ଏସିଆ ମହାଦେଶର ସର୍ବବୃହତ କ୍ରୀଡ଼ା ସମାରୋହର ୧୯ତମ ସଂସ୍କରଣ ଆୟୋଜନ ହେଉଛି ଚୀନ୍‌ର ହାଙ୍ଗଝୌ ସହରରେ। ଆସନ୍ତା ୨୩ରୁ ଆରମ୍ଭ ହେଉଥିବା ଏହି ବହୁଶୃଙ୍ଖଳା ବିଶିଷ୍ଟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ୬୫୫ ଖେଳାଳି ୪୦ଟି ଖେଳରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଗତ ଜାକର୍ତ୍ତା କ୍ରୀଡ଼ାରେ ୫୭୦ କ୍ରୀଡ଼ାବିତ୍‌ ୩୬ ଖେଳରେ ଭାଗନେଇ ୭୦ ପଦକ ହାସଲ କରିଥିଲେ ଏବଂ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା। ଏହି ସଂସ୍କରଣ ଆମ ରାଜ୍ୟ ପାଇଁ ସ୍ମରଣୀୟ ଥିଲା। ଆମ ରାଜ୍ୟର ତାରକା ସ୍ପ୍ରିଣ୍ଟର ଦୂତି ଚାନ୍ଦ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତି ବିରଳ କୀର୍ତ୍ତିମାନ ସ୍ଥାପନ କରିଥିଲେ।
ଏସିଆଡ୍‌ର ପ୍ରଥମ ସଂସ୍କରଣ (୧୯୫୧, ନୂଆଦିଲ୍ଲୀ)ଠାରୁ ଏ ପର୍ଯ୍ୟନ୍ତ ୧୮ ସଂସ୍କରଣରେ ଓଡ଼ିଶା କ୍ରୀଡ଼ାବିତ୍‌ମାନଙ୍କ ଯୋଗଦାନ ଏବଂ ସଫଳ ପ୍ରଦର୍ଶନ ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା।

Advertisment

୧୯୫୧ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଦୁଇଜଣ ଖ୍ୟାତାନାମା କ୍ରୀଡ଼ାବିତ୍‌ ଫୁଟ୍‌ବଲ୍‌ ଖେଳାଳି ସେଖ ମଜିଦ (ବଚନ) ଏବଂ ଲମ୍ବ ଦୂର ଦୌଡ଼ାଳି ସେଖ ଗୁଲଜାର ଭାରତରୁ ପ୍ରତିନିଧିତ୍ବ କରିଥିଲେ। ବଚନ ବିଜେତା ଭାରତୀୟ ଫୁଟ୍‌ବଲ୍‌ ଦଳର ସଦସ୍ୟ ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ସେଖ ଗୁଲଜାର ୧୦,୦୦୦ ମିଟର ଦୌଡ଼ରେ ଭାଗନେଇ ଉତ୍ତମ ପ୍ରଦର୍ଶନ କରିଥିଲେ। ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ ହୋଇଥିବା ପରବର୍ତ୍ତୀ ସଂସ୍କରଣ (୧୯୫୪)ରେ ସୁନାମଧନ୍ୟ ସ୍ପ୍ରିଣ୍ଟର ସୀତିକାନ୍ତ ଘୋଷ ଭାରତୀୟ ୪ ଗୁଣା୧୦୦ ମିଟର ରିଲେ ଦଳର ସଦସ୍ୟ ରହିଥିଲେ। ପରବର୍ତ୍ତୀ ୩୨ ବର୍ଷ ଧରି କୌଣସି ଓଡ଼ିଆ କ୍ରୀଡ଼ାବିତ୍‌ ଏସୀୟ କ୍ରୀଡ଼ାରେ ଭାଗ ନେଇନଥିଲେ। ୧୯୮୬ ସିଓଲରେ ଓଡ଼ିଶାର ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ସନତ ମିଶ୍ର ଦଳଗତ ବିଭାଗରେ ଲିରୟ ଡି’ସାଙ୍କୁ ସାଥୀ କରି ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ଧାରାକୁ ବଜାୟ ରଖି ପରବର୍ତ୍ତୀ ୧୯୯୦ ବେଜିଂ କ୍ରୀଡ଼ାରେ ଓଡ଼ିଶାର ଧାବିକା ପ୍ରଣତି ମିଶ୍ର ୪ ଗୁଣା ୪୦୦ ମିଟର ରିଲେ ଦଳରେ ରହି ରୌପ୍ୟ ଜିତିଥିଲେ। ପରବର୍ତ୍ତୀ ସଂସ୍କରଣ ଗୁଡ଼ିକରେ କେବଳ ୧୯୯୪ ହିରୋସିମା କ୍ରୀଡ଼ାକୁ ବାଦ୍‌ ଦେଲେ ପ୍ରତ୍ୟେକ ସଂସ୍କରଣରେ ଓଡ଼ିଆ କ୍ରୀଡ଼ାବିତ୍‌ମାନେ ପଦକ ଜିତିଥିବାରେ ସଫଳ ହୋଇଛନ୍ତି।
