ଭାରତୀୟ ହକି ଦଳର ଜର୍ମାନି ଗସ୍ତ

ପୁରୁଷ ଜିତିଲେ, ମହିଳା ହାରିଲେ

ନୂଆଦିଲ୍ଲୀ : ଜର୍ମାନି ଗସ୍ତରେ ଥିବା ଭାରତୀୟ (ପୁରୁଷ ଓ ମହିଳା) ହକି ଦଳକୁ ମିଶ୍ରିତ ସଫଳତା ମିଳିଛି। କରୋନା ଯୋଗୁଁ ୧୨ ମାସରୁ ଅଧିକ ସମୟ ହେବ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନଥିବା ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ‌କ୍ରେଫିଲ୍ଡରେ ଆୟୋଜିତ ପ୍ରଥମ ମ୍ୟାଚ୍‌ରେ ଏହି ଦଳ ୬-୧ ଗୋଲ୍‌ରେ ଜର୍ମାନିକୁ ପରାସ୍ତ କରିଛି। ବିବେକ ସାଗର ପ୍ରସାଦ (୨୭, ୨୮ ମିନିଟ୍‌) ଦୁଇଟି ଏବଂ ନୀଳକଣ୍ଠ ଶର୍ମା (୧୩ ମିନିଟ୍‌), ଲଲିତ କୁମାର ଉପାଧ୍ୟାୟ (୪୧ ମିନିଟ୍‌), ଆକାଶଦୀପ ସିଂହ (୪୨ ମିନିଟ୍‌) ଓ ହରମନପ୍ରୀତ ସିଂହ (୪୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଜର୍ମାନି ପକ୍ଷରୁ ଏକମାତ୍ର ଗୋଲ୍‌ଟି କନ୍‌ଷ୍ଟାଣ୍ଟିନ ‌ଷ୍ଟେବ୍‌ (୧୪ ମିନିଟ୍‌) ‌ଶୁଝିବାକୁ ସକ୍ଷମ ହୋଇଥିଲେ। ମଙ୍ଗଳବାର ପୁରୁଷ ଦଳ ୪ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଖେଳିବ।

ଅନ୍ୟପକ୍ଷରେ ଦସେଲଡର୍ଫରେ ଖେଳାଯାଇଥିବା ମହିଳା ମ୍ୟାଚ୍‌ରେ ଭାରତ ୦-୧ ଗୋଲ୍‌ରେ ଜର୍ମାନିଠୁ ହାରିଯାଇଥିଲା। ବିଜୟୀ ଦଳ ପକ୍ଷରୁ ଆମେଲି ୱର୍ଟମାନ (୨୪ ମିନିଟ୍‌) ଏକମାତ୍ର ଗୋଲ୍‌ଟି ଦେଇଥିଲେ। ଏହି ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ମହିଳା ଦଳର ଏହା ଦ୍ବିତୀୟ ପରାଜୟ। ଶନିବାର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ୦-୫ ଗୋଲ୍‌ରେ ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ।

ସମ୍ବନ୍ଧିତ ଖବର