ଭୁବନେଶ୍ବର: ଆଗାମୀ ଏସୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ପୂର୍ବରୁ ଭାରତର ଉଭୟ ବରିଷ୍ଠ ଓ କନିଷ୍ଠ (ପୁରୁଷ, ମହିଳା) ଖେଳାଳିଙ୍କୁ ନେଇ ଭୁବନେଶ୍ବରରେ ଚାଲିଛି ଜାତୀୟ ପ୍ରଶିକ୍ଷଣ ଶିବିର। ଆସନ୍ତା ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ନିକଟରେ ଖେଳ ଜୀବନରୁ ଅବସର ନେଇ ଜାତୀୟ ପ୍ରଶିକ୍ଷକ ହୋଇଥିବା ଓଡ଼ିଆ ପୁଅ ରାକେଶ ପାତ୍ରଙ୍କ ନେତୃତ୍ବରେ ଚାଲିଛି। ଏକାଧିକ ଅନ୍ତର୍ଜାତୀୟ ପଦକ ଜିତିବାର ଅଭିଜ୍ଞତା ରଖିଥିବା ରାକେଶଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଏସୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଆଶାରେ ମଧ୍ୟ ରହିଛି। ତାଙ୍କ ନେତୃତ୍ବରେ ପ୍ରଶିକ୍ଷକ ମଣ୍ଡଳିରେ ରହିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଦୀପା କର୍ମକାରଙ୍କ ପ୍ରଶିକ୍ଷକ ବିଶ୍ବେଶ୍ବର ନନ୍ଦିଙ୍କ ସହ ପ୍ରବୀଣ ଶର୍ମା, ପାୟଲ ଭଟ୍ଟାଚାର୍ଯ୍ୟ, ହରିଶ ଚନ୍ଦେରା, ଜିମି ଅଞ୍ଜନ, ଅଭିଷେକ ମୋର ଓ ରାଜା ବାବୁ ୟାଦବ।
ଏହି ପ୍ରଶିକ୍ଷଣ ଶିବିରରେ ବରିଷ୍ଠ (୮ ଲେଖାଏଁ ପୁରୁଷ ଓ ମହିଳା) ଏବଂ କନିଷ୍ଠ (୬ ଲେଖାଏଁ ପୁରୁଷ ଓ ମହିଳା)ରେ ମୋଟ ୨୮ ଖେଳାଳି ଅଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ଏସୀୟ ପ୍ରତିଯୋଗିତା ଲାଗି ଘୋଷିତ ଦଳରେ ରହିଛନ୍ତି। ଘୋଷିତ ଦଳରେ ଥିବା ଓଡ଼ିଶାରୁ ୪ ଜଣ ପ୍ରଣତି ନାୟକ, ତପନ ମହାନ୍ତି (ବରିଷ୍ଠ), ପ୍ରୀତି ଝାଙ୍କର ଓ ବୀରୁ ଚନ୍ଦ୍ର ରାଓ (କନିଷ୍ଠ) ମଧ୍ୟ ଏହି ଶିବିରରେ ନିଜକୁ ଶାଣିତ କରୁଛନ୍ତି। ତପନ ଓ ପ୍ରଣତି ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଭାଗନେବାକୁ ଥିଲା ବେଳେ ପ୍ରୀତି କନିଷ୍ଠ ମହିଳାରେ ଅଂଶଗ୍ରହଣ କରିବେ। ହେଲେ ବୀରୁ କନିଷ୍ଠ ପୁରୁଷ ରିଜର୍ଭ ଦଳରେ ଅଛନ୍ତି। ଏସୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେବ। ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଯଥାକ୍ରମେ ଜୁନ୍ ୫ରୁ ୮ ଏବଂ ୧୨ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ।