ନୂଆଦିଲ୍ଲୀ: ଭାରତୀୟ ହ୍ୟାଣ୍ଡ୍ବଲ୍ ଦୁନିଆ ପାଇଁ ଖୁସି ଖବର। ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି। ଚଳିତ ବର୍ଷର ହଙ୍ଗଝୁ ଏସୀୟ କ୍ରୀଡ଼ା ପୂର୍ବରୁ ଦୁଇ ସମାନ୍ତରାଳ ସଂଘର ମିଶ୍ରଣ ଘଟିଥିବାରୁ ଖେଳାଳି ଓ ପ୍ରଶାସକମାନେ ମଧ୍ୟ ଖୁସି ହୋଇଛନ୍ତି। ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ହସ୍ତକ୍ଷେପ ପରେ ବିବାଦର ସମାଧାନ ସହିତ ଭାରତୀୟ ହ୍ୟାଣ୍ଡ୍ବଲ୍ ସଂଘ (ଏଚ୍ଏଆଇ)ର ନୂଆ କର୍ମକର୍ତ୍ତାମାନେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ପୂର୍ବ ସାଧାରଣ ସମ୍ପାଦକ ପ୍ରୀତପାଲ୍ ସିଂହ ସାଲୁଜାଙ୍କ ଗୋଷ୍ଠୀ ପଛରେ ପଡ଼ିଯାଇଥିବାବେଳେ ଦିଗବିଜୟ ସିଂହ ଚୌତାଲା ସଭାପତି, ଜଗନ ମୋହନ ରାଓ ସାଧାରଣ ସମ୍ପାଦକ ଏବଂ ତେଜରାଜ ସିଂହ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
ଏହି ନିର୍ବାଚନ ସମ୍ପର୍କରେ ଏଚ୍ଏଆଇ ସୋମବାର ଭାରତୀୟ ଅଲିମ୍ପିକ୍ ସଂଘର ମୁଖ୍ୟ ପିଟି ଉଷାଙ୍କୁ ଅବଗତ କରାଇବା ପରେର ଆଇଓଏର ଅନୁବଂଧନ ପାଇବା ନିଶ୍ଚିତ ହୋଇଛି। ଭାରତୀୟ ହ୍ୟାଣ୍ଡବଲ୍ ସଂଘର ବିବାଦ ସମାଧାନ ଦିଗରେ ଆଇଓଏ ଯୁଗ୍ମ ସମ୍ପାଦକ ତଥା କାର୍ଯ୍ୟକାରୀ ସିଇଓ କଳ୍ୟାଣ ଚୌବେ ମୁଖ୍ୟ ଭୂମିକା ତୁଲାଇଥିଲେ। ହ୍ୟାଣ୍ଡବଲ୍ର ସ୍ବାର୍ଥକୁ ନଜରରେ ରଖି ଏହି ମିଶ୍ରଣ କରାଯାଇଥିବାରୁ ଉଭୟ ଦିଗବିଜୟ ଚୌତାଲା ଓ ଜଗନ ମୋହନ ରାଓ ମଧ୍ୟ ସନ୍ତୋଷ ପ୍ରକଟ କରିଛନ୍ତି। ଆଇଓଏକୁ ଦିଗବିଜୟ ଧନ୍ୟବାଦ ଦେବା ସହ ଦେଶରେ ହ୍ୟାଣ୍ଡ୍ବଲ୍ ଖେଳ ଆଗକୁ ବଢ଼ିବ ବୋଲି ଆଶା ପ୍ରକଟ କରିଛନ୍ତି। ଖେଳାଳିଙ୍କ ବିକାଶ ଦିଗରେ ଏହା ଶ୍ରେଷ୍ଠ ପ୍ରୟାସ ହେବ ବୋଲି କହିଛନ୍ତି ଜଗନ ମୋହନ।