ଇଣ୍ଡିଆନ୍ ଗ୍ରାଁ ପ୍ରି-୪: ଅମିୟ-ଆର୍ଯ୍ୟନ୍ ୧-୨, ଶ୍ରାବଣୀ ପୁଣି ପ୍ରଥମ

ଭୁବନେଶ୍ବ): କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ତିନି ଓଡ଼ିଆ ତାରକା ଅମିୟ ମଲ୍ଲିକ, ଶ୍ରାବଣୀ ନନ୍ଦ ଓ ଆର୍ଯ୍ୟନ୍ ଏକ୍କା ଆଶାଜନକ ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ସମ୍ମାନଜନକ ପୁରୁଷ ୧୦୦ ମିଟର ଦୌଡ଼ରେ ଅମିୟ ଏବଂ ଆର୍ଯ୍ୟନ୍ ୱାନ୍-ଟୁ ଫିନିସ୍ ପାଇ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ। ଯାହା ରାଜ୍ୟ ଦୌଡ଼କୁଦ ପାଇଁ ଏକ ବହୁତ ବଡ଼ ଖୁସି ଖବର ଥିଲା। ଏଠାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ରେ ଅମିୟଙ୍କୁ ଆର୍ଯ୍ୟନ୍ ପଛରେ ପକାଇ ନୂଆ ନାୟକ ଭାବେ ଉଭା ହୋଇଥିଲେ। ମଙ୍ଗଳବାର କିନ୍ତୁ ଜାତୀୟ କୀର୍ତ୍ତିମାନଧାରୀ ଅମିୟ ନିଜ ପ୍ରଦର୍ଶନର ସ୍ତର ବଢ଼ାଇ ପ୍ରଥମ ସ୍ଥାନ ଅଧିକାର କରିନେଇଥିଲେ। ତାଙ୍କ ଟାଇମିଂ ଥିଲା ୧୦.୭୪ ସେକେଣ୍ଡ୍। ଆର୍ଯ୍ୟନ୍ ୧୦.୮୬ ସେକେଣ୍ଡ ଟାଇମିଂ ସହ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ମହାରାଷ୍ଟ୍ରର ବିବେକ ହେଗିସ୍ତେ (୧୦.୯୫ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ପୁରୁଷ ୧୦୦ ମିଟରର ଚାରିଟି ଯାକ ଦୌଡ଼କୁ ମିଶାଇ ଶ୍ରେଷ୍ଠ ଟାଇମିଂ ଅନୁସାରେ ଅମିୟ, ଆର୍ଯ୍ୟନ୍ ଓ ବିବେକ ପ୍ରଥମ ତିନି ସ୍ଥାନରେ ରହିଥିଲେ।

