ଭୁବନେଶ୍ବର: ଭାରତୀୟ ହକିକୁ ଶୁକ୍ରବାର ୧୦୦ ବର୍ଷ ପୂରିବ। ଦେଶରେ ହକିର ଇତିହାସ ପାଖାପାଖି ୨୦୦ରୁ ଅଧିକ ବର୍ଷ ହୋଇଥିଲେ ମଧ୍ୟ ୧୯୨୫ ମସିହା ଆଜିର ଦିନରେ ଭାରତୀୟ ହକି ମହାସଂଘ ଗଠିତ ହୋଇ ଔପଚାରିକ ରୂପ ନେଇଥିଲା।  ୨୦୦୮ରେ ଯାହା ’ହକି ଇଣ୍ଡିଆ’ନାମ ବହନ କରିଥିଲା। ଏବେ ଏ ସଂଗଠନ ଭାରତୀୟ ହକିକୁ ଆହୁରି ଉଚ୍ଚକୁ ନେବାକୁ ଚେଷ୍ଟା ଜାରି ରଖିଛି। ଏହି ଦିନକୁ ସ୍ମରଣୀୟ କରିବାକୁ ହକି ଇଣ୍ଡିଆ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉତ୍ସବ ଢେର୍‌ କିଛି ଦିନ ଚାଲିବାକୁ ଥିଲେ ମଧ୍ୟ ସମାନ୍ତରାଳ ଭାବେ ଦେଶର ୫୫୦ ଜିଲ୍ଲାରେ ୧୪୦୦ ହକି ମ୍ୟାଚ୍ ଆୟୋଜନ କରି ନୂଆ ବିଶ୍ବ ରେକର୍ଡ ସ୍ଥାପନ କରିବାକୁ ଯୋଜନା କରାଯାଇଛି। ଏଥିରେ ତୃଣମୂଳସ୍ତରର ୩୬,୦୦୦ରୁ ଅଧିକ ହକି ଖେଳାଳି ଅଂଶଗ୍ରହଣ କରିବେ।

Advertisment

୫୫୦ ଜିଲାରେ ଖେଳାଯିବ ୧୪୦୦ ମ୍ୟାଚ୍
ତୃଣମୂଳ ସ୍ତରରେ ଭାଗନେବେ ୩୬,୦୦୦ ଖେଳାଳି
ମାଇଲ୍‌ଖୁଣ୍ଟକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ମଧ୍ୟ ବ୍ୟାପକ ପ୍ରସ୍ତୁତି

ଓଡ଼ିଶାରେ ମଧ୍ୟ ଭାରତୀୟ ହକିର ଏହି ଶତବାର୍ଷିକୀକୁ ପାଳନ କରିବା ଲାଗି ବିଭିନ୍ନ ଜିଲ୍ଲାରେ ହକି ମ୍ୟାଚ୍ ଆୟୋଜନ କରାଯିବାର ଯୋଜନା ରହିଛି। ଏଥିଲାଗି ହକି ଇଣ୍ଡିଆ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛି। ଉତ୍ସବ ପାଳନର ଆନୁଷ୍ଠାନିକ ଶୁଭାରମ୍ଭ ନୂଆଦିଲ୍ଲୀରେ ହେବ। ଭାରତୀୟ ହକିର ଗୌରବମୟ ଯାତ୍ରାକୁ ନେଇ ସକାଳ ୮ଟା ୩୦ରୁ ହିଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ‌କରାଯିବ। କ୍ରୀଡ଼ାମନ୍ତ୍ରୀ ଏକାଦଶ ଏବଂ ହକି ଇଣ୍ଡିଆ ମିଶ୍ରିତ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ଲିଙ୍ଗ ସମାନତାକୁ ମହତ୍ତ୍ବ ଦେଇ ହକି ଇଣ୍ଡିଆ ଏକାଦଶରେ ଉଭୟ ପୁରୁଷ ଓ ମହିଳା ଖେଳାଳି ସ୍ଥାନ ପାଇବେ। ତା’ ସହିତ ଭାରତୀୟ ହକିର ବହୁ କିଂବଦନ୍ତି ପୁରୁଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଭାରତୀୟ ହକିର ସଫଳତାକୁ ନେଇ ଏକ ଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ।

