ନୂଆଦିଲ୍ଲୀ: ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ଦ୍ବିତୀୟ ଥର ଲାଗି ବିଜେତା ହୋଇଥିଲା। ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍ (୯୯)କୁ ପରାସ୍ତ କରିଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍ଟେ (୬୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆଉ ରବିବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ତେବେ ଏହି ପୁରସ୍କାର ରାଶିକୁ ନେଇ ନିଜର ମହନୀୟତା ପ୍ରଦର୍ଶନ କରିଛି ଭାରତୀୟ ଫୁଟବଲ ଟିମ | ପୁରସ୍କାର ରାଶି ୧ କୋଟି ଟଙ୍କାରୁ ୨୦ ଲକ୍ଷ ଟଙ୍କା ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ପୀଡିତମାନଙ୍କୁ ଦେବାକୁ ଭାରତୀୟ ଫୁଟବଲ ଦଳ ନିଷ୍ପତ୍ତି ନେଇଛି। ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଥିବାରୁ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନର ସଭାପତି କଲ୍ୟାଣ ଚୋୖବେ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, “ଇଣ୍ଟରକଣ୍ଟିନେଣ୍ଟାଲ୍ କପକୁ ସଫଳ ଭାବେ ଆୟୋଜନ କରିଥିବାରୁ ମୁଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି'।
We’re grateful for the gesture by the Government of Odisha to award the team with a cash bonus for our win.
In what was an instant and collective decision by the dressing room, we’ve decided to donate Rs. 20 lakh of that money towards relief and rehabilitation… pic.twitter.com/l2SbRzUeKJ
— Indian Football Team (@IndianFootball) June 19, 2023
ତେବେ ଭାରତୀୟ ଫୁଟବଲ ଟିମ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ “ଡ୍ରେସିଂ ରୁମରେ ଆମେ ସାମୂହିକ ଭାବରେ ନିଷ୍ପତ୍ତି ନେଇଛୁ ଯେ ଏହି ରାଶି ମଧ୍ୟରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ଥଇଥାନ ପାଇଁ ଆମେ ୨୦ ଲକ୍ଷ ଟଙ୍କା ଦେବୁ। ଆମେ ଜାଣୁ ଲୋକମାନଙ୍କର ଯେଉଁ କ୍ଷତି ହୋଇଛି, ତାହାକୁ ତ ଭରଣା କରିପାରିବୁ ନାହିଁ, କିନ୍ତୁ ଆମେ ଆଶା କରୁଛୁ ଯେ ଏହି ଅର୍ଥ ରାଶି ଶୋକସନ୍ତପ୍ତ ପରିବାରକୁ ଏହି କଷ୍ଟଦାୟକ ସମୟକୁ ଦୂର କରିବାରେ ସାହାଯ୍ୟ କରିବ'।