ଆର୍ଯ୍ୟନଙ୍କ ଭିତରେ ମୋ ପ୍ରତିଛବି ଦେଖୁଛି: ଅମିୟ
‘‘ଘରୋଇ ପରିବେଶ ବିଶେଷ କରି କଳିଙ୍ଗ ଷ୍ଟାଡିୟମ୍‌ ଆଥଲେଟିକ୍ସ ଟ୍ରାକ୍‌ରେ ଭଲ କରିବା ମୋ ପାଇଁ ସବୁବେଳେ ଆହ୍ବାନପୂର୍ଣ୍ଣ ହୋଇଥାଏ। ସେହି ଆହ୍ବାନକୁ ସଫଳତାର ସହ ସମ୍ମୁଖୀନ ହୋଇଥିବାରୁ ଖୁସି ଲାଗୁଛି। ମୁଁ ଆଗରୁ କହିଛି ଡେଙ୍ଗୁରେ ପୀଡ଼ିତ ହୋଇଥିବାରୁ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ରେ ସେତେଟା ଭଲ କରିପାରିନଥିଲି। ଏଥର ପ୍ରଥମ ସ୍ଥାନରେ ରହିଥିବାରୁ ଖୁସି ଲାଗୁଛି। ତେବେ ଉଭୟ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଏବଂ ୪ରେ ମୁଁ ଓଡ଼ିଶାର ଅନ୍ୟତମ ଉଦୀୟମାନ ତାରକା ଆର୍ଯ୍ୟନ ଏକ୍କାଙ୍କୁ ଲକ୍ଷ୍ୟ କରୁଛି। ତାଙ୍କ ପାଖରେ ଢେର ପ୍ରତିଭା ରହିଛି। ଉନ୍ନତ ପ୍ରଶିକ୍ଷଣ ଏବଂ ସୁଯୋଗ ମିଳିଲେ ସେ ବହୁତ ଆଗକୁ ବଢ଼ିପାରିବେ। ଏପରିକି ମୋତେ ମଧ୍ୟ ଟପି ପାରିବେ। ମୁଁ ଆଗରୁ ମଧ୍ୟ ଅନେକ ଥର କହିଛି ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। କେବଳ ଯାହା ଏକ୍ସପୋଜର କମି ଯାଉଥିଲା। ରାଜ୍ୟ ସରକାରଙ୍କ ପାଇଁ ଏହି ସମସ୍ୟା ବି ଦୂର ହୋଇଛି। ଆମର ଏଠାରେ ବହୁତ ବଡ଼ବଡ଼ ପ୍ରତିଯୋଗିତା ଆୟୋଜନ ହେଉଛି। ଏଣୁ ଆର୍ଯ୍ୟନ୍ ନିଶ୍ଚିତ ଭାବେ ଆଗାମୀ ସମୟରେ ଓଡ଼ିଶା ପାଇଁ ଢେର ଗର୍ବ ଓ ଗୌରବ ଆଣିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ମୁଁ ସଂପୂର୍ଣ୍ଣ ଫିଟ୍ ହୋଇ ଆଥଲେଟିକ୍ସ ଟ୍ରାକ୍‌କୁ ଫେରିବାରେ ଆମ ଡାକ୍ତରୀ ଦଳର ପ୍ରଚ୍ଛନ୍ନ ହାତଥିବାରୁ ସେମାନଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି।’’ ପୁରୁଷ ୧୦୦ ମିଟର ଦୌଡ଼ର ପ୍ରଥମ ସ୍ଥାନରେ ରହିବା ପରେ ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଥିଲେ।

ଶ୍ରାବଣୀ ପୁଣି ପ୍ରଥମ
ମହିଳା ୧୦୦ ମିଟର ଦୌଡ଼ରେ ପୁଣି ଥରେ ଓଡ଼ିଆ ତାରକା ଶ୍ରାବଣୀ ନନ୍ଦ (୧୧.୮୭) ନିଜ ଯାଦୁ ଦେଖାଇଥିଲେ। ଗତ ୨୧ ତାରିଖରେ ଆୟୋଜିତ ହୋଇଥିବା ଇଣ୍ଡିଆନ୍ସ ଗ୍ରାଁ ପ୍ରି-୩ ଭଳି ମଙ୍ଗଳବାର ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରି ଲଗାତାର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ କୌଣସି ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଏହି ଓଡ଼ିଆ ଝିଅ କିନ୍ତୁ ନିଜ ଟାଇମିଂକୁ ନେଇ ସେତେଟା ଖୁସି ନଥିଲେ। ଏହି ବର୍ଗରେ ହୋଇଥିବା ଦୁଇଟି ରେସ୍‌ର ଟାଇମିଂକୁ ମିଶାଇ ଶ୍ରାବଣୀଙ୍କ ୧୧.୮୭ ସେକେଣ୍ଡ ଟାଇମିଂ କିନ୍ତୁ ଏକନମ୍ବର ସ୍ଥାନରେ ରହିଥିଲା। ଦୁଇଟି ଯାକ ରେସ୍‌ରେ ସେ ଏକମାତ୍ର ଖେଳାଳି ଭାବେ ମଧ୍ୟ ୧୨ ସେକେଣ୍ଡ ତଳର ଟାଇମିଂ ପାଇଥିଲେ। ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ରଂଜିତା ମହାନ୍ତ (୧୨.୮୪) ସପ୍ତମ ସ୍ଥାନରେ ରହିଥିଲା ବେଳେ ମନିତା ଲାକ୍ରା ଅଯୋଗ୍ୟ ଘୋଷିତ ହୋଇଥିଲେ।

