ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆର୍ଜେଣ୍ଟିନାର ମହାନ ଫୁଟବଲ୍‌ ତାରକା ଲିଓନେଲ ମେସି ଭାରତ ଆସିବେ। ତାଙ୍କର ଏହି ଗସ୍ତକୁ ନେଇ ଫୁଟ୍‌ବଲ୍‌ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ଖୋଦ୍ ଭାରତୀୟ ଫୁଟବଲ୍ ଏଣେ ରସାତଳକୁ ଗଲାଣି। ଉଭୟ ପୁରୁଷ ଓ ମହିଳା ଦଳ ଲଗାତାର ଖରାପ ପ୍ରଦର୍ଶନ କରୁଥିଲା ବେଳେ ଘରୋଇ ଫୁଟ୍‌ବଲ୍‌ର ସବୁଠାରୁ ଲୋକପ୍ରିୟ ପେସାଦାର ଲିଗ୍ ‘ଆଇଏସ୍‌ଏଲ୍‌’ର ଭବିଷ୍ୟତ ନେଇ ଘୋର ଆଶଙ୍କା ସୃଷ୍ଟି ହୋଇଛି। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଦ୍ବାହି ଦେଇ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ଏହି ଚର୍ଚ୍ଚିତ ଲିଗ୍‌ର ଆସନ୍ତା ସଂସ୍କରଣ (୨୦୨୬)କୁ ସ୍ଥଗିତ କରିଦେଇଛି। ଏଥିନେଇ ସୃଷ୍ଟି ହୋଇଥିବା ଗତିରୋଧକୁ ଦୂର କରିବା ଲାଗି ସୋମବାର ଉଭୟ ପକ୍ଷ (ଏଆଇଏଫ୍‌ଏଫ୍‌-ଆଇଏସ୍‌ଏଲ୍) ମଧ୍ୟରେ  ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମାଧାନର କୌଣସି ବାଟ ବାହାରି ନପାରିବାରୁ ଲିଗ୍‌ର ସମସ୍ତ ଫ୍ରାଞ୍ଚାଇଜ୍‌ ମାଲିକମାନେ ନିଜନିଜ ଦଳ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି। 

Advertisment

ଏଆଇଏଫ୍‌ଏଫ୍‌କୁ ‘ଫିଫା’ର ଚେତାବନୀ
ଏସବୁ ଅଡ଼ୁଆ ଭିତରେ ଏଆଇଏଫ୍‌ଏଫ୍‌ ଆସନ୍ତା ଅକ୍ଟୋବର ୩୦ ସୁଦ୍ଧା ନୂଆ ସମ୍ବିଧାନ ପ୍ରଣୟନ ନକଲେ ବାସନ୍ଦାଦେଶ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଏଆଇଏଫ୍‌ଏଫ୍‌କୁ ଫିଫା ଓ ଏସୀୟ ଫୁଟ୍‌ବଲ୍ ମହାସଂଘ କଡ଼ା ଚେତାବନୀ ଦେବା ସ୍ଥିତିକୁ ଆହୁରି ଜଟିଳ କରିଛି। ଉଭୟ ସଂଘ ପକ୍ଷରୁ ଏଆଇଏଫ୍‌ଏଫ୍ ସଭାପତି କଲ୍ୟାଣ ବାନାର୍ଜୀଙ୍କ ପାଖକୁ ପଠାଯାଇଥିବା ଦୁଇ ପୃଷ୍ଠା ସମ୍ବଳିତ ପତ୍ରରେ ତୁରନ୍ତ ନୂଆ ସମ୍ବିଧାନ ଲାଗୁ କରିବାକୁ ତାଗିଦ କରାଯାଇଛି। ଏହା ନହେଲେ ଜାତୀୟ ଫୁଟ୍‌ବଲ୍ ଦଳ ସହ ଭାରତୀୟ ଫୁଟ୍‌ବଲ୍ କ୍ଲବ୍‌କୁ ମଧ୍ୟ ବାସନ୍ଦ କରାଯିବ ବୋଲି ସ୍ପଷ୍ଟ କୁହାଯାଇଛି। ସେହିଭଳି ଏହାର ପ୍ରଭାବ ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ ବିଡ୍ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏହା ପୂର୍ବରୁ ଅଗଷ୍ଟ ୨୦୨୨ରେ ମଧ୍ୟ ତୃତୀୟ ପକ୍ଷର ହସ୍ତକ୍ଷେପ ଦର୍ଶାଇ ଏଆଇଏଫ୍‌ଏଫ୍‌କୁ ଫିଫା ବାସନ୍ଦ କରିଥିଲା। ତେବେ ନିର୍ବାଚନ ସରିବାର ଦୁଇ ସପ୍ତାହ ପରେ ଏହି ବାସନ୍ଦାଦେଶକୁ ଉଠାଇ ଦିଆଯାଇଥିଲା।

