ଓଡ଼ିଶା ଏଫ୍‌ସିରେ ଯୋଗଦେଲେ ଭାରତୀୟ ଦଳ ଗୋଲ୍‌ରକ୍ଷକ କମଲଜିତ୍‌

ଭୁବନେଶ୍ବର: ରାଜ୍ୟର ଏକମାତ୍ର ଆଇଏସ୍‌ଏଲ୍ ଦଳ ଓଡ଼ିଶା ଏଫସି ମଙ୍ଗଳବାର ଦେଶର ଅନ୍ୟତମ ଅଭିଜ୍ଞ ଗୋଲରକ୍ଷକ କମଲଜିତ୍ ସିଂହଙ୍କୁ ୨ ବର୍ଷ ଲାଗି ଚୁକ୍ତିବଦ୍ଧ କରିଛି। ହାଇଦ୍ରାବାଦ ଏଫସି (ପୁରୁଣା ପୁନେ ସିଟି ଏଫସି) ପାଇଁ ୩ ଋତୁ ଖେଳିବା ପରେ ଏହି ୨୪ ବର୍ଷୀୟ ରକ୍ଷଣଭାଗ ଖେଳାଳି ଏବେ ଭୁବନେଶ୍ବର ଭିତ୍ତିକ ଦଳର ପ୍ରତିନିଧିତ୍ବ କରିବେ। ପ୍ରଶିକ୍ଷକ ଆଇଗର ଷ୍ଟିମାକଙ୍କ ଅଧୀନରେ କମଲଜିତ ଭାରତୀୟ ଦଳରୁ କିଙ୍ଗସ କପ୍‌, ଇଣ୍ଟର କଣ୍ଟିନେଣ୍ଟାଲ୍ କପ୍‌ ଏବଂ ଗତବର୍ଷ ବାଂଲାଦେଶ ବିପକ୍ଷ ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିନିଧିତ୍ବ କରିଥିଲେ। ଆଇଏସ୍‌ଏଲ୍ ଖେଳିବା ପୂର୍ବରୁ କମଲଜିତ୍‌ ସ୍ପୋର୍ଟିଂ କ୍ଲବ୍ ଡି ଗୋଆ ଏବଂ ମିନର୍ଭା ଏଫସି ସହ ମଧ୍ୟ ଖେଳିଥିଲେ।

କମଲଜିତଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିଥିବାରୁ ଓଡ଼ିଶା ଏଫସି ସଭାପତି ରୋହନ ଶର୍ମା ଖୁସି ଜାହିର କରିଛନ୍ତି। କମଲଜିତଙ୍କ ଅଭିଜ୍ଞତା ଦୃଷ୍ଟିରୁ ଆମେ ଆତ୍ମବିଶ୍ବାସ ପାଇଛୁ। ତାଙ୍କ କଠିନ ପରିଶ୍ରମ ସମାଲୋଚକଙ୍କୁ ଭୁଲ ପ୍ରମାଣିତ କରିବ ବୋଲି ଶ୍ରୀ ଶର୍ମା ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସହିତ ଯୋଡ଼ି ହୋଇଥିବାରୁ ମଧ୍ୟ ସେ ଉଲ୍ଲସିତ ଓ ଦଳୀୟ ପରିଚାଳକଙ୍କ ନିକଟରେ କୃତଜ୍ଞ ବୋଲି କମଲଜିତ୍ ପ୍ରକାଶ କରିଛନ୍ତି। ଭୁବନେଶ୍ବରରେ ଖେଳିବା ସହ ଦଳ ପାଇଁ କିଛି ଅବଦାନ ରଖିବା ନେଇ ମୁଁ ଆଶାବାଦୀ ବୋଲି କମଲଜିତ୍ କହିଛନ୍ତି।

ସମ୍ବନ୍ଧିତ ଖବର