ଏ ପର୍ଯ୍ୟନ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଓଡ଼ିଶାର ସମୁଦାୟ ୩୧ଜଣ କ୍ରୀଡ଼ାବିତ୍‌ ହକି (ପୁରୁଷ, ମହିଳା), ଫୁଟ୍‌ବଲ୍‌ (ପୁରୁଷ, ମହିଳା), ଦୌଡ଼କୁଦ, ଭାରୋତ୍ତୋଳନ, ନୌଚାଳନା (ରୋଇଂ), ବ୍ୟାଡ୍‌ମିଣ୍ଟନ, ରଗ୍‌ବି, କରାଟେ ଓ ତୀରନ୍ଦାଜିରେ ଭାଗନେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ (ହକି ୧୪, ଦୌଡ଼କୁଦ ୩, ନୌଚାଳନା ୨, ବ୍ୟାଡ୍‌ମିଣ୍ଟନ ୧) ପଦକ ଜିତିବାରେ ସଫଳ ହୋଇଛନ୍ତି।
ହକି ପୁରୁଷ: ଦିଲୀପ ତିର୍କି (ସ୍ବର୍ଣ୍ଣ-୧୯୯୮, ରୌପ୍ୟ-୨୦୦୨), ଇଗ୍ନେସ ତିର୍କି (ରୌପ୍ୟ-୨୦୦୨), ଲାଜରୁସ ବାର୍ଲା (ସ୍ବର୍ଣ୍ଣ-୧୯୯୮), ପ୍ରବୋଧ ତିର୍କି (କାଂସ୍ୟ-୨୦୧୦), ଅମିତ ରୋହିଦାସ (କାଂସ୍ୟ-୨୦୧୮), ବୀରେନ୍ଦ୍ର ଲାକ୍ରା (ସ୍ବର୍ଣ୍ଣ-୨୦୧୪ ଏବଂ କାଂସ୍ୟ -୨୦୧୮)। ହକି ମହିଳା: ଜ୍ୟୋତି ସୁନିତା କୁଲୁ (ରୌପ୍ୟ-୧୯୯୮ ଓ କାଂସ୍ୟ-୨୦୦୬), ସୁଭଦ୍ରା ପ୍ରଧାନ (କାଂସ୍ୟ-୨୦୦୬), ବିନିତା ଟପ୍ପୋ (କାଂସ୍ୟ -୨୦୦୬), ବିନିତା ଖେସ (କାଂସ୍ୟ-୨୦୦୬), ଦୀପଗ୍ରେସ ଏକ୍କା (ରୌପ୍ୟ-୨୦୧୮ ଓ କାଂସ୍ୟ-୨୦୧୪), ନମିତା ଟପ୍ପୋ (ରୌପ୍ୟ-୨୦୧୮ ଓ କାଂସ୍ୟ-୨୦୧୪), ସୁନିତା ଲାକ୍ରା (ରୌପ୍ୟ-୨୦୧୮ ଓ କାଂସ୍ୟ-୨୦୧୪) ଓ ଲିଲିମା ମିଞ୍ଜ (ରୌପ୍ୟ-୨୦୧୮ ଓ କାଂସ୍ୟ-୨୦୧୪)।
ଦୌଡ଼କୁଦ: ପ୍ରଣତି ମିଶ୍ର (ରୌପ୍ୟ-୪ ଗୁଣା ୪୦୦ ମିଟର ରିଲେ, ୧୯୯୦), ରଚିତା ପଣ୍ଡା (ମିସ୍ତ୍ରୀ)- (୧୦୦ ମିଟର ଦୌଡ଼ରେ କାଂସ୍ୟ-୧୯୯୮), ଦୂତି ଚାନ୍ଦ (୨ ରୌପ୍ୟ-୧୦୦ ଓ ୨୦୦ ମିଟର, ୨୦୧୮)।
ବ୍ୟାଡ୍‌ମିଣ୍ଟନ: ସନତ ମିଶ୍ର (କାଂସ୍ୟ-୧୯୮୬)।
ଫୁଟ୍‌ବଲ୍‌ ପୁରୁଷ: ସେକ ଅବଦୁଲ ମଜିଦ (ବଚନ) (ସ୍ବର୍ଣ୍ଣ-୧୯୫୧)
ନୌଚାଳନା: ପ୍ରତିମା ପୁହାଣ ଓ ପ୍ରମିଳା ପ୍ରଭା ମିଞ୍ଜ କାଂସ୍ୟ (୨୦୧୦)।
ଅଳ୍ପକେ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଖେଳାଳିମାନେ ହେଲେ ୪ ଗୁଣା ୧୦୦ ମିଟର ‌ରିଲେରେ ଅନୁରାଧା ବିଶ୍ବାଳ (୨୦୦୬), ତୀରନ୍ଦାଜିରେ ରାଜେଶ ହାଂସଦା (୧୯୯୮), କରାଟେରେ ଭାଲିନା ଭାଲେଣ୍ଟିନା (୨୦୧୮)।
ଅନ୍ୟ ଅଂଶଗ୍ରହଣକାରୀ: ସୀତିକାନ୍ତ ବୋଷ-୪ଗୁଣା ୪୦୦ ମିଟର ରିଲେ (୧୯୫୪), ସେକ ଗୁଲଜାର-୧୦୦୦୦ ମିଟର ଦୌଡ଼ (୧୯୫୧), ଶ୍ରଦ୍ଧାଞ୍ଜଳି ସାମନ୍ତରାୟ-ମହିଳା ଫୁଟ୍‌ବଲ୍‌ (୧୯୯୮), ସସ୍ମିତା ମଲ୍ଲିକ-ମହିଳା ଫୁଟ୍‌ବଲ୍‌ (୨୦୧୦), ସୁପ୍ରଭା ସାମଲ ମହିଳା-ଫୁଟ୍‌ବଲ୍‌ (୨୦୧୦), କେ ରବି କୁମାର-ଭାରୋତ୍ତୋଳନ (୨୦୧୦), ଭାଗ୍ୟଲକ୍ଷ୍ମୀ ବାରିକ-ରଗ୍‌ବି (୨୦୧୦)।
ଆସନ୍ତା ୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଥିବା ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ୍‌ମାନଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା (ପ୍ରତ୍ୟେକଙ୍କୁ) ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ସମସ୍ତ କ୍ରୀଡ଼ାବିତ୍‌ଙ୍କ ସଫଳତା ଆମର କାମ୍ୟ।