ଏଆଇଏଫ୍‌ଏଫ୍ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କିନ୍ତୁ ଦ୍ବିପାକ୍ଷିକ ସହମତିରେ ମାମଲାର ସମାଧାନ ଲାଗି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ‌ହେଲେ ଆଇଏସ୍‌ଏଲ୍‌ର ଭବିଷ୍ୟତ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ସେପଟେ ଗତ ଶୁକ୍ରବାର ଉଚ୍ଚତମ ନ୍ୟାୟାଳୟ କରିଥବା ଶୁଣାଣିରେ ଚଳିତ ଅଗଷ୍ଟ ୨୮ ସୁଦ୍ଧା ସମାଧାନର ବାଟ ବାହାର କରିବାକୁ ଏଆଇଏଫ୍‌ଏଫ୍‌ ଏବଂ ଏହାର ବ୍ୟବସାୟିକ ସଂସ୍ଥା ତଥା ଆଇଏସ୍‌ଏଲ୍‌ର ଆୟୋଜକ ଏଫ୍‌ଏସ୍‌ଡିଏଲ୍‌କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବୈଠକ ବିଫଳ ହେବା ପରେ ଉଭୟ ପକ୍ଷ ମଙ୍ଗଳବାର କିମ୍ବା ବୁଧବାର ଆଉଥରେ ମିଳିତ ହେବାର ସମ୍ଭାବନା ରହିଛି। ୨୮ସୁଦ୍ଧା ଏକ ଦ୍ବୈତ ପ୍ରସ୍ତାବ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ଦିଆଯିବ ବୋଲି ଏଆଇଏଫ୍‌ଏଫ୍‌ କହିବା ବି ଆଶ୍ବସ୍ତିକର ଖବର ହୋଇଛି। ହେଲେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ସମାଧାନ ନହୁଏ, ତାହେଲେ ଆସନ୍ତା ଋତୁରେ ଆଇଏସ୍‌ଏଲ୍ ଆୟୋଜନ ଆଶା ଏକପ୍ରକାର ମଉଳି ଯିବ। ସୂଚନାଯୋଗ୍ୟ ଯେ ଆଇଏସ୍‌ଏଲ୍‌ର କୌଣସି କ୍ଲବ୍‌ର ବାର୍ଷିକ ଚୁକ୍ତିକୁ ଏଆଇଏଫ୍‌ଏଫ୍‌ ନବୀକରଣ ନକରିବାରୁ ମାମଲା ଉଚ୍ଚତମ ନ୍ୟାୟାଳୟକୁ ଯାଇଥିଲା।

ଏହି ବିବାଦ ଯୋଗୁ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା ମଧ୍ୟ ପ୍ରଭାବିତ ହୋଇପାରେ। କଳିଙ୍ଗ ସୁପର କପ୍ ନାମରେ ଖେଳାଯାଉଥିବା ଏହି ପ୍ରତିଯୋଗିତା ଆଇଲିଗ୍ ଓ ଆଇଏସ୍‌ଏଲ୍‌ର ଦଳଗୁଡ଼ିକୁ ନେଇ ଖେଳାଯାଇଥାଏ। ଓଡ଼ିଶା ସରକାରଙ୍କ ପ୍ରାୟୋଜନରେ ଚଳିତବର୍ଷ ୧୫ଟି ଦଳକୁ ନେଇ ଏହା କଳିଙ୍ଗ ଷ୍ଟାଡିୟମ୍‌ରେ ‌ଖେଳାଯାଇଥିଲା। ଜାମସେଦପୁର ଏଫ୍‌ସିକୁ ଏଫ୍‌ସି ଗୋଆ ହରାଇ ବିଜେତା ହୋଇଥିଲା। ୨୦୨୩ ମସିହାରେ ଓଡ଼ିଶା ଏଫ୍‌ସି ଏହି ପ୍ରତିଯୋଗିତାର ବିଜେତା ହୋଇଥିଲା।