୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ହକି ଦଳ ଓହରିବା ସମ୍ଭାବନା

ନୂଆଦିଲ୍ଲୀ : ଭାରତୀୟ ହକି ଦଳ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବାର ସମ୍ଭାବନା ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୩୫ ଦିନ ପରେ ଏସୀୟ କ୍ରୀଡ଼ା ଆୟୋଜିତ ହୋଇଥିବାରୁ ହକି ଇଣ୍ଡିଆ ଏଭଳି ନିଷ୍ପତ୍ତି‌ ନେବା ସପକ୍ଷରେ ରହିଛି ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ଏସୀୟ କ୍ରୀଡ଼ା ସମୟରେ ଭାରତ ଲୟରେ ଥିଲେ ଭଲ ‌ହେବ, କାରଣ ସେଠାରୁ ୨୦୨୪ ‌ପ୍ୟାରିସ୍‌ ଅଲିମ୍ପିକ୍ସ ଯୋଗ୍ୟତା ମିଳିପାରିବ। ବାତ୍ରା କହିଛନ୍ତି ସେ ଏ ସମ୍ପର୍କରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମହାପ୍ରବଂଧକ ସନ୍ଦୀପ ପ୍ରଧାନଙ୍କ ସହିତ ଶୁକ୍ରବାର ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ହକି ଇଣ୍ଡିଆର ପୂର୍ବତନ ସଭାପତି ବାତ୍ରା ଏବେ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍‌)ର ମୁଖ୍ୟ ରହିଛନ୍ତି। ବାତ୍ରାଙ୍କ ମୁଖ୍ୟ ଲକ୍ଷ୍ୟ ଭାରତ କିଭଳି ପ୍ୟାରିସ୍‌ ଅଲିମ୍ପିକ୍ସ ଯୋଗ୍ୟତାକୁ ଏସୀୟ କ୍ରୀଡ଼ା ବିଜେତା ହୋଇ ହାସଲ କରିନେବ। ଭାରତ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଲେ ସିଧାସଳଖ ପ୍ୟାରିସ୍‌ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନେବ। ୨୦୨୨ ଏସୀୟ କ୍ରୀଡ଼ା ବର୍ମିଂହାମ୍‌ରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେହିବର୍ଷ ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ହଙ୍ଗଜୁରେ ଖେଳାଯିବ। କଥାବାର୍ତା ପ୍ରାଥମିକ ସ୍ତରରେ ରହିଛି, ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବା ସନ୍ଦେହ ଭିତରେ ରହିଛି ବୋଲି ବାତ୍ରା ପ୍ରକାଶ କରିଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ୍‌ ଏସୀୟ କ୍ରୀଡ଼ାରେ ଭାରତର ୨୧୬ ଜଣିଆ ଦଳ ଅଂଶଗ୍ରହଣ କରି ୨୬ ସ୍ବର୍ଣ୍ଣ ସହ ମୋଟ ୬୬ ପଦକ ଜିତି ଦଳଗତ ଭାବେ ତୃତୀୟ ସ୍ଥାନ ଦଖଲ କରିଥିଲା। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବନ୍ଧୁକଚାଳନା ଓ ତୀରନ୍ଦାଜି ବାଦ୍‌ ପଡ଼ିଥିବାରୁ ହକିରୁ ଓହରିଗଲେ ଭାରତ ଏଥର ନିଶ୍ଚିତ ଛୋଟ ଦଳ ନେଇ ଯିବ ବୋଲି ଆଶା କରାଯାଉଛି। ସେହି ତୁଳନାରେ ଭାରତର ପଦକ ବିଜୟ ସମ୍ଭାବନା ପୂର୍ବ ତୁଳନାରେ କମିବ ବୋଲି କହିଛନ୍ତି ବାତ୍ରା।

ସମ୍ବନ୍ଧିତ ଖବର