ରାୟପୁରରେ ଭାରତୀୟ ରୋମାଞ୍ଚ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଜୁଲାଇ ୨୦୧୪ରୁ ଆରମ୍ଭ ହୋଇ ଡିସେମ୍ବର ୨୦୧୫ରେ ଶେଷ ହୋଇଥିଲା। କ୍ରୋଏସିଆର ସେଟି ଇଭାନ ଜେଲିନାଠାରେ ଉଦଘାଟନୀ ଏବଂ ଭାରତର ରାୟପୁରରେ ଫାଇନାଲ୍‌ ଖେଳା ଯାଇଥିଲା। ପ୍ରତିଯୋଗିତାର ସେମିଫାଇନାଲ୍‌ ୨୦୧୬ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ପର୍ଯ୍ୟାୟର କାର୍ଯ୍ୟ କରିଥିଲା। ସେମିର ଶ୍ରେଷ୍ଠ ୬ ଦଳ ସିଧାସଳଖ ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ। ସେମିଫାଇନାଲ ଦୁଇଟି ସ୍ଥାନ ଯଥା ଆର୍ଜେଣ୍ଟିନାର ବୁନେସ୍‌ ଏୟାରସ୍‌ ଓ ବେଲଜିୟମର ଆନ୍ତ୍ୱେର୍ପଠାରେ ଖେଳା ଯାଇଥିଲା। ଏହାର ଶ୍ରେଷ୍ଠ ୭ ସ୍ଥାନରେ ରହି ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, କାନାଡା, ଜର୍ମାନି, ଗ୍ରେଟ୍‌ ବ୍ରିଟେନ୍‌ ଓ ନେଦରଲାଣ୍ଡ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଭାରତ ଆୟୋଜକ ଦେଶ ଭାବେ ଏହି ପର୍ଯ୍ୟାୟକୁ ଯାଇଥିଲା। ସଂପୂର୍ଣ୍ଣ ପ୍ରତିଯୋଗିତା କିନ୍ତୁ ୧୫ ସହରରେ ମୋଟ ୫୬ ଦଳକୁ ନେଇ ଖେଳା ଯାଇଥିଲା। ୨୧୩ ମ୍ୟାଚ୍‌ ଖେଳା ଯାଇଥିବା ଏହି ସଂସ୍କରଣରେ ୧୧୪୭ ଗୋଲ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପିଛା ଗୋଲ୍‌ ହାର ଥିଲା ୫.୩୮। ଯାହା ପ୍ରଥମ ସଂସ୍କରଣଠାରୁ ଅପେକ୍ଷାକୃତ କମ୍‌ ଥିଲା। ତଥାପି ଦ୍ୱିତୀୟର ରୋମାଞ୍ଚ ପ୍ରଥମଠାରୁ କୌଣସି ଗୁଣରେ କମ୍‌ ନଥିଲା। ଏଥର ନେଦରଲାଣ୍ଡ ନୁହେଁ ଅଷ୍ଟ୍ରେଲିଆ ବାଜି ମାରି ନେଇଥିଲା। ପ୍ରଥମ ଅଧ୍ୟାୟର ବିଜେତା ନେଦରଲାଣ୍ଡ ଆଶ୍ଚର୍ଯ୍ୟଜନକ ଭାବେ ଫାଇନାଲକୁ ଯାଇ ପାରି ନଥିଲା। ରାୟପୁରର ସର୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୨-୧ ଗୋଲ୍‌ରେ ବେଲଜିୟମକୁ ହରାଇ ପ୍ରଥମ ଥର ପାଇଁ ଟ୍ରଫି ତୋଳି ଧରିଥିଲା। ତା’ ସହ ବିଶ୍ୱ ହକି ଲିଗ୍‌କୁ ମିଳି ଯାଇଥିଲା ନୂଆ ବିଜେତା। ଘରୋଇ ପରିବେଶରେ ଦ୍ୱିତୀୟ ଥର ଫାଇନାଲ୍‌ ଖେଳିଥିବା ଭାରତ ଏଥର ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଖେଳା ଯାଇଥିବା ମୁକାବିଲାରେ ଶକ୍ତିଶାଳୀ ନେଦରଲାଣ୍ଡକୁ ଧରାଶାୟୀ କରି କାଂସ୍ୟ ପଦକ କରାୟତ କରି ନେଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇର ନିର୍ଧାରିତ ସମୟରେ ଉଭୟ ଦଳ ପାଞ୍ଚଟି ଲେଖାଏଁ ଗୋଲ୍‌ କରି ସାମନ ସ୍ତରରେ ରହିଥିଲେ। ଫଳରେ ପେନାଲ୍ଟି ସୁଟଆଉଟର ସହାୟତାରେ ବିଜୟୀ ଦଳ ବଛା ହୋଇଥିଲା। ଏହାକୁ ୩-୨ରେ ଜିତି ନେଇ ଭାରତୀୟ ଦଳ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ସହ ନୂଆ ଇତିହାସ ରଚିଥିଲା। ପ୍ରଥମ ସଂସ୍କରଣରେ ଟ୍ରଫି ଜିତିଥିବା ନେଦରଲାଣ୍ଡ ଦ୍ୱିତୀୟରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ପ୍ରଥମରେ ଷଷ୍ଠ ସ୍ଥାନରେ ରହିଥିବା ଭାରତ ଦ୍ୱିତୀୟ ଅଧ୍ୟାୟରେ ତୃତୀୟ ସ୍ଥାନକୁ ଲମ୍ଫ ମାରିବା ପ୍ରତିଯୋଗିତାର ଅନ୍ୟତମ ବିଶେଷତ୍ୱ ଥିଲା।

ସମ୍ବନ୍ଧିତ ଖବର