ଇଣ୍ଡିଆନ୍ ଗ୍ରାଁ ପ୍ରି-୫, ଦୂତିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ପାତିଆଲାଠାରେ ଥିବା ଜାତୀୟ କ୍ରୀଡ଼ା ସଂସ୍ଥାନରେ ଶୁକ୍ରବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୫ର ମହିଳା ୧୦୦ ମିଟରରେ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୂତି ୧୧.୪୨ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନରେ ରହିଥିଲେ। ତାମିଲନାଡୁର ଅର୍ଚନା ସୁସିନ୍ଦ୍ରନ୍ (୧୧.୫୩ ସେକେଣ୍ଡ) ଦ୍ବିତୀୟ ଏବଂ ପଞ୍ଜାବର ମନବୀର କୌର (୧୨.୨୮ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ପୁରୁଷ ଲମ୍ବ ଡିଆଁରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଓଡ଼ିଆ ତାରକା ଆଶିଷ ପାତ୍ର (୭.୨୦ ମିଟର) ପଞ୍ଚମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ କେରଳର ଏମ୍ ଶ୍ରୀସଂସ୍କରଣ (୮ ମିଟର), କର୍ଣ୍ଣାଟକର ସିଦ୍ଧାର୍ଥ ନାଏକ (୭.୫୬ ମିଟର) ଓ ହରିଆଣାର ସୁଶୀଲ ମହାବଳୀ (୭.୫୫ ମିଟର) ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଦୂତି ଏହା ପରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ହେବାକୁ ଥିବା ଅନ୍ତଃ ରାଜ୍ୟ ବରିଷ୍ଠ ଦୌଡ଼କୁଦରେ ଅଂଶ ଗ୍ରହଣ କରିବେ। ଏହା ମଧ୍ୟ ତାଙ୍କ ପାଇଁ ବିଶ୍ବ ପ୍ରତିଯୋଗିତା ଏବଂ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନର ଆଉ ଏକ ସୁଯୋଗ ହେବ। ଏହି ପ୍ରତିଯୋଗିତା ଚଳିତ ମାସ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ସମ୍ବନ୍ଧିତ ଖବର