ଭୁବନେଶ୍ବର: କେରଳର ତ୍ରିଭେନ୍ଦ୍ରମଠାରେ ଶନିବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁପ୍ରି-୨ରେ ଓଡ଼ିଶା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି। ବିଶେଷ କରି ପୁରୁଷ ୧୦୦ ମିଟରର ପ୍ରଥମ ୩ସ୍ଥାନରେ ଓଡ଼ିଶାର ୩ଜଣ ଖେଳାଳି ରହିବା ଉଲ୍ଲେଖନୀୟ ରହିଛି। ୧୦.୩୧ ସେକେଣ୍ଡ୍ ସମୟ ସହ ଅନୀମେଷ କୁଜୁର ପ୍ରତିଯୋଗିତାର ଦ୍ରୁତତମ ଧାବକ ହୋଇଥିଲା ବେଳେ ତାଙ୍କ ପଛକୁ ରହିଛନ୍ତି ଲାଲୁ ପ୍ରସାଦ ଭୋଇ (୧୦.୫୬୫ ସେକେଣ୍ଡ) ଓ ଦଣ୍ଡପତି ମୃତ୍ୟମ ଜୟରାମ (୧୦.୫୬୯)। ଏହା ରାଜ୍ୟ ଦୌଡ଼କୁଦ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।
ଅନ୍ୟତମ ଓଡ଼ିଆ ଅଭିନାଶ ସାହୁ (୧୦.୭୪ ସେକେଣ୍ଡ) ନିଜ ଗ୍ରୁପ୍ (ସି)ର ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ମୋଟ ଉପରେ ସପ୍ତମ ସ୍ଥାନ ଅଧିକାର କରିଥିଲେ। ପୁରୁଷ ୨୦୦ ମିଟରରେ ମଧ୍ୟ ଅନିମେଷ ବାଜି ମାରି ନେଇଥିଲେ। ୨୦.୫୫ ସେକେଣ୍ଡ ସହ ସେ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଲାଲୁପ୍ରସାଦ ଭୋଇ (୨୧.୨୩) ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ୮୦୦ ମିଟରରେ ଓଡ଼ିଶାର ଦୟାନିଧି ମୁଣ୍ଡା (୧:୫୨.୮୦) ତୃତୀୟ ସ୍ଥାନରେ ରହିଥିଲେ। ମହିଳା ୧୦୦ ମିଟରରେ କିନ୍ତୁ ଅଭିଜ୍ଞ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଆଶାଜନକ ପ୍ରଦର୍ଶନ କରି ପାରି ନଥିଲେ। ମହିଳା ୮୦୦ ମିଟରରେ କିନ୍ତୁ ଲକ୍ଷ୍ମୀପ୍ରିୟା କିଶାନ ଏହି ଦୁଃଖକୁ ଦୂର କରିଥିଲେ। ୨:୦୯.୧୦ ମିନିଟ୍ ସମୟ ସହ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିଭଳି ମହିଳା ୧୧୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି ସାହୁ (୧୩.୨୭) ଓ ସବିତା ଟପ୍ପୋ (୧୪.୨୦) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବା ଜାତୀୟ ଦୌଡ଼କୁଦ ଦୃଶ୍ୟପଟ୍ଟରେ ଓଡ଼ିଶାର ବର୍ଦ୍ଧିତ ଆକାରକୁ ଦର୍ଶାଇଥିଲା।