବାପା ଓ ଜେଜେମା ତିରୁଅନନ୍ତପୁରମ୍ର ଭେଟୁକଡ୍ରେ ରହୁଥିଲେ। କିନ୍ତୁ ଜେଜେବାପା ସିଙ୍ଗାପୁରରେ ଚାକିରି ପାଇବା ପରେ ତାଙ୍କ ପରିବାର ସେଠାକୁ ଚାଲିଯାଇଥିଲା। ଗତବର୍ଷ ସିଙ୍ଗାପୁରକୁ ଟ୍ରାକ୍ ଆଣ୍ଡ ଫିଲ୍ଡରେ ୪୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏସୀୟ କ୍ରୀଡ଼ାରୁ ଶାନ୍ତି ମହିଳା ୧୦୦ ମିଟରରେ ରୌପ୍ୟ ପଦକ ଆଣିପାରିଥିଲେ। ଯେଉଁଥିପାଇଁ ତାଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ସିଙ୍ଗାପୁରର କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥର ପ୍ୟାରିସ୍ରେ ସେ ସିଙ୍ଗାପୁର ଦଳର ପତାକାଧାରୀ ହେବାକୁ ଯାଉଛନ୍ତି। ଶାନ୍ତିଙ୍କ ଜୀବନ ଉପରେ ତାଙ୍କର ଦୁଇ ଭଉଣୀ ‘ଗୋ ଶାନ୍ତି ଗୋ’ ନାମରେ ଗୋଟିଏ ଶିଶୁ ପୁସ୍ତିକା ଲେଖିଛନ୍ତି। ପ୍ୟାରିସ୍ରେ ସେ ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେ। ଅମର ଧେସି (କାନାଡା, କୁସ୍ତି): କାନାଡାର ଏକ ଛୋଟିଆ ପ୍ରଦେଶ ବ୍ରିଟିଶ କଲମ୍ବିଆର ସରେଠାରେ ଅମର ଜନ୍ମ ହୋଇଥିଲେ। ଅମରଙ୍କ ବାପା ବଲବୀର ପଞ୍ଜାବର ଜଳନ୍ଧର ଜିଲ୍ଲା ସଙ୍ଘୱାଲ୍ ଗ୍ରାମର ମୂଳ ବାସିନ୍ଦା ଓ ଗ୍ରିକୋ ରୋମାନ୍ରେ ଜାତୀୟ ବିଜେତା ଥିଲେ।
ଏନ୍ଆଇଏସ୍ ପଟିଆଲାରେ ପ୍ରଶିକ୍ଷଣ ନେବା ପରେ ପଞ୍ଜାବ ପୁଲିସରେ ସେ ଚାକିରି କରିଥିଲେ। କିନ୍ତୁ ପରେ ୧୯୭୯ରେ କାନାଡା ଚାଲିଯାଇଥିଲେ। ସେଠାରେ ଏକ କରତ କଳରେ କାମ କରିବା ସମୟରେ ଖଲସା କୁସ୍ତି କ୍ଲବ୍ ଆରମ୍ଭ କରିଥିଲେ। ଏହିଠାରେ ଅମର ମଧ୍ୟ ଛୋଟବେଳକୁ କୁସ୍ତି ଶିଖିବା ଆରମ୍ଭ କରିଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅମର ପଦାର୍ପଣ କରିଥିଲା ବେଳେ ୧୨୫ କେଜି ଫ୍ରିଷ୍ଟାଇଲ୍ରେ ତ୍ରୟୋଦଶ ସ୍ଥାନରେ ରହିଥିଲେ। ପ୍ୟାରିସ୍ରେ ମଧ୍ୟ ସମାନ ଓଜନବର୍ଗରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fshhffhhf.jpg)