କନିଷ୍ଠ ହକି ବିଶ୍ବକପ୍ ଟ୍ରଫି ଓଡ଼ିଶା ଆସିବ

ଭୁବନେଶ୍ବର: କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଚର୍ତୁଦଶ ସଂସ୍କରଣ ତାମିଲନାଡ଼ୁର ଚେନ୍ନାଇ ଓ ମଦୁରାଇଠାରେ ଚଳିତ ନଭେମ୍ବର ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଥର ଲାଗି ଏଥରର ବିଶ୍ବକପ୍‌ରେ ୨୪ଦଳ ଅଂଶଗ୍ରହଣ କରିବେ। ୪ବର୍ଷ ପରେ ଭାରତକୁ ଫେରିଥିବା କନିଷ୍ଠ ହକି ବିଶ୍ବକପ୍‌କୁ ‌ଲୋକପ୍ରିୟ କରାଇବା ସହ ହକିପ୍ରେମୀଙ୍କ ସମର୍ଥନ ଲୋଡ଼ିବା ଲକ୍ଷ୍ୟ ନେଇ ହକି ଇଣ୍ଡିଆ ଏହାର ଟ୍ରଫିକୁ ଦେଶର ୨୦ଟି ସହରରେ ବୁଲାଇବାକୁ ନିଷ୍ପତ୍ତି ନେଇଛି।  ଏହି ଯାତ୍ରାର ଶୁଭାରମ୍ଭ ଶୁକ୍ରବାରଠାରୁ ନୂଆଦିଲ୍ଲୀରୁ ଆରମ୍ଭ ହେବ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ତଥା କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ଦତୋ ତୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସଂପାଦକ ଭୋଳାନାଥ ସିଂହ, କୋଷାଧ୍ୟକ୍ଷ ଶେଖର  ମୋନମୋହନଙ୍କ ଉପସ୍ଥିତିରେ ହେବ।

ହକି ବିଶ୍ବକପ୍‌କୁ ନେଇ ସୃଷ୍ଟି ହୋଉଥିବା ଉତ୍ସାହକୁ ଦେଶର କୋଣ ଅନୁକୋଣକୁ ନେବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ବୋଲି ପଦ୍ମଶ୍ରୀ ଦିଲୀପ ତିର୍କି କହିଛନ୍ତି। ଭୁବନେଶ୍ବରକୁ ବିଶ୍ବକପ୍ ଟ୍ରଫି ୨୦ ତାରିଖ‌ରେ ଆସିବାକୁ ଥିବାରୁ ଏହାର ସ୍ବାଗତ ଉତ୍ସବରେ ଅଧିକରୁ ଅଧିକ ହକିପ୍ରେମୀ ଯୋଗଦେବାକୁ ଆହ୍ବାନ କରିଛନ୍ତି ସେ। ହକି ଇଣ୍ଡିଆ ଦେଇଥିବା ସୂଚନା ଅନୁସାରେ ବିଶ୍ବକପ୍ ଟ୍ରଫି ଦେଶ ଭ୍ରମଣ ଯାତ୍ରା ନଭେମ୍ବର ୭ରେ ନୂଆଦିଲ୍ଲୀରୁ ଆରମ୍ଭ ହେବା ପରେ ୯ରେ ଏହା ହରିୟାଣାର ପଞ୍ଚକୁଲା, ୧୦ରେ ପଞ୍ଜାବର ଅମୃତସର, ୧୧ରେ ଜମ୍ମୁ, ୧୨ରେ ଉତ୍ତରପ୍ରଦେଶର ଲକ୍ଷ୍ନୌ, ୧୩ରେ ରାଜସ୍ଥାନର ଉଦୟପୁର, ୧୪ରେ ଅହମଦାବାଦ, ୧୫ରେ ଭୋପାଳ, ୧୬ରେ କୋଲକାତା, ୧୭ରେ ଛତିଶଗଡ଼ର ରାଏପୁର, ୧୮ରେ ରାଞ୍ଚି, ୧୯ରେ ବିହାରର ପାଟଣା ଦେଇ ୨୦ରେ ଭୁବନେଶ୍ବର ପହଞ୍ଚିବ। ଏଠାରୁ ୨୧ରେ ଆସାମର ଗୁଆହାଟୀ, ୨୨ରେ ପୁଣେ, ୨୩ରେ ହାଇଦ୍ରାବାଦ, ୨୪ରେ ବିଶା‌ଖାପାଟଣା, ୨୫ରେ ବେଙ୍ଗାଲୁରୁ ଦେଇ ୨୬ରେ କେରଳର ତିରୁବନ୍ତପୁରମ୍‌ରେ ଯାତ୍ରା ଶେଷ କରିବ। ସୂଚନାଯୋଗ୍ୟ, ଭାରତରେ ‌ଶେଷ ଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ୨୦୨୧ ମସିହାରେ ଭୁବନେଶ୍ବରରେ ଖେଳାଯାଇଥିଲା।