‘ଅନ୍ତଃରାଜ୍ୟ ଦୌଡ଼ରେ ଆହୁରି ଭଲ କରିବି’
‘‘୧୦୦ ମିଟରରେ ମୋ ଶ୍ରେଷ୍ଠ ଟାଇମିଂ ହେଉଛି ୧୧.୩ ସେକେଣ୍ଡ । ଏହାକୁ ଛୁଇଁ ପାରିନଥିବାରୁ ଟିକିଏ ଦୁଃଖ ଲାଗୁଛି। ତଥ‌ାପି ଲଗାତାର ଦୁଇ ଥର ପ୍ରଥମ ସ୍ଥାନରେ ରହିବା ପରେ ଆତ୍ମବିଶ୍ବାସ ବଢ଼ିଛି। ଆଗାମୀ ସମୟରେ ଆୟୋଜିତ ହେବାକୁ ଥିବା ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ମୁଁ ମୋ ଶ୍ରେଷ୍ଠ ଟାଇମିଂ ଛୁଇଁବାକୁ ନିଶ୍ଚିତ ଚେଷ୍ଟା କରିବି। ସେଥିଲାଗି କଠିନ ପରିଶ୍ରମ ବି କରିବି। ଆଜିର ପ୍ରତିଦ୍ବନ୍ଦ୍ବିତା କିନ୍ତୁ ନିଶ୍ଚିତ ଭାବେ ଅନ୍ତର୍ଜାତୀୟମାନର ଥିଲା, ସବୁକିଛି ପୂରା ବ୍ୟବସ୍ଥିତ ଥିଲା। ଏଠାକାର ଭିତ୍ତିଭୂମି ଏବେ ଏତେ ଭଲ ହୋଇଯାଇଛି ଯେ ଭବିଷ୍ୟତରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବ ଦୌଡ଼କୁଦ ମଧ୍ୟ ଆୟୋଜିତ ହୋଇପାରିବ। ଏହା ଆମେ ଖେଳାଳିଙ୍କ ସହ ସ୍ଥାନୀୟ ଗଣମାଧ୍ୟମ, ସରକାର, କ୍ରୀଡ଼ା ସଂଗଠକ ଏବଂ ଅଧିକାରୀମାନଙ୍କୁ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାର ଅଭିଜ୍ଞତା ମିଳିବ। ଓଡ଼ିଶା କ୍ରୀଡ଼ା ପାଇଁ ଏହା ନିଶ୍ଚିତ ଭାବେ ଐତିହାସିକ ମୋଡ଼ ହେବ।’’ ବୋଲି ଶ୍ରାବଣୀ ମତ ରଖିଥିଲେ।

ଲମ୍ବଡିଆଁରେ ମନୀଷା ଷଷ୍ଠ
ମହିଳା ଲମ୍ବ ଡିଆଁରେ ଓଡ଼ିଶାର ମନୀଷା ମେରେଲ ଷଷ୍ଠ ସ୍ଥାନରେ ରହିଥିଲେ। ୧୮୫ ନମ୍ବର ଜର୍ସି ପିନ୍ଧିଥିବା ମେରେଲ ୫.୮୬ ମିଟର ଦୂରତାକୁ ଡେଇଁ ପ୍ରଥମ ୫ ଜଣଙ୍କ ମଧ୍ୟରେ ରହିବାର ସୁଯୋଗ ହାତଛଡ଼ା କରିଥିଲେ। ଅନ୍ୟପକ୍ଷରେ କେରଳ ୱାନ୍-ଟୁ ଫିନିସ୍ ପାଇଥିଲା। କେରଳର ନୟନା ଜେମ୍ସ ୬.୩୭ ମିଟର ଦୂରତାକୁ ଲମ୍ପ ମାରି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଇ ଆନ୍ସି ସୋଇଆନ୍ (୬.୩୫ ମିଟର) ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।

