ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳ: ଓଡ଼ିଶାରୁ ଦୀପଗ୍ରେସ୍‌, ଲିଲିମା, ନମିତା

ଭୁବନେଶ୍ବର: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ହକି ଇଣ୍ଡିଆ ଶୁକ୍ରବାର ୧୮ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରିଛି। ଚଳିତ ମାସ ୨୭ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତରେ ଭାରତୀୟ ଦଳ ବ୍ରିଟେନ୍‌ ସହ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ସବୁ ମ୍ୟାଚ୍‌ ମାର୍ଲୋଠାରେ ଖେଳାଯିବ। ୨୭ରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ୨୯ରେ ଦ୍ବିତୀୟ, ଅକ୍ଟୋବର ୧ରେ ତୃତୀୟ, ୨ରେ ଚତୁର୍ଥ ଏବଂ ୪ରେ ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳି ଭାରତ ତା’ର ଇଂଲଣ୍ଡ ଗସ୍ତ ଶେଷ କରିବ। ଏହି ଗସ୍ତ ପାଇଁ ଘୋଷିତ ଦଳରେ ରାଣୀ ରାମ୍‌ପଲ୍‌ଙ୍କୁ ଅଧିନାୟିକା ଏବଂ ଗୋଲ୍‌ରକ୍ଷିକା ସବିତାଙ୍କୁ ଉପଅଧିନାୟିକା ମନୋନୀତ କରାଯାଇଛି। ଦଳରେ ୩ ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ମିଡ୍‌ଫିଲ୍‌ଡର ନମିତା ଟପ୍ପୋ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲା ବେଳେ ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କା ଏବଂ ମିଡ୍‌ଫିଲ୍‌ଡର ଲିଲିମା ମିଞ୍ଜ୍‌ ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି। ଆଗାମୀ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଦଳ ଚୟନ କରାଯାଇଛି। ଦଳରେ ବିଶେଷ ପରିବର୍ତନ କରାଯାଇନଥିଲା ବେଳେ ୨୦୧୮ ଏସୀୟ କ୍ରୀଡ଼ା ପରେ ନମିତା ଟପ୍ପୋଙ୍କ ପ୍ରତ୍ୟାବର୍ତନ ଦଳ ପାଇଁ ଭଲ ଖବର ରହିଛି। ପ୍ରଶିକ୍ଷଣ ଶିବିରରେ ସେ ଖୁବ୍‌ ଭଲ ପ୍ରଦର୍ଶନ କରି ଆମମାନଙ୍କ ଆତ୍ମବିଶ୍ବାସ ବଢ଼ାଇଛନ୍ତି। ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଥିଲା ବେଳେ ନଭେମ୍ବରରେ ଆମେରିକା ସହ ଭାରତ ମୁହାଁମୁହିଁ ହେବ। ତେଣୁ ଏହା ପୂର୍ବରୁ ଇଂଲଣ୍ଡ ଗସ୍ତ ଆମ ପାଇଁ ଭଲ ପ୍ରସ୍ତୁତି ରହିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ କହିଛନ୍ତି। କାରଣ ବ୍ରିଟେନ୍‌ ଦଳ ଏବଂ ଆମେରିକା ଦଳର ଖେଳସ୍ତର ପ୍ରାୟତଃ ଏକାପ୍ରକାର। ତେଣୁ ଇଂଲଣ୍ଡକୁ ଭେଟିବା ପରେ ଆମେରିକା ବିପକ୍ଷରେ ଖେଳିବା ଆମ ପାଇଁ ସହଜ ହୋଇପାରିବ ବୋଲି ମାରିନ୍‌ କହିଛନ୍ତି।

୧୮ ଜଣିଆ ଦଳ: ସବିତା (ଉପଅଧିନାୟିକା), ରଜନୀ ଇଟିମାର୍ପୁ (ଉଭୟ ଗୋଲ୍‌ରକ୍ଷିକା), ଦୀପ୍‌ଗ୍ରେସ୍‌ ଏକ୍କା, ଗୁର୍‌ଜିତ କୌର, ରୀନା ଖୋଖର୍‌, ସାଲିମା ଟେଟେ (ଡିଫେଣ୍ଡର), ସୁଶୀଳା ଚାନୁ ପୁଖ୍ରମବାମ୍‌, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ୍‌, ନମିତା ଟପ୍ପୋ (ମିଡ୍‌ଫିଲ୍‌ଡର), ରାଣୀ ରାମ୍‌ପଲ (ଅଧିନାୟିକା), ବନ୍ଦନା କାଟାରିୟା, ନଭନୀତ କୌର, ଲାଲ୍‌ରେମ୍‌ସିଆମି, ନଭ୍‌ଜୋତ କୌର ଓ ଶର୍ମିଲା ଦେବୀ (ଫରୱାର୍ଡ)।

ସମ୍ବନ୍ଧିତ ଖବର