ବ୍ୟାଙ୍କକ୍ : ଥମାସ କପ୍ ଫାଇନାଲ୍ରେ ପହଞ୍ଚି ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଦଳ ଶୁକ୍ରବାର ନୂଆ ଇତିହାସ ରଚିଛି। ଗୁରୁବାର ମାଲେସିଆକୁ ୩-୨ରେ ହରାଇ ୪୩ ବର୍ଷ ପରେ ସେମିଫାଇନାଲ୍ରେ ପହଞ୍ଚିଥିବା ଭାରତ ଶୁକ୍ରବାର ବିଜୟ ଧାରା ଜାରି ରଖି ଡେନମାର୍କକୁ ୩-୨ରେ ପରାସ୍ତ ମାତ୍ ଦେଇ ପ୍ରଥମ ଥର ଏହି ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିବାର ଗୌରବ ଅର୍ଜନ କରିଛି। ପ୍ରଥମ ଏକକ ମ୍ୟାଚ୍ରେ ବିଶ୍ବର ୯ ନମ୍ବର ଲକ୍ଷ୍ୟ ସେନ୍ ୧୩-୨୧, ୧୩-୨୧ରେ ଭିକ୍ଟର ଆକ୍ସେଲସେନଙ୍କଠୁ ହାରିଯାଇଥିଲେ। କିନ୍ତୁ ଭାରତୀୟ ଯୁଗଳ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ୨୧-୧୮, ୨୧-୨୩, ୨୨-୨୦ରେ କିମ୍ ଅସ୍ତ୍ରୁପ ଓ ମାଥିଆସ୍ ଖ୍ରୀଷ୍ଟିଆନ୍ସେନ୍ଙ୍କୁ ମାତ୍ ଦେଇ ସ୍ଥିତି ୧-୧ କରିଥିଲେ।
ଦ୍ବିତୀୟ ଏକକ ମୁକାବିଲାରେ କିଦାମ୍ବି ଶ୍ରୀକାନ୍ତ ୨୧-୧୮, ୧୨-୨୧, ୨୧-୧୫ରେ ଆନ୍ଦ୍ରେସ୍ ଆଣ୍ଟୋନସେନ୍ଙ୍କୁ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଦ୍ବିତୀୟ ଯୁଗଳ ମ୍ୟାଚ୍ରେ କିନ୍ତୁ କୃଷ୍ଣ ପ୍ରସାଦ ଗରାଗା ଓ ବିଷ୍ଣୁପ୍ରସାଦ ଗୌଡ଼ ପ୍ରାଞ୍ଜଳ ୧୪-୨୧, ୧୩-୨୧ରେ ଆନ୍ଦ୍ରେସ ସ୍କାରୁପ ରାସମୁସେନ ଓ ଫେଡେରିକ୍ ସୋଗାର୍ଡଙ୍କଠୁ ହାରି ଯିବାରୁ ସ୍ଥିତି ୨-୨ରେ ବରାବାର ହୋଇଥିଲା। ଶେଷ ତଥା ନିର୍ଣ୍ଣାୟକ ଏକକ ମୁକାବିଲାରେ ଏଚ୍ଏସ୍ ପ୍ରଣୟ ଚମତ୍କାର ପ୍ରତ୍ୟାବର୍ତନ କରି ୧୩-୨୧, ୨୧-୯, ୨୧-୧୨ରେ ରାସମୁସ ଜେମ୍କେଙ୍କୁ ପରାସ୍ତ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଭାରତ ରବିବାର ଫାଇନାଲ୍ରେ ଇଣ୍ଡୋନେସିଆକୁ ଭେଟିବ।