ଡିସକସ୍‌ରେ ପାର୍ବତୀ ପଞ୍ଚମ
ମହିଳା ଡିସକସ୍ ଥ୍ରୋ’ର ଫାଇନାଲ୍‌ରେ ସର୍ବମୋଟ ୫ ଜଣ ପ୍ରତିଯୋଗୀ ଥିଲା ବେଳେ ଓଡ଼ିଶାର ପାର୍ବତୀ ସେଠୀ (୪୩.୨୩ ମିଟର) ପଞ୍ଚମ ସ୍ଥାନରେ ରହିଥିଲେ। ପଞ୍ଜାବର ନବନୀତ କୌର ଢିଲୋଁ (୫୪.୭୯ ମିଟର) ପ୍ରଥମ, ଉତ୍ତର ପ୍ରଦେଶର ସୀମା ପୁନିଆ (୫୩.୫୭ମିଟର) ଦ୍ବିତୀୟ, ହରିୟାଣାର ନିଧି ରାଣୀ (୪୯.୮୫ ମିଟର) ତୃତୀୟ ସ୍ଥାନରେ ରହିଥିଲେ। ପୁରୁଷ ୪୦୦ ମିଟରରେ ଓଡ଼ିଶାର ବିଘ୍ନରାଜ ମିରିଡିଆ (୪୮.୭୪ ସେକେଣ୍ଡ) ୨୩ ଜଣ ଖେଳାଳିଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଥିଲେ। ସେହିଭଳି ପୁରୁଷ ଜାଭଲିନରେ ଓଡ଼ିଶାର କିଶୋର କୁମାର ଜେନା (୭୩.୫୪ ମିଟର) ପଞ୍ଚମ ସ୍ଥାନ ଅଧିକାର କରିଥିଲେ।

ପାରୁଲ ଓ ଆନିସ୍ ଶ୍ରେଷ୍ଠ କ୍ରୀଡ଼ାବିତ୍
ମହିଳା ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଶ୍ରେଷ୍ଠ ହୋଇଥିବା ଉତ୍ତର ପ୍ରଦେଶର ପାରୁଲ ଚୌଧୁରୀ ଏବଂ ପୁରୁଷ ଲମ୍ବ ଡିଆଁରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମହମ୍ମଦ ଆନିସ୍ ୟାହିୟା ମଙ୍ଗଳବାର ଶେଷ ହୋଇଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୪‌େର ଯଥାକ୍ରମେ ଶ୍ରେଷ୍ଠ ମହିଳା ଏବଂ ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍ ଘୋଷିତ ହୋଇଥିଲେ। ପ୍ରତିଯୋଗିତା ଶେଷରେ ଉଭୟଙ୍କୁ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ପୁରସ୍କୃତ କରିଥିଲେ। ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ସଭାପତି ଆଦିଲ ସୁମେରିୱାଲା, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, ଏଏଫ୍‌ଆଇ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତା’ ସହିତ କଳିଙ୍ଗ ଷ୍ଟାଡିୟମ୍‌ରେ ସଫଳତାର ସହ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଏବଂ ୪ ଶେଷ ହୋଇଥିଲା। ଏହା ପୂର୍ବରୁ ଅନୁଷ୍ଠିତ ଦିନର ଶେଷ ଇଭେଣ୍ଟ ‘ମହିଳା ୧୫୦୦ ମିଟର ଦୌଡ଼’ରେ ଓଡ଼ିଶାର ନମିତା ପ୍ରଧାନ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ବର୍ଗରେ ପଶ୍ଚିମବଙ୍ଗର ଲିଲି ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର